୧୦୦ଟି କଲେଜରେ ହେବ ମାନସିକ ସଚେତନତାର କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୋ କଲେଜ ଅଭିଯାନ ଓ ଇଣ୍ଡିଆନ ସାଇକିଆଟ୍ରିକ ସୋସାଇଟି ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ 

ଭୁବନେଶ୍ୱର, ୧୨/୦୫: ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ ଓ ଇଣ୍ଡିଆନ ସାଇକିଆଟ୍ରିକ ସୋସାଇଟି, ଓଡ଼ିଶା ଶାଖା ମଧ୍ୟରେ ଶୁକ୍ରବାର ଏମଓୟୁ (ବୁଝାମଣାପତ୍ର)ସ୍ଵାକ୍ଷର ହୋଇଛି। ଏହି ଏମଓୟୁ ଅନୁସାରେ ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କର ମାନସିକ ସ୍ୱାସ୍ଥ୍ୟ ତଥା ଏହାର ସଚେତନତାର ବିକାଶ କରାଯିବ। କଲେଜ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଯେଭଳି ଚାପଗ୍ରସ୍ତ ନହୋଇ ଶିକ୍ଷା ଗ୍ରହଣ କରିବେ ସେ ଉପରେ ପିଲାଙ୍କୁ ମାନସିକ ସ୍ତରରେ ବିଭିନ୍ନ ପ୍ରଶିକ୍ଷଣ ଦିଆଯିବ।
ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଓ ଇଣ୍ଡିଆନ ସାଇକିଆଟ୍ରିକ ସୋସାଇଟି, ଓଡ଼ିଶା ଶାଖାର ସଭାପତି ଡ଼କ୍ଟର ଅମ୍ରିତ ପାଟ୍ଟଯୋଶୀ ଏହି ଏମଓୟୁ ସ୍ଵାକ୍ଷର କରିଛନ୍ତି। ଏହି ଅବସରରେ ଇଣ୍ଡିଆନ ସାଇକିଆଟ୍ରିକ ସୋସାଇଟି , ଓଡ଼ିଶା ଶାଖାର ଡ଼କ୍ଟର ପ୍ରଫେସର ଅଶ୍ରୁମୋଚନ ସାହୁ ମଧ୍ୟ ଉପସ୍ଥିତ ଥିଲେ |

ଏହି ଅବସରରେ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଶ୍ରୀ ଦାସନାୟକ କହିଲେ," ବର୍ତ୍ତମାନର ଛାତ୍ରଛାତ୍ରୀମାନେ ଚତୁର୍ଦିଗରୁ ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି । ଯେପରିକି ସୋସିଆଲ ମିଡିଆର ଚାପ , ଅନଲାଇନରେ ଜୁଆ ଖେଳିବାର ଚାପ,ପରିବାର ତଥା ବନ୍ଧୁବାନ୍ଧବଙ୍କ ଆଶର ଚାପ , ନିଜକୁ ସମାଜରେ ସୁ-ପ୍ରତିଷ୍ଠିତ କରିବାର ଚାପରେ ସେମାନେ ପଡୁଛନ୍ତି। କିନ୍ତୁ ଏହି ସବୁ ଆକାଂକ୍ଷା ଯେତେବେଳେ ପୂରଣ ହୁଏ ନାହିଁ, ସେତେବେଳେ ଯୁବ ସମାଜ ଆତ୍ମହତ୍ୟା ପରି ଭୁଲ ରାସ୍ତାକୁ ବାଛି ନିଅନ୍ତି। ତେଣୁକରି ବର୍ତ୍ତମାନ ସମୟରେ ସମାଜରେ ମାନସିକ ସଚେତନତା ଏକ ପ୍ରମୁଖ ଆହ୍ୱାନ ପାଲଟିଛି। ତେଣୁ ଏହି ମାନସିକ ସଚେତନତାର କାର୍ଯ୍ୟକ୍ରମ ପ୍ରାୟ ୧୦୦ଟି କଲେଜରେ ଅନୁଷ୍ଠିତ ହେବ | ଏହାଦ୍ୱାରା ଛାତ୍ରଛାତ୍ରୀମାନେ ମାନସିକ ଚାପକୁ କିଭଳି ନିୟନ୍ତ୍ରଣ କରିପାରିବେ ତାହା ଉପରେ ସଚେତନ ହୋଇପାରିବେ। "

ଅନ୍ୟପକ୍ଷରେ ଇଣ୍ଡିଆନ ସାଇକିଆଟ୍ରିକ ସୋସାଇଟି, ଓଡ଼ିଶା ଶାଖାର ସଭାପତି ଡ଼କ୍ଟର ଅମ୍ରିତ ପାଟ୍ଟଯୋଶୀ କହିଲେ " ମଣିଷ ଜୀବନ ଇଶ୍ଵରଙ୍କର ଏକ ବରଦାନ। ଯୁବପିଢ଼ି ବା ଛାତ୍ରଛାତ୍ରୀମାନେ କିପରି ଭାବରେ ନିଜ ନିଜର ମାନସିକ ସୁସ୍ଥତାକୁ ଗୁରୁତ୍ୱ ଦେବେ ତାହା ହେଉଛି ଏହି ଏମଓୟୁର ମୂଳ ଲକ୍ଷ। ସେମାନଙ୍କୁ ସହଜ ଭାବରେ ସଚେତନ କରେଇବା ତଥା ସେମାନଙ୍କ ବିଭିନ୍ନ ମାନସିକ ଦୁଃଶ୍ଚିନ୍ତାର ଠିକ ଉତ୍ତର ଦେବା ଆମ ଦାୟିତ୍ୱ "|


ଏହି ଏମଓୟୁ ଅନୁସାରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ମାନସିକ ଚାପ କିଭଳି ଦୂର ହେବ। ସେମାନେ ପାଠପଢ଼ା ଓ ଚାକିରିକୁ ନେଇ ଯେମିତି ଅଧିକ ଚାପରେ ରହିବେ ନାହିଁ ତାହା ଉପରେ ଗୁରୁତ୍ୱ ଦିଆଯିବ। ପିଲାମାନେ ନିଜ ମନ ଓ ମସ୍ତିଷ୍କକୁ ଦୃଢ଼ ରଖି ପ୍ରତିଟି ପରିସ୍ଥିତିର ଯେଭଳି ସାମ୍ନା କରିପାରିବେ ସେ କ୍ଷେତ୍ରରେ ମାନସିକ ବିଶେଷଜ୍ଞମାନେ ପିଲାଙ୍କୁ ଦିଗଦର୍ଶନ ଦେବେ। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ବର୍ତ୍ତମାନର ପ୍ରତିଯୋଗିତାମୂଳକ ସମାଜରେ ଆତ୍ମବିଶ୍ବାସର ସହ ଆଗକୁ ବଢ଼ିପାରିବେ। ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ ସାଇକିଆଟ୍ରିକ ସୋସାଇଟି, ଓଡ଼ିଶା ଶାଖାର ମେମ୍ବର ଡ଼କ୍ଟର ପ୍ରଫେସର ଶୁଭେନ୍ଦୁ ମିଶ୍ର ଓ ମୋ କଲେଜ ପକ୍ଷରୁ ଶ୍ରୀ ଆଦିତ୍ୟ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ|

0
0
0
s2sdefault