୫ ଘଣ୍ଟାରୁ ଅଧିକ ସମୟ ଅନ୍ଧାରରେ ଓଡ଼ଗାଁ–ଶରଣକୁଳ ଅଞ୍ଚଳ
ଓଡ଼ଗାଁ, ୧୯।୫ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଓ ଶରଣକୁଳ ଅଞ୍ଚଳରେ ବିଦ୍ୟୁତ୍ ବିଭ୍ରାଟ ଏବେ ନିତିଦିନିଆ ସମସ୍ୟାରେ ପରିଣତ ହୋଇଛି। କେବେ କାଳବୈଶାଖୀ ବର୍ଷା ଓ ପବନ ଯୋଗୁଁ ତ ଆଉ କେବେ କୌଣସି ଆକସ୍ମିକ କାରଣ ବିନା ଦୀର୍ଘ ସମୟ ଧରି ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହେଉଥିବାରୁ ଉପଭୋକ୍ତାଙ୍କ ଅସନ୍ତୋଷ ବଢ଼ିଚାଲିଛି। ମଙ୍ଗଳବାର ଅପରାହ୍ନ ପ୍ରାୟ ୫ଟା ପରେ କାଳବୈଶାଖୀ ବର୍ଷା ଓ ଜୋର ପବନର ପ୍ରଭାବରେ ମଗର ବନ୍ଧ ଓ ଶରଣକୁଳ ଅଞ୍ଚଳରେ ବଡ଼ ବଡ଼ ଗଛ ଭାଙ୍ଗି ୩୩ କେଭି ବିଦ୍ୟୁତ୍ ଲାଇନ ଉପରେ ପଡ଼ିଥିଲା। ଫଳରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇ ଖବର ଲେଖାଯିବା ପର୍ଯ୍ୟନ୍ତ ଓଡ଼ଗାଁ ଓ ଶରଣକୁଳ ଅଞ୍ଚଳ ଦୀର୍ଘ ୫ ଘଣ୍ଟାରୁ ଅଧିକ ସମୟ ଧରି ଅନ୍ଧାରରେ ରହିଥିଲା। ଅନ୍ୟପଟେ କେତେକ କର୍ମଚାରୀ ନିଜ ଦାବି ନେଇ ଆନ୍ଦୋଳନରେ ସାମିଲ ହୋଇଥିବାରୁ ମରାମତି କାର୍ଯ୍ୟ ବିଳମ୍ବ ହେବାର ସମ୍ଭାବନା ମଧ୍ୟ ଦେଖାଦେଇଛି। ଅଗ୍ନିଶମ ବାହିନୀ ପହଞ୍ଚି ଭଙ୍ଗା ବୃକ୍ଷ ଗୁଡ଼ିକୁ କାଟି ସଫାକରୁ ଥିବା ବେଳେ କମ୍ ସଂଖ୍ୟକ କର୍ମଚାରୀଙ୍କ ଦ୍ୱାରା ମରାମତି କାମ ଚାଲିଥିବା ବେଳେ ବିଦ୍ୟୁତ୍ ସଂଯୋଗ କେବେ ସ୍ୱାଭାବିକ ହେବ ସେନେଇ ଅନିଶ୍ଚିତତା ରହିଛି। ଏହା ପୂର୍ବରୁ ମଧ୍ୟ ଗତ ଶନିବାର କୌଣସି ବର୍ଷା, ପବନ କିମ୍ବା ଆକସ୍ମିକ ଘଟଣା ନଥିଲେ ସୁଦ୍ଧା ପ୍ରାୟ ୭ ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ୍ ବିଭ୍ରାଟ ଘଟିଥିଲା। ଏପରି ଘଟଣା ପୁନରାବୃତ୍ତି ହେଉଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ପରିବେଶ ମଧ୍ୟରେ ଫ୍ୟାନ, ଆଲୋକ ଓ ପାନୀୟ ଜଳ ସହିତ ଜଡିତ ବିଭିନ୍ନ ଆବଶ୍ୟକ ସେବା ବାଧାପ୍ରାପ୍ତ ହେଉଛି। ଦୀର୍ଘ ସମୟ ବିଦ୍ୟୁତ୍ ନଥିବାରୁ ଇନଭର୍ଟରର ଚାର୍ଜ ମଧ୍ୟ ଶେଷ ହୋଇଯାଉଥିବାରୁ ଲୋକେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ବର୍ଷବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ ସ୍ଥାୟୀ ସମାଧାନ ନେଇ ପ୍ରଶାସନ କିମ୍ବା ଅଞ୍ଚଳବାସୀଙ୍କ ପକ୍ଷରୁ ଦୃଢ଼ ପଦକ୍ଷେପ ଦେଖାଯାଇନାହିଁ। କେତେକ ସଚେତନ ଉପଭୋକ୍ତା ସାମାଜିକ ଗଣମାଧ୍ୟମରେ ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ପରବର୍ତ୍ତୀ ସମୟରେ ସମସ୍ୟାକୁ ଭୁଲିଯାଉଥିବା ଚର୍ଚ୍ଚା ହେଉଛି।
ଓଡ଼ଗାଁରେ ବିଦ୍ୟୁତ୍ ବିଭ୍ରାଟର ସ୍ଥାୟୀ ସମାଧାନ ପାଇଁ ସ୍ୱତନ୍ତ୍ର ଗ୍ରିଡ୍ ପ୍ରତିଷ୍ଠା ଦାବିରେ ଅଞ୍ଚଳବାସୀ କେବେ ଏକତ୍ରିତ ହେବେ, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ନଚେତ୍ ଏଭଳି ଦୀର୍ଘକାଳୀନ ବିଦ୍ୟୁତ୍ ବିଭ୍ରାଟ ଓଡ଼ଗାଁବାସୀଙ୍କ ଚିରସହଚର ହୋଇ ରହିଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।







