ହେଡଲାଇନସ୍:

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ୪ରୁ କିଟରେ ଓଡ଼ିଆ କବି ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୧ । ୨: ଫେବୃଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥି ପାଇଁ ସାରା ରାଜ୍ୟ ଉତ୍ସବ ମୁଖରିତ। ବିଶ୍ୱର କୋଣ ଅନୁକୋଣରେ ଥିବା ସମସ୍ତ ଓଡ଼ିଆଙ୍କ ମଧ୍ୟରେ ଏହା ଅଭୂତପୂର୍ବ ଉତ୍ସାହ ସୃଷ୍ଟି କରିଛି। ଏହି ସମ୍ମିଳନୀ ଓଡ଼ିଆ ଅସ୍ମିତାର ପରିଚୟ ହେବ। ଶାସ୍ତ୍ରୀୟ ଭାଷା ଓଡ଼ିଆ କିଭଳି ଅଧିକ ଲୋକପ୍ରିୟ ହୋଇପାରିବ ତାହା ଏହି ସମ୍ମିଳନୀରେ ବିଷଦ ଭାବେ ଆଲୋଚନା ହେବ।

ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ କିଟ୍‍ର ମିଳିତ ଆନୁକୂଲ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟରେ ୪ ଓ ୫ ତାରିଖ ଦୁଇଦିନ ଧରି କବି ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୪ଶହ କବି ଯୋଗଦେବେ। କବି ସମ୍ମିଳନୀର ପ୍ରଥମ ଦିନରେ ‘ସାଂପ୍ରତିକ ସମୟରେ ଓଡ଼ିଆ କବିତାର ସ୍ଥିତି, ଗତି, ପ୍ରକୃତି ତଥା ପ୍ରଭାବ’ ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ପରେ ପଲ୍ଲୀ କବିତା, ଆଧୁନିକ କବିତା, ପ୍ରାଚୀନ କବିତା, ଗୀତି କବିତା ଓ ଦେଶାତ୍ମବୋଧକ କବିତା ଆଦି ଶୀର୍ଷକ ଉପରେ କବିମାନେ ସେମାନଙ୍କ ସ୍ୱରଚିତ କବିତା ଆବୃତି କରିବେ। ଏଥି ସହ ଚିତ୍ରକଳା, ବାଲୁକା କଳା, ନୃତ୍ୟ ଓ ସଂଗୀତ ମଧ୍ୟରେ କବିତାର ଆତ୍ମିକ ପରିବେଶ ସୃଷ୍ଟି କରାଯିବ। ଦ୍ୱିତୀୟ ଦିନରେ ଅନୁବାଦ ଅଧିବେଶନରେ ‘ଭାଷା, ସଂସ୍କୃତି, ଭାବଗତ ବିକାଶ ନିମନ୍ତେ କବିତାର ଅନୁବାଦଗତ ପ୍ରାସଂଗିକତା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏହା ସହ ଆମନ୍ତ୍ରିତ କବିମାନଙ୍କ କବିତା ସଂକଳନର ଲୋକାର୍ପଣ କରାଯିବ। ଏହା ବ୍ୟତୀତ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ବକ୍ତୃତା ପ୍ରଦାନର କାର୍ଯ୍ୟକ୍ରମ ରହିଛି। ଓଡ଼ିଆ କବି ସମ୍ମିଳନୀ ଆୟୋଜନ ପାଇଁ ରାଜ୍ୟ ସରକାର କିଟ୍‍କୁ ସୁଯୋଗ ଦେଇଥିବାରୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ମଳନୀ ଆୟୋଜନ କରାଯାଉଛି। ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା କବିମାନଙ୍କର ଯେଭଳି କୌଣସି ଅସୁବିଧା ନ ହୁଏ ସେଥିପାଇଁ ଯତ୍ନବାନ ରହିବାକୁ କିଟ୍‍ କର୍ତ୍ତୃପକ୍ଷଙ୍କୁ ଶ୍ରୀ ସାମନ୍ତ ପରାମର୍ଶ ଦେଇଛନ୍ତି।

0
0
0
s2sdefault