ଭୁବନେଶ୍ଵର: ସିନେ ଜଗତର ପ୍ରଖ୍ୟାତ ବ୍ୟକ୍ତିତ୍ୱ ପଦ୍ମଶ୍ରୀ ତଥା ଜଣାଶୁଣା ଭିନେତା, ନିର୍ମାତା, ନିର୍ଦ୍ଦେଶକ ସାଧୁ ମେହେର ଆଜି ୮୪ ବର୍ଷ ବୟସରେ ମୁମ୍ବାଇସ୍ଥିତ ବାସଭବନରେ ପରଲୋକ ଗମନ କରିଛନ୍ତି । ଉଭୟ ହିନ୍ଦୀ ଓ ଓଡ଼ିଆ ସିନେମାରେ ନିଜ ସଫଳତାର ସ୍ଵାକ୍ଷର ଛାଡି ଯାଇଥିବା ଶ୍ରୀ ମେହେର ଓଡ଼ିଶାର ସୋନପୁର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ | ମେହେର ପୁନେସ୍ଥିତ ଫିଲ୍ମ ଇନଷ୍ଟିଚ୍ୟୁଟ୍ ରେ ପାଠ ସାରିବା ପରେ ପ୍ରଥମେ ହିନ୍ଦୀ ଫିଲ୍ମରୁ କ୍ୟାରିୟର୍ ଆରମ୍ଭ କରିଥିଲେ । ୧୯୬୯ରେ ରିଲିଜ୍ ହୋଇଥିବା ମୃଣାଳ ସେନଙ୍କ ହିନ୍ଦୀ ଫିଲ୍ମ ଭୁବନେ ସୋମ ଥିଲା ତାଙ୍କର ପ୍ରଥମ ଫିଲ୍ମ । ୧୯୭୪ ଅଙ୍କୁର ସିନେମାରେ ତାଙ୍କର ଶ୍ରେଷ୍ଠ ଅଭିନୟ ପାଇଁ ସେ ଜାତୀୟ ଫିଲ୍ମ ପୁରସ୍କାର ପାଇଥିଲେ ।
ଶ୍ରୀ ମେହେରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପଦ୍ମଶ୍ରୀ ସାଧୁ ମେହେର ତାଙ୍କର ବଳିଷ୍ଠ ଅଭିନୟ ଓ ନିର୍ଦ୍ଦେଶନା ପାଇଁ ଓଡିଶା ସମେତ ଜାତୀୟ ସ୍ତରରେ ଜଣେ ପ୍ରଶଂସନୀୟ ବ୍ୟକ୍ତିତ୍ୱ ଥିଲେ । ଉଭୟ ହିନ୍ଦି ଓ ଓଡିଆ ଚଳଚ୍ଚିତ୍ରରେ ସେ ତାଙ୍କର ନିଖୁଣ ଅଭିନୟର ଛାପ ଛାଡି ଯାଇଛନ୍ତି। ସେ ହେଉଛନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରଥମ ଓଡିଆ ଅଭିନେତା। କଳା କ୍ଷେତ୍ରରେ ପାରଦର୍ଶିତା ପାଇଁ ଅନେକ ସମ୍ମାନ ଓ ପୁରସ୍କାରରେ ସେ ସମ୍ମାନିତ ହୋଇଛନ୍ତି। ତାଙ୍କ ବିୟୋଗ କଳା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି।
ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।







