ଦଶପଲ୍ଲା ବିଧାୟକଙ୍କୁ ଘେରିଲେ ଗ୍ରାମବାସୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଳ ଯୋଗାଣ କାର୍ଯ୍ୟକ୍ଷମ ପାଇଁ ଜଣାଇଲେ ଦାବି


"ଲୋକଙ୍କୁ ଦେଖା ନଦେବା ପାଇଁ ବୋଧ ହୁଏ ରାସ୍ତା ବଦଳାଇ ଯାଉଥିଲେ ବିଧାୟକ  |  ଘଣ୍ଟିକା ନାଳଠାରେ ଅପେକ୍ଷା କରି ରହିଥିବା ଘଡେଇବନ୍ଧ ଗ୍ରାମବାସୀ ଅଟକାଇଥିଲେ ବିଧାୟକଙ୍କୁ | ସମସ୍ୟାର ଉତ୍ତର ଦେବା ବଦଳରେ ବିଧାୟକ, ମୁଁ ଆସିଛି ବୋଲି ଆପଣମାନେ କିପରି ଜାଣିଲେ" ବୋଲି ଗ୍ରାମବାସୀଙ୍କୁ ପଚାରିଲେ |"

ଓଡ଼ଗାଁ,୧୧।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଳକ ବାହାଡାଝୋଲା ପଞ୍ଚାୟତ ଘଡଏଇବନ୍ଧ ଗ୍ରାମବାସୀ ବୁଧବାର ଦିନ ବାହାଡାଝୋଲା ପୂର୍ତ୍ତ ବିଭାଗ ରାସ୍ତାର ଘଣ୍ଟିକା ନାଳଠାରେ ବିଧାୟକଙ୍କୁ ଅଟକାଇ ଏକ ଆମ୍ବଗଛ ମୂଳେ ଡ଼ାଳ ପକାଇ ବସାଇ ଅଚଳ ପାନୀୟ ଜଳ ପ୍ରକଳ୍ପ କେବେ କାର୍ଯ୍ୟକ୍ଷମ ହେବ ଓ ବାହାଡାଝୋଲାର ମୌଳିକ ଆବଶ୍ୟକତା କେବେ ପୂରଣ ହେବ ବୋଲି ପ୍ରଶ୍ନ ରଖିଥିଲେ । ଆପଣ ବିଧାୟକ ହେବା ପରେ ଆମ ଅଞ୍ଚଳକୁ ଆସୁନଥିବା ବେଳେ ଆମ ଅଭିଯୋଗକୁ କର୍ଣ୍ଣପାତ କରୁନାହାନ୍ତି । ତେବେ ଉତ୍ତର ରଖିବା ବଦଳରେ ବିଧାୟକ, ମୁଁ ଆସିଛି ବୋଲି ଆପଣମାନେ କିପରି ଜାଣିଲେ ବୋଲି ଗ୍ରାମବାସୀଙ୍କୁ ପଚାରିଲେ । ଫଳରେ ଏହାକୁ ନେଇ ସାମାନ୍ୟ ଉତେଜନା ଦେଖାଯାଇଥିଲେ ମଧ୍ୟ ବିଧାୟକଙ୍କ ସମର୍ଥକ ମାନେ ପରିସ୍ଥିତିକୁ ସମ୍ଭାଳି ନେଇଥିଲେ । ସୂଚନା ଥାଉକି ବାହାଡାଝୋଲା ପଞ୍ଚାୟତ ଘଡଏଇବନ୍ଧ ଗ୍ରାମ ପାନୀୟ ଜଳ ଯୋଗାଣ ପାଇଁ ୨୦୧୯/୨୦ ବର୍ଷରେ ବସୁଦ୍ଧା ଯୋଜନାରେ ୭୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଏବଂ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ମାତ୍ର ଗୋଟିଏ ଦିନ ଜଳ ଯୋଗାଣ ହୋଇଥିଲା । ନିମ୍ନମାନର କାର୍ଯ୍ୟ ଯୋଗୁଁ ପାଚେରୀ କାନ୍ଥ ଭୁଶୁଡ଼ିବା ସମୟରେ ଖୋଲା କୂଅ ଉପରେ ପଡ଼ିବାରୁ କୂଅ ମଧ୍ୟ କେତେକାଂଶରେ ପୋତି ହୋଇଗଲା । ଉତ୍ସ ପୋତି ହୋଇଯିବାରୁ ଜଳଯୋଗାଣ ବାଧାପ୍ରାପ୍ତ ହୋଇଛି । ଗ୍ରାମବାସୀ ମାନେ ନିମ୍ମମାନ କାର୍ଯ୍ୟର ପ୍ରତିବାଦ କରିବା ସହିତ ପଞ୍ଚାୟତ ଠାରୁ ଆରମ୍ଭ ବିଧାୟକଙ୍କ ପର୍ଯ୍ୟନ୍ତ ଏବଂ ବିଭାଗୀୟ ଅଧିକାରୀଙ୍କ ଠାରୁ ଜିଲ୍ଲା ପାଳଙ୍କ ପର୍ଯ୍ୟନ୍ତ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ପାନୀୟ ଜଳ ଯୋଗାଣକୁ ପୁନଃ ସଚଳ କରିବାକୁ ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ ବିଧାୟକଙ୍କ କାର୍ଯ୍ୟକାଳ ୫ବର୍ଷ ପୁରେଇବାକୁ ଯାଉଥିବା ବେଳେ ଗ୍ରାମବାସୀ ଏଜାବତ କୌଣସି ସୁଫଳ ପାଇନାହାନ୍ତି । ବୁଧବାର କାଳିଆମ୍ବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଦଶପଲ୍ଲା ବିଧାୟକ ଆସୁଥିବା ଖବର ପାଇ ଘଡଏଇବନ୍ଧ ଗ୍ରାମବାସୀ ତାଙ୍କୁ ସ୍ବାଗତ ଓ ଅଭ୍ୟର୍ଥନା କରିବା ସହିତ ସମସ୍ୟା ସମ୍ପର୍କରେ ଅବଗତ କରିବାକୁ ଅପେକ୍ଷା କରି ରହିଥିଲେ । ବିଧାୟକ ରାସ୍ତା ବଦଳାଇ ଅନ୍ୟ ରାସ୍ତାରେ ଶିଳାନ୍ୟାସ ସ୍ଥଳକୁ ଯାଇ ଘଡଏଇବନ୍ଧ ରାସ୍ତାରେ ନଆସି ଅନ୍ୟ ରାସ୍ତାଦେଇ ବାହାଡାଝୋଲା ନୂଆଗାଁ ରାସ୍ତାକୁ ବାହାରିବା ବେଳେ ଘଣ୍ଟିକା ନାଳଠାରେ ଅପେକ୍ଷା କରି ରହିଥିବା ଘଡଏଇବନ୍ଧ ଗ୍ରାମବାସୀ ବିଧାୟକଙ୍କୁ ଅଟକାଇଥିଲେ ।

0
0
0
s2sdefault