ହେଡଲାଇନସ୍:

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଭାଷାବିତ୍‌ ପ୍ରୟାଗଦତ୍ତ ଜୋଷୀଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ବର:ଓଡ଼ିଆ ଭାଷା ପ୍ରତିଷ୍ଠାନ ଓ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ଭାଷାବିତ୍‌ ସ୍ବର୍ଗତଃ ପ୍ରୟାଗଦତ୍ତ ଜୋଷୀଙ୍କ ଜୟନ୍ତୀ ପାଳିତ ହୋଇଛି । ଏହି ଜୟନ୍ତୀ ସମାରୋହ ଅବସରରେ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଓଡ଼ିଶାର ଆଞ୍ଚଳିକ ଭାଷାର ଗୁରୁତ୍ବ ସଂପର୍କରେ ଆଲୋଚନା କରିବା ସହ ଆଗାମୀ ଦିନରେ ସମଗ୍ର ଓଡ଼ିଶାର ଆଞ୍ଚଳିକ ଭାଷା ସଂପର୍କିତ ଏକ ଗବେଷଣାତ୍ମକ ସଂକଳନ ବିଶ୍ବବିଦ୍ୟାଳୟର ପକ୍ଷରୁ ପ୍ରକାଶ ପାଇ‍ବ ବୋଲି ପ୍ରକାଶ କରିଥିଲେ । କୁଳସଚିବ ଶ୍ରୀମତୀ ଅନାମିକା ଅଧିକାରୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଷାହିଁ ଭବିଷ୍ୟର ପ୍ରାସଙ୍ଗିକତା ଓ ଭାଷା ପ୍ରୀତିର ଆବଶ୍ୟକତା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶିଷ୍ଟ ଅତିଥିଭାବେ ଯୋଗଦେଇ ବରିଷ୍ଠ ଭାଷାବିଜ୍ଞାନୀ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଓଡ଼ିଆ ଭାଷାର ଐତିହାସିକତା ଓ ଓଡ଼ିଆ ଭାଷାର ଆନ୍ଦୋଳନ ସଂପର୍କରେ ସୂଚନା ଦେବା ସହ ଜ୍ଞାନ ଆହରଣ ନିମନ୍ତେ ଭାଷାକୁ ଭଲପାଇବା ନିମନ୍ତେ ପରାମର୍ଶ ଦେଇଥିଲେ । ସେହିଭଳି ସମ୍ମାନିତ ଅତିଥିଭାବେ ଓଡ଼ିଆ ଭାଷା ପ୍ରତିଷ୍ଠାର ସଂଯୋଜକ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଓ କାର୍ଯ୍ୟକ୍ରମ ଉପଦେଷ୍ଟା ଡ. ଫଣିନ୍ଦ୍ର ଭୂଷଣ ନନ୍ଦ ସମସାମୟିକ ସମାଜରେ ଭାଷାର ଗୁରୁତ୍ବ ସଂପର୍କରେ ଆଲୋକପାତ କରିବା ସହ ସ୍ବର୍ଗତ ପ୍ରୟାଗଦତ୍ତଙ୍କ ରଚନା ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।

ଆଲୋଚକଭାବେ ଡ଼ଃ ସୁଶାନ୍ତ କୁମାର ବିଶି ଓ ଶ୍ରୀ ଲୋହିତାକ୍ଷ ଜୋଷୀ କୋଶଳୀ ଭାଷାକୁ ଲୋକଲୋଚନକୁ ଆଣିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ପ୍ରୟାଗଦତ୍ତଙ୍କ ସାମଗ୍ରିକ ସାହିତ୍ୟ ସଂପର୍କରେ ଆଲୋଚନା କରିଥିଲେ । ସହକାରୀ ପ୍ରଫେସର ଡ. ଆଶିଷ ମହାପାତ୍ର ସ୍ବାଗତଭାଷଣ ଓ ଅତିଥି ପରିଚୟ ଦେଇଥିବାବେଳେ ବିଭାଗୀୟ ମୁଖ୍ୟ ଡ.ଚକ୍ରଧର ବେହେରା ଧନ୍ୟବାଦ ଅର୍ପଣ କରଥିଲେ ।

ଏହି ଅବସରରେ ଆୟୋଜିତ ପ୍ରବନ୍ଧ, ବକ୍ତୃତା ଓ ଶୁଦ୍ଧ ଲିଖନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଡ. ଜ୍ଞାନରଂଜନ ପଣ୍ଡା । ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ସମସ୍ତ ବିଭାଗର ଅଧ୍ୟାପକ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault