କେନ୍ଦୁଝର, ୧୯ ମଇ: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କେନ୍ଦୁଝରଠାରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (ଏସ ଆଇ ଆର) ସମ୍ବନ୍ଧୀୟ ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଵିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ମିନି କନଫରେନ୍ସ ହଲଠାରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ଜିଲ୍ଲାରେ ଏସ.ଆଇ.ଆର ପ୍ରକ୍ରିୟାକୁ ସୁଚାରୁରୂପେ ପରିଚାଳନା କରିବା ଏବଂ ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ ତଥା ତ୍ରୁଟିଶୂନ୍ୟ କରିବା ନେଇ ଆଲୋଚନା କରାଯାଇଥିଲା ।
ବୈଠକରେ ଜିଲ୍ଲାପାଳ ଏସ.ଆଇ.ଆର. ପ୍ରକ୍ରିୟାର ବିଭିନ୍ନ ବୈଷୟିକ ଓ ପ୍ରଶାସନିକ ଦିଗ ଉପରେ ଆଲୋକପାତ କରିଥିଲେ। ଏକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ନାମ ସାମିଲ କରିବା ଏବଂ ସାମଗ୍ରିକ ଭୋଟର ତାଲିକାର ଶୁଦ୍ଧତା ବଜାୟ ରଖିବାରେ ରାଜନୈତିକ ଦଳଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ କରିଥିଲେ ।
ଏଥିସହିତ ପ୍ରତିଟି ମତଦାତା କେନ୍ଦ୍ର ଗୁଡିକରେ ବୁଥ୍ ସ୍ତରୀୟ ଏଜେଣ୍ଟ (ବିଏଲଏ) ନିଯୁକ୍ତି କରି ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବାକୁ ସେ ଦଳଗୁଡ଼ିକର ପ୍ରତିନିଧି ମାନଙ୍କୁ ନିବେଦନ କରିଥିଲେ ।
ଆଲୋଚନା ସମୟରେ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧିମାନେ ଏସ.ଆଇ.ଆର. କାର୍ଯ୍ୟକ୍ରମକୁ ନେଇ ନିଜ ନିଜର ମତାମତ ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ନୂତନ ଭୋଟରଙ୍କ ପଞ୍ଜୀକରଣ, ପ୍ରବାସୀ ଭୋଟରଙ୍କ ସମସ୍ୟା ଏବଂ ତାଲିକାରୁ ମୃତ ଓ ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ଭଳି ପ୍ରସଙ୍ଗରେ ଦଳଗୁଡ଼ିକ ପକ୍ଷରୁ ଗଠନମୂଳକ ଆଲୋଚନା କରାଯାଇଥିଲା ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ମନ୍ଦରଧର ମହାଳିକ, ଉପଜିଲ୍ଲାପାଳ କେନ୍ଦୁଝର ଉମାଶଙ୍କର ଦଳାଇ, ଅତିରିକ୍ତ ଉପଜିଲ୍ଳାପାଳ ପୁନମ ବିନିତା ବାଗେ, ଡେପୁଟି ଜଲେକ୍ଟର( ନିର୍ବାଚନ) ଅରୁଣିମା ସାହୁ, ଦୀନେଶ ପୂର୍ତ୍ତି, ମିତାଲି ମଧୁସ୍ମିତା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ, ସହକାରୀ ଜିଲ୍ଲାପାଳ ସନ୍ତୋଷ କୁମାର ପରିଡ଼ା, ଭାରତୀୟ ଜନତା ପାର୍ଟିର ଶ୍ରୀ ପ୍ରକାଶ ସୂତ୍ରଧର, ବିଜୁ ଜନତା ଦଳର ଶ୍ରୀ ପ୍ରମୋଦ ପଟ୍ଟନାୟକ, ଭାରତୀୟ ଜାତୀୟ କଂଗ୍ରେସର ଶ୍ରୀ ସୁଢଳ କୁମାର ସେଠୀ, ଆମ ଆଦମୀ ପାର୍ଟିର ଶ୍ରୀ ଭବାନୀଶଙ୍କର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।







