ଓଡ଼ଗାଁ, ୧୯।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ବହୁଚର୍ଚ୍ଚିତ ଅଜିତ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଆଉ ଦୁଇଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ମଙ୍ଗଳବାର ସେମାନଙ୍କୁ ପୋଲିସ ହେପାଜତକୁ ଆଣି ପଚରାଉଚରା କରାଯାଇଥିବା ବେଳେ, ଘଟଣା ସମ୍ପର୍କିତ ଅଧିକ ପ୍ରମାଣ ସଂଗ୍ରହ କାମ ଜାରି ରହିଛି। ଆବଶ୍ୟକ ଆଇନଗତ ପ୍ରକ୍ରିୟା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଓଡ଼ଗାଁ ଥାନା ରୋହିବାଙ୍କ ଗ୍ରାମର ଜଗନ୍ନାଥ ପଣ୍ଡା (୨୬) ଏବଂ କୋମଣ୍ଡ ମକରପଦାର କୁଲୁ ଓରଫ ରବୀନ୍ଦ୍ର ଭଟ୍ଟ (୩୫)।
ଉଲ୍ଲେଖଯୋଗ୍ୟ ଯେ, ଏହି ହତ୍ୟାକାଣ୍ଡ ସମ୍ପର୍କରେ ଓଡ଼ଗାଁ ଥାନାରେ ରୁଜୁ ହୋଇଥିବା ମାମଲା ନମ୍ବର ୧୨୩/୨୦୨୬ ଅନୁସାରେ, ଗତ ୧୩ ତାରିଖରେ ପୋଲିସ ଚାରିଜଣ ଅଭିଯୁକ୍ତ— ରୋହିବାଙ୍କ ଧୋବାସାହିର ମହନ୍ତ ନାୟକ, ବାରିସାହିର ମାନସ ବେହେରା, ଖଣ୍ଡପଡ଼ା ଚଉପଲୀର କାର ଚାଳକ ନରେଶ ବିଶୋଇ ଏବଂ ଓଡ଼ଗାଁର ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ଖାରଜ ହେବା ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ମୋଟ ୬ ଜଣ ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଛନ୍ତି। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ ଗାଡ଼ି ଏବଂ ତଲୱାର ମଧ୍ୟ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ପ୍ରକାଶ ଥାଉକି, ଗତ ୧୧ ତାରିଖ ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ଅଜିତ ଓ ତାଙ୍କ ସହଯୋଗୀ ସନ୍ତୋଷ ପ୍ରଧାନ ବେଆଇନ ମାଙ୍କଡ଼ା ପଥର ଚୋରା ଚାଲାଣ କରୁଥିବା ଏକ ୪୦୭ ମିନି ଟ୍ରକକୁ ଅଟକାଇ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଗାଡ଼ି ମାଲିକ ପୂର୍ଣ୍ଣଚନ୍ଦ୍ର ନାୟକ କାରରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଜିତ, ସନ୍ତୋଷ ଓ ପୂର୍ଣ୍ଣଚନ୍ଦ୍ରଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିବା ବେଳେ ଏକ ବୋଲେରୋରେ ଅନ୍ୟ ଅଭିଯୁକ୍ତ ମାନେ ସେଠାକୁ ଆସିଥିଲେ। ପରେ ଯୁକ୍ତିତର୍କ ତୀବ୍ର ରୂପ ନେଇଥିଲା। ଅଭିଯୁକ୍ତ ମହନ୍ତ ନାୟକ ଅଜିତକୁ ଧରି ରଖିଥିବା ବେଳେ ମାନସ ବେହେରା ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ଅଜିତଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ତଦନ୍ତ ଏବଂ ଅଭିଯୁକ୍ତଙ୍କ ବୟାନ ଅନୁସାରେ, ବେଆଇନ ପଥର ଚାଲାଣକାରୀଙ୍କ ଉପରେ ଅଜିତ ଚାପ ସୃଷ୍ଟି କରିବା ସହ ଟଙ୍କା ଦାବି କରୁଥିବାରୁ ସେମାନେ ଅତିଷ୍ଠ ହୋଇପଡ଼ିଥିଲେ। ଘଟଣାଦିନ ସୁଯୋଗ ପାଇ ସେମାନେ ପ୍ରତିଶୋଧମୂଳକ ଭାବେ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ସୂଚନା ଦେଇଛି।
ରାଜ୍ୟ
ଓଡ଼ଗାଁ ଅଜିତ ହତ୍ୟାକାଣ୍ଡରେ ଆଉ ୨ ଅଭିଯୁକ୍ତ ଗିରଫ
- Hits: 141







