ଅଣଦେଖା ହୋଇ ପଡ଼ିଛି ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ପ୍ରକଳ୍ପ
ଢ଼େଙ୍କାନାଳ / ରବିନ୍ ଦାସ ; ବର୍ତ୍ତମାନ ରାଜ୍ୟ ସରକାର ଯୋଜନା ପରେ ଯୋଜନା ପ୍ରସ୍ତୁତ କରି ଜନସାଧାରଣଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସମସ୍ତ ଯୋଜନା ମଧ୍ୟରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ହେଉଛି ଅନ୍ୟତମ । ଏହି ଯୋଜନାରେ ନିର୍ମାଣ ହେଉଥିବା ପ୍ରକଳ୍ପ କାର୍ଯ୍ୟ ପାଇଁ ଠିକାଦାର ବଦଳରେ ପ୍ରତ୍ୟେକ ସ୍ବୟଂ ସହାୟକ ଗୋଷ୍ଠୀକୁ ନିୟୋଜିତ କରାଯାଉଛି । ବିନା ସୁଧରେ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୠଣ ପ୍ରଦାନ କରାଯାଇ ମହିଳା ମାନଙ୍କୁ କର୍ମ ତତ୍ପର କରିବା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ । ରାଜ୍ୟରେ ଅନେକ ସ୍ବୟଂ ସହାୟକ ଗୋଷ୍ଠୀ ଏହା ଦ୍ବାରା ଉପକୃତ ହେଉଥିବା ସରକାର ଦୃଢୋକ୍ତି ପ୍ରକାଶ କରୁଛନ୍ତି । କିନ୍ତୁ ପ୍ରକଳ୍ପ ନିର୍ମାଣ ଓ କାର୍ଯ୍ୟକ୍ଷମ ଉପରେ ସରକାରଙ୍କ ଦୃଷ୍ଟି ନପଡିବାରୁ ଅନେକ ପ୍ରକଳ୍ପ ଅବ୍ୟବହୃତ ଅବସ୍ଥାରେ ପଡ଼ି ରହୁଛି । ଭୁବନ ଥାନା ନିକଟରେ ଏହି " ମୁକ୍ତା " ଯୋଜନାରେ ନିର୍ମାଣ ହୋଇଥିବା ଏକ ପରିସ୍ରାଗାର ଦୀର୍ଘଦିନ ହେବ ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଛି । ବ୍ୟବହାର କରିବା ପାଇଁ ଯାହା ସବୁ ସାମଗ୍ରୀ ଆବଶ୍ୟକ ସେଠାରେ ଲଗାଯାଇଛି ହେଲେ ସବୁଦିନ ବାହାରୁ ତାଲା ଝୁଲୁଛି । ଦୁଇ ଲକ୍ଷ ଛଅସ୍ତୋରି ହଜାର ଚାରିଶହ ଟଙ୍କାର ଏହି ପ୍ରକଳ୍ପ ଥାଇ ନଥିଲା ଭଳି ମନେ ହେଉଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି ।
ସେହିପରି ତା'ର ପାର୍ଶ୍ଵରେ ଏକ ପାନୀୟ ଜଳ ପ୍ରକଳ୍ପ ମଧ୍ୟ ନିର୍ମାଣ ହୋଇଛି କିନ୍ତୁ ଏହାର ଫଳକ ନଥିବାରୁ ପ୍ରକଳ୍ପ ସମ୍ପର୍କରେ ବିଶେଷ କିଛି ଜଣାପଡୁ ନାହିଁ । ତେବେ ପ୍ରକଳ୍ପକୁ ଦେଖିବାରୁ ଏହା ପାଖାପାଖି ସାଢ଼େ ତିନି ଲକ୍ଷ ଟଙ୍କାର ହୋଇଥିବ ବୋଲି ଅନୁମାନ କରାଯାଉଛି । ଥାନାକୁ ଆସୁଥିବା ଜନସାଧାରଣଙ୍କ କହିବାନୁଯାୟୀ ଏହି ପ୍ରକଳ୍ପ ନିର୍ମାଣ ହେବାର ମାତ୍ର କିଛି ଦିନ କାର୍ଯ୍ୟକ୍ଷମ ଥିଲା କିନ୍ତୁ ଏବେ ଠପ୍ ହୋଇଯାଇଛି । ବହୁତ ଭଲ ପାନୀୟଜଳ ଯୋଗାଉଥିବା ଏହି ପ୍ରକଳ୍ପ ଦୀର୍ଘ ଦିନ ଧରି ଅଚଳ ହେବାରୁ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରକଳ୍ପ ଥିବ ହେଲେ ତାହା କାର୍ଯ୍ୟରେ ଆସୁନଥିବ, ଇଏ କେମିତିକା ବିକାଶ ବୋଲି ମଧ୍ୟ ଅନେକ ମତ ବ୍ୟକ୍ତ କରିଛନ୍ତି । ସ୍ଥାନୀୟ ପ୍ରଶାସନ ଓ ଥାନାଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ଏହି ଦୁଇ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହୋଇଛି ।







