ଖାଲଖମା ରାସ୍ତା ସହ ବିପଦପୂର୍ଣ୍ଣ ଶୁଖିଲା ଡାଳ, ଯେକୌଣସି ମୁହୂର୍ତ୍ତରେ ନେଇ ପାରେ ଜୀବନ,
ଓଡ଼ଗାଁ, ୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅଧୀନ ଦରପଦାଠାରୁ ଓଡ଼ଗାଁସ୍ଥିତ ଶ୍ରୀ ରଘୁନାଥ ଜିଉ ମନ୍ଦିରକୁ ସଂଯୋଗ କରୁଥିବା ପ୍ରାୟ ୧୨ କିଲୋମିଟର ଗ୍ରାମ୍ୟ ଉନ୍ନୟନ ବିଭାଗର ପକ୍କା ସଡ଼କ ବର୍ତ୍ତମାନ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ପହଞ୍ଚିଛି। ରାସ୍ତାର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଖାଲଖମା ସହ ଉଭୟ ପାର୍ଶ୍ୱରେ ଥିବା ଚାକୁଣ୍ଡା ଗଛର ଶତାଧିକ ଶୁଖିଲା ଓ ଭଙ୍ଗା ଡାଳ ଖଣ୍ଡା ସଦୃଶ ରାସ୍ତା ଉପରେ ଝୁଲି ରହିଥିବାରୁ ପ୍ରତିଦିନ ଯାତ୍ରୀମାନେ ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି। ପ୍ରାୟ ଦୁଇରୁ ତିନି ବର୍ଷ ମଧ୍ୟରେ ଦୁଇ ପର୍ଯ୍ୟାୟରେ ଏହି ରାସ୍ତାର ନବୀକରଣ କରାଯାଇଥିଲା। ଏହା ପରେ ଓଡ଼ଗାଁକୁ ଶ୍ରୀ ରଘୁନାଥ ଜିଉଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ, ବାହାର ଜିଲ୍ଲାର ପର୍ଯ୍ୟଟକ ଏବଂ ଗୁଗୁଲ ମ୍ୟାପ୍ ଅନୁସରଣରେ ଅନେକ କାର ଓ ଦୁଇଚକିଆ ଚାଳକ ଶରଣକୂଳ ମାର୍ଗ ପରିବର୍ତ୍ତେ ଏହି ରାସ୍ତାକୁ ପ୍ରଥମ ପସନ୍ଦ କରୁଛନ୍ତି। କିନ୍ତୁ ରାସ୍ତାର ଦୟନୀୟ ଅବସ୍ଥା ଏବେ ସେମାନଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଗ୍ରାମ୍ୟ ଉନ୍ନୟନ ବିଭାଗର ମାନଦଣ୍ଡରେ ନିର୍ମିତ ଏହି ରାସ୍ତାରେ ଦିନରାତି ବେଆଇନ ଭାବେ ବାଲି ବୋଝେଇ ହାଇୱା ସମେତ ଭାରୀ ଯାନ ଚଳାଚଳ କରୁଥିବାରୁ ବହୁ ସ୍ଥାନରେ ରାସ୍ତା ଭାଙ୍ଗି ଖାଲଖମା ସୃଷ୍ଟି ହୋଇଛି। ଫଳରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣାର ଆଶଙ୍କା ବଢ଼ୁଛି।
ଅନ୍ୟପକ୍ଷରେ, ରାସ୍ତାର ନବୀକରଣ ପରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣର ଦାୟିତ୍ୱ ଠିକାଦାରଙ୍କ ଉପରେ ଥିବା କୁହାଯାଉଥିଲେ ମଧ୍ୟ ଆବଶ୍ୟକ ମରାମତି କାମ ନକରି ସମୟକୁ ଗଡ଼ାଇ ନେଉଥିବା ବେଳେ ପାଞ୍ଚ ବର୍ଷ ସମୟ ସରିବା ପରେ ପୁଣି ନୂତନ ଟେଣ୍ଡର କରିବାକୁ ଅପେକ୍ଷା କରାଯାଉଥିବା ନେଇ ସ୍ଥାନୀୟ ମହଲରେ ଚର୍ଚ୍ଚା ହେଉଛି। ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ପୁରୁଣା ଚାକୁଣ୍ଡା ଗଛର ଶୁଖିଲା ଓ ଭଙ୍ଗା ଡାଳ ଅନେକ ସମୟରେ ଭାଙ୍ଗି ରାସ୍ତା ଉପରେ ପଡ଼ୁଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ବହୁ କ୍ଷେତ୍ରରେ ସ୍ଥାନୀୟ ଦମକଳ ବାହିନୀ ଆସି ରାସ୍ତା ସଫା କରୁଛନ୍ତି। ତେବେ ଏବେ ମଧ୍ୟ ଶତାଧିକ ଶୁଖିଲା ଡାଳ ଗଛରେ ଝୁଲି ରହିଥିବାରୁ ଯେକୌଣସି ସମୟରେ ଯାନବାହନ କିମ୍ବା ପଥଚାରୀଙ୍କ ଉପରେ ପଡ଼ି ବଡ଼ ଅଘଟଣ ଘଟିପାରେ ବୋଲି ଶିକ୍ଷାବିତ୍ ଚିତ୍ତରଞ୍ଜନ ତ୍ରିପାଠୀ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ସମ୍ପର୍କରେ ଓଡ଼ଗାଁ ଆରଡି ସେକ୍ସନର ଦାୟିତ୍ୱରେ ଥିବା ରଣପୁର ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲୀପ କୁମାର ବରାଡ଼ କହିଛନ୍ତି ଯେ, ରାସ୍ତାର ପୁନଃନିର୍ମାଣ ପାଇଁ ନୂତନ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିପରି ରାସ୍ତା ଉପରେ ଝୁଲି ରହିଥିବା ବିପଦଜନକ ଡାଳଗୁଡ଼ିକୁ ଶୀଘ୍ର କାଟି ସଫା କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଲୋକଙ୍କ ମୁଣ୍ଡ ଉପରେ ଝୁଲୁଥିବା ଏହି ‘ମୃତ୍ୟୁର ଖଣ୍ଡା’ କେବେ ହଟିବ ଏବଂ ବିପଦପୂର୍ଣ୍ଣ ରାସ୍ତା କେବେ ସୁରକ୍ଷିତ ହେବ, ତାହାକୁ ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି।







