ହେଡଲାଇନସ୍:

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଜିଲ୍ଲାପାଳଙ୍କ ପ୍ରାକ୍-ବନ୍ୟା ପ୍ରସ୍ତୁତି ସମୀକ୍ଷା

  • ବିପର୍ଯ୍ୟୟ ପରେ ପରେ ବିଦ୍ୟୁତ ସେବା, ଟେଲିଯୋଗାଯୋଗ ଏବଂ ଅତ୍ୟାବଶ୍ୟକୀୟ ରାସ୍ତାଘାଟର ତୁରନ୍ତ ମରାମତି ଓ ପୁନରୁଦ୍ଧାର ପାଇଁ ପ୍ରସ୍ତୁତ ରୁହ- ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ

  • -ବନ୍ୟା ଆଶ୍ରୟସ୍ଥଳୀରେ ଆଲୋକ, ପାନୀୟ ଜଳ ଓ ଶୌଚାଳୟ ବ୍ୟବସ୍ଥାର ସମୀକ୍ଷା ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ଥିତ ଅଡିଟରୀୟମ ହଲ ଠାରେ ଆଜି ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୃତ୍ୟୁଞ୍ଜୟ ସବରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ବୈଠକରେ ମାନ୍ୟବର ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିନିଧି ନଭଲ ଅଗ୍ରୱାଲ, ମାନ୍ୟବର ସାଂସଦଙ୍କ ପ୍ରତିନିଧି ରାମହରି ପୂଜାରୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜେମ୍ସ ସମଦ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଲଳିତ ସୋରେଙ୍ଗ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ଵ ରଞ୍ଜନ ନାୟକ, ଉପ ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ଓ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ପ୍ରବଳ ବର୍ଷା, ବନ୍ୟା ଓ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବିଭାଗକୁ ସଜାଗ ଓ ପ୍ରସ୍ତୁତ ରହିବାକୁ ବୈଠକରେ ପରାମର୍ଶ ଦିଆଯାଇଛି।

ବିଶେଷ କରି ମୌସୁମୀ ପ୍ରବାହ ପୂର୍ବରୁ କୃଷି ବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ବିହନ, ସାର ଏବଂ କୀଟନାଶକ ଔଷଧ ଗଚ୍ଛିତ ରଖିବା ସହ ଶକ୍ତି ବିଭାଗକୁ ତୁରନ୍ତ ମରାମତି ପାଇଁ ଆବଶ୍ୟକୀୟ ସରଞ୍ଜାମ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଏହା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ଥିବାରୁ ମୌସୁମୀ ବର୍ଷା ଯଥେଷ୍ଟ ପୂର୍ବରୁ ଦୁର୍ଗମ ଅଞ୍ଚଳଗୁଡ଼ିକରେ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଓ କିରୋସିନି ମହଜୁଦ ରଖିବାକୁ ଜିଲ୍ଲା ଖାଦ୍ୟ ଯୋଗାଣ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ସେବାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସବ୍-ଡିଭିଜନାଲ ହସ୍ପିଟାଲ ଏବଂ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ଜୀବନ ରକ୍ଷାକାରୀ ଔଷଧ, ଓଆରଏସ୍ ଏବଂ ସାପ କାମୁଡ଼ା ଇଞ୍ଜେକସନ ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ ରଖିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପରାମର୍ଶ ଦିଆଯାଇଛି।

