ମୁମ୍ବଇ : ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବଂଶୀ ବାଦକ ତଥା ସଂଗୀତ ନିର୍ଦ୍ଦେଶକ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କୁ ସମ୍ମାନଜନକ ଆଦିତ୍ୟ ବିକ୍ରମ ବିର୍ଲା କଳା ଶିଖର ପୁରସ୍କାର ପ୍ରଦାନ କରାଯାଇଛି | ଚଳିତ ମାସ ୨୩ ତାରିଖରେ ୨୭ତମ ସଂଗୀତ କଳା କେନ୍ଦ୍ର ପୁରସ୍କାର ସମାରୋହ ଅବସରରେ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ଚୌରାସିଆଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନରେ ଭୂଷିତ କରାଯାଇଛି । ଏହି ଭବ୍ୟ ସମାରୋହରେ ଉଦ୍ବୋଧନ ଦେଇ ସଂଗୀତ କଳା କଳା କେନ୍ଦ୍ରର ପ୍ରେସିଡେଣ୍ଟ ଶ୍ରୀମତୀ ରାଜଶ୍ରୀ ବିର୍ଲା ତାଙ୍କର ସ୍ୱାଗତ ଅଭିଭାଷଣରେ ସଂଗୀତ କଳା କେନ୍ଦ୍ରର ଉତ୍ପତ୍ତି ସମ୍ପର୍କରେ ଆଲୋକପାତ କରିଥିଲେ । ଶ୍ରୀମତୀ ବିର୍ଲା ଉଲ୍ଲେଖ କରିଥିଲେ ଯେ ଶ୍ରୀ ଆଦିତ୍ୟ ବିର୍ଲା ଏହାକୁ ବୈଶ୍ୱିକ ମଞ୍ଚରେ ପ୍ରୋତ୍ସାହିତ କରି କେବଳ ରାଷ୍ଟ୍ର ପାଇଁ ଅନନ୍ୟ ଅବଦାନ ରଖିନଥିଲେ, ତାହାସହିତ ଏହି ପ୍ରଦର୍ଶନକାରୀ କଳା ପ୍ରତି ତାଙ୍କର ଗରିମାମୟ ପୃଷ୍ଠପୋଷକତା ରହିଥିଲା । ସେଥିପାଇଁ ୫୦ ବର୍ଷ ତଳେ ସଂଗୀତ କଳା କେନ୍ଦ୍ର (ଏସ୍କେକେ) ଜନ୍ମ ନେଇଥିଲା ।
ସଂଗୀତ ପ୍ରତି ସ୍ୱର୍ଗତ ଆଦିତ୍ୟ ବିର୍ଲାଙ୍କର ନିଜ ଏମ୍ଆଇଟି ଦିନଗୁଡିକରୁ ସୃଷ୍ଟି ହୋଇଥିବା ଭଲପାଇବାର ଝଲକ ପ୍ରଦାନ କରି ଶ୍ରୀମତୀ ବିର୍ଲା ଉଲ୍ଲେଖ କରିଥିଲେ ଯେ ତକ୍ରାଳୀନ ଆମେରିକୀୟ ଗାୟକ ହାରୀ ବେଲାଫୋଣ୍ଟେ ତାଙ୍କର ହିରୋ ଥିଲେ । ତାଙ୍କର ବିବିଧତାକୁ ସେ ଆଦର୍ଶ ଭାବରେ ଗ୍ରହଣ କରିଥିଲେ । ବିଶ୍ରାମ ସମୟରେ ତାଙ୍କର ପ୍ରିୟ ବାଦ୍ୟଯନ୍ତ୍ର ଥିଲା ଗିଟାର୍ । ତେଣୁ ସେ ଯେତେବେଳେ ସଂଗୀତ କଳା କେନ୍ଦ୍ରର ପରିକଳ୍ପନା କଲେ, ସେତେବେଳେ ସେ ସ୍ଥିର କରିଥିଲେ ଯେ ଯନ୍ତ୍ର ସଂଗୀତ ଏହାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବ । ଚଳିତ ବର୍ଷ ଯନ୍ତ୍ର ସଂଗୀତ ଏସ୍କେକେ ପୁରସ୍କାରର ବିଷୟବସ୍ତୁ ହୋଇଛି ।
