ହେଡଲାଇନସ୍:

ସଙ୍ଗୀତମୟ ୫୦ ବର୍ଷ : ଗୁରୁ ରଘୁନାଥ ପାତ୍ରଙ୍କ ସାଙ୍ଗୀତିକ ଜୟଯାତ୍ରାର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ସଂଗୀତ ନିର୍ଦ୍ଦେଶକ ତଥା ଆକାଶବାଣୀ କଣ୍ଠଶିଳ୍ପୀ ତଥା ସ୍ବର ସଂଯୋଜକ ପଣ୍ଡିତ ଗୁରୁ ରଘୁନାଥ ପାତ୍ରଙ୍କ ସଙ୍ଗୀତ ଜୀବନ ୫୦ବର୍ଷ ପୂର୍ତ୍ତି ଅବସରରେ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ନୈବେଦ୍ୟ ପକ୍ଷରୁ ‘ସଙ୍ଗୀତମୟ ପଚାଶ ବର୍ଷ ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ନୃସିଂହ ଚରଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଯୋଗଦେଇଥିବା ବେଳେ ଉଦଘାଟକ ଭାବେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ.ନାରାୟଣ ରାଓ , ସମ୍ମାନିତ ଅତିଥି ଭାବେ ଜିଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ପ୍ରମୁଖ ଯୋଗଦେଇ ପଣ୍ଡିତ ରଘୁନାଥ ପାତ୍ରଙ୍କ ସଂଗୀତ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଶିକ୍ଷାବିତ୍ ତଥା ସାହିତ୍ୟିକ ଶ୍ରୀଯୁକ୍ତ ଗୌରଚନ୍ଦ୍ର ପଣ୍ଡା ଏବଂ ବରିଷ୍ଠ ଓଡିଶୀ କଣ୍ଠଶିଳ୍ପୀ ତଥା ଗବେଷିକା ଡ.ସଂଗୀତା ଗୋସାଇଁଙ୍କୁ ଅନୁଷ୍ଠାନ ପକ୍ଷରୁ ପଣ୍ଡିତ ଭକ୍ତ ବତ୍ସଳ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ସଙ୍ଗୀତ ବିଶାରଦ ପଣ୍ଡିତ ରଘୁନାଥ ପାତ୍ରଙ୍କୁ ତାଙ୍କ ଛାତ୍ରଛାତ୍ରୀ ଏବଂ ଶୁଭାକାଂକ୍ଷୀମାନେ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ପୁସ୍ତକ ‘ରଘୁନାଥଙ୍କ ସ୍ବର୍ଣ୍ଣାକ୍ଷର’ ଉନ୍ମଚିତ ହୋଇଥିଲା। ଭକ୍ତି ସଂଗୀତ ସଂସଦର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ।
ଡ.ସିଏଚ୍.ରାମକ୍ରିଷ୍ଣାଙ୍କ ବୀଣା ବାଦନ ସହ ଜି.ରବି କୁମାରଙ୍କ ମୃଦଙ୍ଗ ବାଦନ , କଣ୍ଠଶିଳ୍ପୀ ଆଶୁତୋଷ ମିଶ୍ର , ପ୍ରଭାତ ପାତ୍ର , ଆକାଂକ୍ଷା ପାଟ୍ଟଯୋଶୀ , ସ୍ପନ୍ଦନା ପଣ୍ଡା , ସଂଗୀତା ଗୋସାଇଁ , ଶିବ ଶଙ୍କର ଷଡଙ୍ଗୀ , ଡ.ଚନ୍ଦନ ଗନ୍ତାୟତ , ଶର୍ମିଳା ସାମନ୍ତରା , ଅନ୍ବେଷା ରଥ , ଅମୃତା ପୁରୋହିତ , ଓଁକାର ବାପି ପଟ୍ଟନାୟକ ପ୍ରମୁଖ ପଣ୍ଡିତ ରଘୁନାଥ ପାତ୍ରଙ୍କ ସ୍ବର ସଂଯୋଜିତ ବିଭିନ୍ନ ଗୀତ ଗାୟନ ଶ୍ରୋତାଙ୍କୁ ବିଳମ୍ବିତ ରାକି ଯାଏଁ ବାନ୍ଧି ରଖିଥିଲା। ବିଶିଷ୍ଟ ସମାଜସେବୀ ତଥା ରେଡିଓ ଜନବାଣୀର ପ୍ରତିଷ୍ଠାତା ଦୁର୍ଗାମାଧବ ପଣ୍ଡା , ଅବସରପ୍ରାପ୍ତ ଇଂଜିନିୟର ତଥା ସଂସ୍କୃତି ଇଂ.ଗିରିଜା ମିଶ୍ର , ବରିଷ୍ଠ ସାମ୍ବାଦିକ ତଥା ସଂସ୍କୃତି ପ୍ରେମୀ ରୂପେଶ କୁମାର ସାହୁ ଏବଂ ଆଦର୍ଶ ଦାସଙ୍କୁ ପାରଳା ସଂସ୍କୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।
ସମସ୍ତ କାର୍ଯ୍ୟକ୍ରମକୁ ଆବାହକ ଡ.ଚନ୍ଦନ ଗନ୍ତାୟତ ପରିଚାଳନା କରଥିବା ବେଳେ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।

0
0
0
s2sdefault