ଏଥିସହ ଜିଲ୍ଲାପାଳ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ପୌରପାଳିକାର ନିର୍ବାହୀ ଅଧିକାରୀ ମାନଙ୍କ ସହ ଆଗାମୀ ମୌସୁମୀ ଋତୁ ପାଇଁ ପ୍ରାକ୍-ବନ୍ୟା ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ବିପର୍ଯ୍ୟୟ ସମୟରେ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଜିଲ୍ଲାପାଳ ସମସ୍ତ ବିଭାଗକୁ ସମ୍ପୂର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ବିଶେଷ କରି ତାଲିମପ୍ରାପ୍ତ କର୍ମଚାରୀଙ୍କ ଦ୍ୱାରା ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷକୁ ସକ୍ରିୟ କରିବା, ଏବଂ ଦୈନିକ ସ୍ଥିତି ରିପୋର୍ଟ ପ୍ରଦାନ କରିବା ପାଣିପାଗ ସୂଚନା ଓ ଚେତାବନୀକୁ ତୃଣମୂଳ ସ୍ତରରେ ବ୍ୟାପକ ପ୍ରଚାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହା ସହିତ ଦୁର୍ଗମ ଏବଂ ବିପଦସଙ୍କୁଳ ଅଞ୍ଚଳଗୁଡ଼ିକରେ ବନ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରିବା ସହ ସେଠାରେ ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟ ଏବଂ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଛି।

ଏଥିସହ ଜିଲ୍ଲାପାଳ ଜଳବନ୍ଦୀ ବା ତଳିଆ ଅଞ୍ଚଳଗୁଡ଼ିକରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସ୍ପଷ୍ଟ ସ୍ଥାନାନ୍ତରଣ ଯୋଜନା ଏବଂ ଗମନାଗମନର ବିକଳ୍ପ ମାର୍ଗ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ସମୟରେ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ ଓ ଏନଡିଆରଏଫ ଦଳର ମୁତୟନ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ପଞ୍ଚାୟତରାଜ ପ୍ରତିନିଧିମାନଙ୍କ ସହ ସମନ୍ୱୟ ରକ୍ଷା କରିବା ପାଇଁ ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି। ବନ୍ୟାଜଳ ପ୍ରବାହିତ ହେଉଥିବା ରାସ୍ତା କିମ୍ବା ବ୍ରିଜ୍‌ଗୁଡ଼ିକରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ସେଠାରେ ବାରିକେଡ୍ ଏବଂ ସୂଚନା ଫଳକ ଲଗାଇବାକୁ ବିଡିଓ ଏବଂ ପୌରପାଳିକା ଅଧିକାରୀମାନଙ୍କୁ ସତର୍କ କରାଇ ଦିଆଯାଇଛି। ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ବିଦ୍ୟୁତ, ଯୋଗାଯୋଗ ଓ ରାସ୍ତାଘାଟର ତୁରନ୍ତ ପୁନରୁଦ୍ଧାର ଏବଂ କ୍ଷୟକ୍ଷତିର ସଠିକ୍ ଆକଳନ ପାଇଁ ସ୍ୱତନ୍ତ୍ର ଦଳକୁ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା କିମ୍ବା ବନ୍ୟା ପରିସ୍ଥିତିକୁ ଏକ ଅତି ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାବେ ଗ୍ରହଣ କରି ପ୍ରତ୍ୟେକ ବିଭାଗ ନିଜ ନିଜର ଦାୟିତ୍ୱ ସୂଚାରୁରୂପେ ସମ୍ପାଦନ କରିବାକୁ ଏହି ସମୀକ୍ଷା ବୈଠକରେ ଆହ୍ୱାନ ଦିଆଯାଇଛି।

ଏହି ସମୀକ୍ଷା ବୈଠକରେ କୃଷି, ଶକ୍ତି, ପ୍ରାଣୀ ସମ୍ପଦ, ମତ୍ସ୍ୟ, ସ୍ୱାସ୍ଥ୍ୟ, ଜନସ୍ୱାସ୍ଥ୍ୟ, ପୌରପରିଷଦ, ଜଙ୍ଗଲ, ପଞ୍ଚାୟତରାଜ, ଗ୍ରାମ୍ୟ ଉନ୍ନୟନ, ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଦଳର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ବିପର୍ଯ୍ୟୟ ପରିଚାଳନାକୁ ସୂଚାରୁରୂପେ ସମ୍ପାଦନ କରିବା ପାଇଁ ଆଲୋଚନା କରିଥିଲେ।

0
0
0
s2sdefault