ସଂଗୀତ କଳା କେନ୍ଦ୍ର ଶ୍ରୀ ଆଦିତ୍ୟ ବିର୍ଲାଙ୍କ ଜୀବନର ମହାର୍ଘ ମୁହୂର୍ତ୍ତିଗୁଡିକୁ ଅମର କରି ଗଢିତୋଳିଛି । ଏସ୍କେକେ ପୁରସ୍କାର ଏହାର ଦୂରଦ୍ରଷ୍ଟା ପ୍ରତିଷ୍ଠାତାଙ୍କର ସ୍ମୃତିକୁ ପାଳନ କରୁଛି ।
ଏହାର ସବୁଠାରୁ ସମ୍ମାନଜନକ ଆଦିତ୍ୟ ବିକ୍ରମ ବିର୍ଲା କଳା ଶିଖର ପୁରସ୍କାର ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କୁ ଶ୍ରୀମତୀ ବିର୍ଲାଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । “ସେ ହେଉଛନ୍ତି ବାଂଶୁରୀର ବାଦ୍ଶାହ, ଜଣେ ବଂଶୀବାଦକ ଭାବରେ ଯାହାଙ୍କର ମାନ୍ୟତା ଅତୁଳନୀୟ,” ବୋଲି ଶ୍ରୀମତୀ ବିର୍ଲା ଉଲ୍ଲେଖ କରିଥିଲେ ।
ପୂର୍ବରୁ ଅନ୍ୟ ଯେଉଁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିଗଣଙ୍କୁ କଳା ଶିଖର ପୁରସ୍କାର ପ୍ରଦାନ କରାଯାଇଥିଲା ସେମାନଙ୍କ ମଧ୍ୟରେ ପ୍ରସିଦ୍ଧ ବାଦ୍ୟଯନ୍ତ୍ର ଶିଳ୍ପୀ ଉସ୍ତାଦ ଜାକିର ହୁସେନ୍, ପଣ୍ଡିତ ଶିବକୁମାର ଶର୍ମା, ପଣ୍ଡିତ ବିଜୟ ରାଘବ ରାଓ ଏବଂ ପଣ୍ଡିତ ରାମ ନାରାୟଣ ପ୍ରମୁଖ ଅନ୍ତର୍ଭୁକ୍ତ ।
ଦୁଇ ପ୍ରତିବଦ୍ଧ କଳାକାର- ତବଲା ବାଦକ ଓଜସ୍ ଆଢ୍ୟ ଏବଂ ସାରଙ୍ଗୀ ବାଦକ ସବୀର ଖାନ୍ଙ୍କୁ ଆଦିତ୍ୟ ବିକ୍ରମ ବିର୍ଲା କଳା କିରଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ବିଶିଷ୍ଟ ଗାୟିକା ଶ୍ରୀମତୀ କବିତା କ୍ରିଷ୍ଣମୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଶ୍ରୀ ଶେଖର ସେନ୍, ଶ୍ରୀ ରାହୁଲ ଶର୍ମା, ଡଃ.ସୁବର୍ଣ୍ଣଲତା ରାଓ ଏବଂ ଶ୍ରୀ ରୋନୁ ମଜୁମଦାର ପ୍ରମୁଖଙ୍କୁ ନେଇ ବିଚାରକମଣ୍ଡଳୀ ଗଠିତ ହୋଇଥିଲା, ଯେଉଁମାନେ ଯନ୍ତ୍ରସଂଗୀତରେ ଶୀର୍ଷସ୍ତରର ବ୍ୟକ୍ତିଙ୍କୁ ପ୍ରତିନିଧିତ୍ୱ କରିଥିଲେ । ଶ୍ରୀ କୁମାର ମଙ୍ଗଳମ୍ ବିର୍ଲାଙ୍କ ସମେତ ଅନେକ ସଂଗୀତ ପ୍ରେମୀ ଏହି ସ୍ମରଣୀୟ ଉତ୍ସବରେ ଉପସ୍ଥିତ ଥିଲେ ।
ଆର୍ଜେଣ୍ଟିନାର ମାଲେଭୋ, ଭାରତର ଫାରହାନ୍ ଅଖତାର ଏବଂ ସୁନିଧି ଚୌହାନଙ୍କ ଭଳି ସଂଗୀତଜ୍ଞଙ୍କୁ ନେଇ ଆୟୋଜିତ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।
ରାଜ୍ୟ
ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କୁ ଆଦିତ୍ୟ ବିକ୍ରମ ବିର୍ଲା କଳା ଶିଖର ପୁରସ୍କାର
- Hits: 372








