ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) ୦୯/୧୦: ଅକ୍ଟୋବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁସାରେ ଆଜି ପୁଇନ୍ତଳା ବ୍ଲକ ମୁଖ୍ୟାଳୟରେ ଜିଲ୍ଲାପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ଖିଲାରୀ ରିଷିକେଶ ଦ୍ୟାନଦେଓଙ୍କୁ ସମୁଦାୟ ୩୬ ଗୋଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ତନ୍ମଧ୍ୟରୁ ୨୯ ଟି ବ୍ୟକ୍ତିଗତ ଅଭିଯୋଗ ଓ ଅବଶିଷ୍ଠ ୭ ଟି ସାମୁହିକ ଦରଖାସ୍ତ ଥିଲା । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଜନସାଧାରଣଙ୍କ ଏହି ସମସ୍ତ ଅଭିଯୋଗ ଓ ସମସ୍ୟା ଗୁଡିକର ଶୁଣାଣୀ କରିଥିଲେ । ୮ ଟି ମାମଲାର ଶୁଣାଣୀର ସମାଧାନ ତୁରନ୍ତ ସେହି ଠାରେ ହେଇଛି ଏବଂ ବାକି ଥିବା ମାମଲା ଗୁଡିକୁ ସମ୍ପୃକ୍ତ ବିଭାଗର ଅଧିକାରୀ ଙ୍କୁ ଶୀଘ୍ର ଶୁଣାଣୀ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ୪ ଜଣଙ୍କୁ ୭୫ ହଜାର ଟଙ୍କା ସହାୟତା ମଞ୍ଜୁର କରାଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଗିରିଧାରୀ ସାହୁଙ୍କୁ ଦଶ ହଜାର ଟଙ୍କା, ଡିଙ୍ଗରା ବାରିକଙ୍କୁ ୩୦ହଜାର , କଲ୍ପନା କଟୁଆଲଙ୍କୁ ୨୦ ହଜାର ଓ ବିଜୟ ଶତପଥୀଙ୍କୁ ୧୫ ହଜାର ଟଙ୍କାର ସହାୟତା ଦିଆଯାଇଛି । ଉକ୍ତ ଶିବିର ରେ ଭିନ୍ନକ୍ଷମଙ୍କୁ ବିବାହ କରିଥିବାରୁ ଦୁଇ ଦମ୍ପତି ସ୍ଵାଗତିକ ଦାସ, ରଞ୍ଜନ ଦାସ ଏବଂ ରୋଶନ ସାହୁ , ବାସୁଦେବ ପଧାନଙ୍କୁ ଅଢେଇ ଲକ୍ଷ ଟଙ୍କା ଲେଖାଏଁ ବିବାହ ପ୍ରୋଶ୍ଚାହନ ରାଶି ସାମାଜିକ ସୁରକ୍ଷା ବିଭାଗ ତରଫ ରୁ ସହାୟତା ଦିଆଯାଇଥିଲା । ଏହି ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ରେ ମାଲମୁଣ୍ଡାର ମା ଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀ ମାଟି ନିର୍ମିତ ଦୀପ , ମୂର୍ତ୍ତି , ବ୍ୟବହାର ଉପଯୋଗୀ ଜିନିଷ ପ୍ରଦର୍ଶିତ କରିବା ସହ ବିକ୍ରୟ ପାଇଁ ଷ୍ଟଲ ଖୋଲା ଯାଇଥିଲା । ସେହିପରି ମିଶନ ଶକ୍ତି , ମନରେଗା କାମ ଦ୍ଵାରା ଜନସାଧାରଣ ଙ୍କ ଉନ୍ନତି ତଥା ଆୟୁଷ୍ମାନ ଭବ ସଂକଳ୍ପ ସପ୍ତାହ ସ୍ୱାସ୍ଥ୍ୟ ମେଳା ଦ୍ଵାରା ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇଥିଲା । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯକ୍ରମରେ ପୁଇନ୍ତଳା ବ୍ଲକ ଅଧ୍ୟକ୍ଷ, ବଲାଙ୍ଗିର ଉପ ଜିଲ୍ଲାପାଳ ଶ୍ରୀ ତରଣୀ ସୁନା , ଡେପୁଟି କଲେକ୍ଟର(ସାଧାରଣ ଓ ବିବିଧ) କର୍ଣ୍ଣ ମଲିକ , ଜିଲ୍ଲା ମୁଖ୍ୟ ଚିକିଶ୍ଚାଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତ, ଜିଲ୍ଲା ସାମାଜିକ ନିରାପତ୍ତା ଅଧିକାରୀ ପ୍ରସନ୍ନଜିତ ହୋତା , ଜିଲ୍ଲା ଶିକ୍ଷାଧିକାରୀ ଧୃବ ଚରଣ ବେହେରା, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିଶ୍ଚାଧିକାରୀ ସୁକାରାମ ମୁଣ୍ଡା ତଥା ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ରାଜ୍ୟ
ପୁଇନ୍ତଳା ବ୍ଲକ ମୁଖ୍ୟାଳୟରେ ଜିଲ୍ଲାପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ
- Hits: 186








