ହେଡଲାଇନସ୍:

ଅଭିନୟ ଯାଦୁରେ ମତୁଆଲା କଲା ଚଇତୁ.....

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରୟାସ ପ୍ରାୟୋଜିତ ନାଟକ ଚଇତୁ ମଞ୍ଚସ୍ଥ .......

ରାଉରକେଲା, (ବସନ୍ତ କୁମାର ଜେନା): ନାଟ୍ୟାନୁଷ୍ଠାନ ପ୍ରୟାସ ରାଉରକେଲା ପ୍ରାୟୋଜିତ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କୃତ ତଥା ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ନାଟ୍ୟକାର ଡ଼ଃ ନିବେଦିତା ଜେନା ଙ୍କ ରଚିତ ନାଟକ ଚଇତୁ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ମଞ୍ଚସ୍ଥ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଆରଏସପି ସହରସେବା ପ୍ରଶାସନ ର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ବାଇଁ, ଶିକ୍ଷାବିତ ପ୍ରଫେସର ଡ଼ଃ ସମର ମୁଦାଲି , ପ୍ରାକ୍ତନ ମହାପ୍ରବନ୍ଧକ ଅଭୟ କୁମାର ଦାସ ପ୍ରମୁଖ ଯୋଗଦେଇ ଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ନାଟକ ସାମାଜିକ ଚିତ୍ରର ପ୍ରତିଫଳନ ବୋଲି କହିବା ସହ ନାଟକ କେବଳ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ଏଥିରେ ଥିବା ସାମାଜିକ ମୂଲ୍ୟବୋଧ ଓ ଦର୍ଶନ ସୁଦୂର ପ୍ରସାରୀ ବୋଲି ମତ ବ୍ୟକ୍ତ କରିଥିଲେ। ନାଟକର ବିଷୟ ବସ୍ତୁ ହେଲା ଇଶ୍ଵର ସୃଷ୍ଟି କରିଥିବା ମଣିଷ ଜାତି ସ୍ବାର୍ଥ ପାଇଁ ନିଜ ନିଜ ଭିତରେ ବିଭେଦ ସୃଷ୍ଟି କରି ମଣିଷ ପଣିଆ ଭୁଲି ଉଚ୍ଚ ନୀଚ୍ଚ ଭାବ ସୃଷ୍ଟି କରୁଛି। ଆଉ ସେ ନୀଚ୍ଚ ବା ତଳ ପାହାଚର ଚରିତ୍ର ଚଇତୁ ଖୋଜେ ନିରୋଳା ଭଲପାଇବା। ନିଜକୁ ସମାଜରେ ଜଣେକରି ଗଢିତୋଳିବା ପାଇଁ ଚେଷ୍ଟାକରୁଥିବା ଚଇତୁ ପ୍ରେମ ବଦଳରେ ପାଏ ଛଳନା, ପ୍ରତାରଣା। ଆଉ ସେ ଅଣନିଃଶ୍ବାସୀ ହୋଇପଡ଼େ ପ୍ରଚଳିତ ସାମାଜିକ ବ୍ୟବସ୍ଥାରେ। ପୁଣି ଥରେ ଚଇତୁ ବୀତସ୍ପୃହ ହୋଇ ଫେରିଯାଏ ନିଜର ଅଳିଆ ନର୍ଦ୍ଦମା ର ଦୁନିଆକୁ। ତେଣୁ ଏଭଳି ସ୍ଥିତିରେ ଆମର କର୍ତ୍ତବ୍ୟ କଣ ହେବା ଦରକାର ବୋଲି ନାଟ୍ୟକାର ନାଟକ ମାଧ୍ୟମରେ ଦର୍ଶାଇଛନ୍ତି। ଚଇତୁ ନାଟକରେ ବିଭିନ୍ନ ଭୂମିକାରେ ସର୍ବଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ, ଗଙ୍ଗାଧର ରାଉତ, ରାଜେଶ ରାୟ, ଅଭିଳାଷ ସାହୁ, ସରୋଜିନୀ ସ୍ବାଇଁ, ଅନିଲ ମଲ୍ଲିକ, ରମେଶ ଚନ୍ଦ୍ର ସାହୁ, ସନ୍ତୋଷିନୀ ବାରିକ, ପୂଜା ସେନାପତି, ଜନ୍ମଜୟ ମହାନ୍ତି, ଲକ୍ଷ୍ମୀନାରାୟଣ ପ୍ରଧାନ, ସଂଜୀବ ସାହୁ,ଅମିତରାଜ ଚୌଧୁରୀ, ଶିବାନୀ ମହାନ୍ତି ପ୍ରମୁଖ ଅଭିନୟ କରିଥିବାବେଳେ ନାଟକକୁ ନିର୍ଦ୍ଦେଶନା ପ୍ରଫୁଲ୍ଲ ଚନ୍ଦ୍ର ସେଠୀ, ସଙ୍ଗୀତ ନିର୍ଦ୍ଦେଶନା ସୁଶାନ୍ତ କୁମାର ଦଳେଇ, ଆଲୋକ ରେ ଅଶୋକ ନାୟକ, ମଞ୍ଚସଜ୍ଜାରେ ଉମାକାନ୍ତ ବିଶୋଇ, ଭୀଷ୍ମ ଓ ସହଯୋଗୀ ଭାବେ ଅକ୍ଷୟ ମହାନ୍ତି,ଶିବ ମହାରଣା, ସୋନୁ ନାୟକ,ଦିନେଶ ନନ୍ଦ, ନବକୃଷ୍ଣ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।
ପ୍ରଥମ ପର୍ଯ୍ୟାୟରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ତରଫରୁ ଏକ ଆଲୋଚନାଚକ୍ର 'ନାଟକ ଓ ସମାଜ ସଚେତନତା ' ଅନୁଷ୍ଠିତ ହୋଇଥିଲା। ଡଃ ନିବେଦିତା ଜେନାଙ୍କ ଆବାହକତ୍ଵ ରେ ଆୟୋଜିତ ଏହି ଆଲୋଚନାଚକ୍ରରେ ବରିଷ୍ଠ ପ୍ରାଧ୍ୟାପକ ପାରେଶ୍ବର ବିଶ୍ବାଳ,ଡ଼ଃ ପ୍ରଭାତ କୁମାର ମଲ୍ଲିକ, ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର ଓ ପ୍ରଫୁଲ୍ଲ ଚନ୍ଦ୍ର ସେଠୀ ଯୋଗଦେଇ ଆଲୋଚ୍ୟ ବିଷୟ ସମ୍ପର୍କରେ ମତ ରଖିଥିଲେ। ଆଲୋଚକ ମାନେ ବକ୍ତବ୍ୟରେ କହିଲେ ଯେ ନାଟକ ଏକ ଦୃଶ୍ୟ କାବ୍ୟ। ଜଣେ ନିରକ୍ଷର ହେଲେ ବି ନାଟକ ଦେଖି ନିଜକୁ ମଜ୍ଜାଇ ଉପଭୋଗ କରିପାରେ। ନାଟକ ସାମାଜିକ ଚିତ୍ରର ପ୍ରତିଫଳନ କରିଥାଏ। ସମାଜ ସଂସ୍କାର ନାଟକ ମାଧ୍ୟମରେ ଆସିଥାଏ। ଆଜି ଆମେ ଯେତେ ପ୍ରକାରର ମନୋରଞ୍ଜନ କରୁଛୁ ତା'ର ମୂଳ ଉତ୍ସ ହେଉଛି ନାଟକ। ଏହି ଆଲୋଚନାଚକ୍ରରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଚତୁର୍ମାସିକ ନାଟ୍ୟ ସ୍ମରଣିକା ପୂର୍ବରଙ୍ଗ କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ପ୍ରାରମ୍ଭରେ ବିଭିନ୍ନ ଅନୁଷ୍ଠାନର ନୃତ୍ୟ ଶିଳ୍ପୀଙ୍କ ଦ୍ବାରା ନୃତ୍ୟ ପରିବେଷଣ କରାଯାଇଥିଲା।

0
0
0
s2sdefault