ଓଡଗାଁ, ୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶରଣକୁଳ ବିଦ୍ୟୁତ ବିଭାଗ ଅଧୀନ ଚଡେୟାପଲ୍ଲୀ ଗ୍ରାମରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ରହିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦୁର୍ଘଟଣା ଆଶଙ୍କା ବଢ଼ିଛି। ଟ୍ରାନ୍ସଫର୍ମର ଚାରିପାଖରେ ଘଞ୍ଚ ଲତା ଓ ବୁଦା ମାଡ଼ିଯାଇ ସମ୍ପୂର୍ଣ୍ଣ ଢାଙ୍କି ଦେଇଥିବାରୁ ଏହା ଏବେ ବିପଦସଙ୍କୁଳ ଅବସ୍ଥାରେ ପହଞ୍ଚିଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ସମୟ ଧରି ଟ୍ରାନ୍ସଫର୍ମରର ସଫାସୁତୁରା କିମ୍ବା ଆବଶ୍ୟକ ରକ୍ଷଣାବେକ୍ଷଣ କରାଯାଇନାହିଁ। ଫଳରେ ଲତାଗୁଡ଼ିକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସର୍ଟ ସର୍କିଟ କିମ୍ବା ଅନ୍ୟ କୌଣସି ବିଦ୍ୟୁତ ଦୁର୍ଘଟଣା ଘଟିବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ଟ୍ରାନ୍ସଫର୍ମରଟି ଜନବହୁଳ ଅଞ୍ଚଳରେ ଅବସ୍ଥିତ ଥିବାରୁ ପ୍ରତିଦିନ ଏହା ନିକଟରେ ଯାତାୟାତ କରୁଥିବା ଗୃହ ପାଳିତ ପ୍ରାଣୀ, ଲୋକ ଓ ବିଶେଷକରି ପିଲାମାନଙ୍କ ସୁରକ୍ଷାକୁ ନେଇ ଗ୍ରାମବାସୀ ଚିନ୍ତା ପ୍ରକାଶ କରିଛନ୍ତି। ବାରମ୍ବାର ବିଦ୍ୟୁତ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।
ଗ୍ରାମବାସୀଙ୍କ ଦାବିକୁ ଗୁରୁତ୍ୱ ଦେଇ ତୁରନ୍ତ ଟ୍ରାନ୍ସଫର୍ମର ପାଖରୁ ଲତା ଓ ବୁଦା ସଫା କରାଯାଉ । ଅନ୍ୟଥା କୌଣସି ଅଘଟଣ ଘଟିଲେ ତାହାର ପରିଣାମ ପାଇଁ ବିଦ୍ୟୁତ୍ ବିଭାଗ ଦାୟୀରହିବ ବୋଲି ଗ୍ରାମବାସୀ କହିଛନ୍ତି ।
ରାଜ୍ୟ
ଚଡେୟାପଲ୍ଲୀ ଗ୍ରାମରେ ବିପଦସଙ୍କୁଳ ଅବସ୍ଥାରେ ଟ୍ରାନ୍ସଫର୍ମର, ବଡ଼ ଅଘଟଣର ଆଶଙ୍କା
- Hits: 60







