ହେଡଲାଇନସ୍:

ଆଇଟି ବିଭାଗ ଏବଂ ୟୁସିଟି ମଧ୍ୟରେ ତଥ୍ୟ, ନୀତି ଓ ଗବେଷଣା କେନ୍ଦ୍ର ପାଇଁ ଚୁକ୍ତିନାମା ସ୍ଵାକ୍ଷରିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ତଥ୍ୟଭିତ୍ତିକ ଗବେଷଣାକୁ ଆଗେଇନେବା ପାଇଁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଚିକାଗୋ ବିଶ୍ୱବିଦ୍ୟାଳୟ ଟ୍ରଷ୍ଟ (ୟୁସିଟି) ମଧ୍ୟରେ ଆଜି ଏକ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି । ତଥ୍ୟର ନିର୍ଭରଯୋଗ୍ୟତା ଏବଂ ସଂରକ୍ଷଣ ବୃଦ୍ଧି କ୍ଷେତ୍ରରେ ଚିକାଗୋ ବିଶ୍ୱବିଦ୍ୟାଳୟ ଟ୍ରଷ୍ଟ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଏହାଦ୍ଵାରା ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ଶକ୍ତି, ପରିବେଶ, କୃଷି, ରାଜସ୍ୱ, ଜଳସେଚନ ଏବଂ ପରିମଳ କ୍ଷେତ୍ରରେ ପ୍ରମାଣଭିତ୍ତିକ ଗବେଷଣାକୁ ଅଧିକ ସୁଦୃଢ଼ କରାଯାଇପାରିବ ।
ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଏହି ଅବସରରେ କହିଥିଲେ ଯେ, ଡିପିଆଇସି (ଡାଟା, ପଲିସି, ଆଣ୍ଡ ଇନୋଭେସନ ସେଣ୍ଟର) ପ୍ରତିଷ୍ଠା ବିଭିନ୍ନ କ୍ଷେତ୍ରରେ ରାଜ୍ୟର ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତାର ପ୍ରମାଣ । ସମଗ୍ର ବିଶ୍ୱର ପଣ୍ଡିତମାନେ ଓଡ଼ିଶାରେ ଗବେଷଣା କରି ସେମାନଙ୍କ ଅନୁସନ୍ଧାନକୁ ସମଗ୍ର ବିଶ୍ୱ ନିକଟରେ ପହଞ୍ଚାଉଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିବା ସହ ପ୍ରମାଣ ଓ ତଥ୍ୟଭିତ୍ତିକ ନୀତି ରାଜ୍ୟପାଇଁ ଯଥେଷ୍ଟ ଲାଭଦାୟକ ହେବ ବୋଲି ଉଳ୍ଲେଖ କରିଥିଲେ ।
ଇକୋନୋମେଟ୍ରିକ୍ସ, ଡାଟା ବିଜ୍ଞାନ ଏବଂ ମେସିନ୍ ଲର୍ଣ୍ଣିଂରେ ନୂତନ ଅଗ୍ରଗତିର ତଥ୍ୟକୁ ବ୍ୟବହାର କରି ନିଷ୍ଠାପର, ପ୍ରମାଣ ଭିତ୍ତିକ ଶାସନ ବ୍ୟବସ୍ଥା କାଏମ କରିବା ଏବଂ ବିବିଧ ଉତ୍ସରୁ ବହୁଳ ପରିମାଣରେ ତଥ୍ୟ ସଂଗ୍ରହ ପାଇଁ ଏକ ଉତ୍କର୍ଷ କେନ୍ଦ୍ର ଭାବରେ କାର୍ଯ୍ୟ କରିବା ଡିପିଆଇସିର ଲକ୍ଷ୍ୟ । ୟୁନିଭର୍ସିଟି ଅଫ୍ ସିକାଗୋ ଟ୍ରଷ୍ଟ (ଇପିଆଇସି ଇଣ୍ଡିଆ)ର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ୍ ଏବଂ ଏହାର ଅନ୍ୟାନ୍ୟ ଗବେଷଣା କେନ୍ଦ୍ର ମାଧ୍ୟମରେ ୟୁସିଟି ଡିପିଆଇସିକୁ କାର୍ଯ୍ୟକ୍ଷମ କରିବାରେ ସରକାରଙ୍କୁ ସହଯୋଗ କରୁଛି ବୋଲି ମାନ୍ୟବର ମନ୍ତ୍ରୀ ମତ ବ୍ୟକ୍ତ କରିଥିବଲେ ।
ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ର ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ତଥ୍ୟଭିତ୍ତିକ ସ୍ୱଚ୍ଛତା, ସମୀକ୍ଷା ଏବଂ ଅନୁସନ୍ଧାନର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସଠିକ ହିତାଧିକାରୀ ଚୟନ ଏବଂ ଆବଶ୍ୟକୀୟ ସୁବିଧା ଯୋଗାଇଦେବା କ୍ଷେତ୍ରରେ ବହୁ ମାତ୍ରାରେ ସହାୟକ ହେବ ବୋଲି ସେ କହିଥିଲେ । ଅଧିକନ୍ତୁ, ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ଶକ୍ତି, ପରିବେଶ, କୃଷି, ରାଜସ୍ୱ, ଜଳସେଚନ ଏବଂ ପରିମଳ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ୟୁନିଭର୍ସିଟି ଅଫ୍ ସିକାଗୋ ଟ୍ରଷ୍ଟର ବିଶେଷ ଭୂମିକା ରହିବ ବୋଲି ପ୍ରମୁଖ ଶାସନ ସଚିବ ଉଲ୍ଲେଖ କରିଥିଲେ ।
ଅଭିନବ ଚିନ୍ତାଧାରାର ପରୀକ୍ଷଣ ପାଇଁ ତଥ୍ୟ ବ୍ୟବହାର କରିବାରେ ଓଡ଼ିଶା ସବୁବେଳେ ଆଗରେ ରହିଛି । ୫ ବର୍ଷ ପୂର୍ବେ ଆମେ ଓଡ଼ିଶା ସରକାରଙ୍କ ସହ ମିଶି ଶିଳ୍ପଗୁଡ଼ିକ ପାଇଁ ଏକପ୍ରକାର ତଥ୍ୟଭିତ୍ତିକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ । ତେଣୁ ଏହା ଆମ ପାଇଁ ଏକପ୍ରକାର ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଏବଂ ତଥ୍ୟ ଓ ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣକୁ ଆଗକୁ ବଢ଼ାଇବା ଦିଗରେ ଓଡ଼ିଶା ସରକାରଙ୍କ ସହ ମିଳିତଭାବେ କାର୍ଯ୍ୟ କରିବାକୁ ଆମେ ଉତ୍ସାହିତ ବୋଲି ଚିକାଗୋ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗ ପ୍ରଫେସର ତଥା ଶକ୍ତି ନୀତି ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ମାଇକେଲ ଗ୍ରୀନଷ୍ଟୋନ୍ କହିଥିଲେ ।
ଏହି ଭାଗିଦାରି ଏକ ବ୍ୟାପକ ତ୍ରିମୁଖୀ ଆଭିମୁଖ୍ୟ ଗ୍ରହଣ କରିବ । ଏହା କେବଳ ଗବେଷଣା ଉପରେ ଧ୍ୟାନ ନଦେଇ ରାଜ୍ୟରେ ନିଷ୍ପତ୍ତି ନେବା ପ୍ରକ୍ରିୟାକୁ ବୃଦ୍ଧି କରିବା ସକାଶେ ତଥ୍ୟର ଉପଯୋଗ ବୃଦ୍ଧି ଲାଗି ଓଡ଼ିଶାର ସରକାରୀ ଅଧିକାରୀଙ୍କ ଦକ୍ଷତା ବଢ଼ାଇବା ଉପରେ ଧ୍ୟାନ ଦେବ ।
ଚିକାଗୋ ବିଶ୍ୱବିଦ୍ୟାଳୟର ଗବେଷକମାନେ ସଂପ୍ରତି ଚାଲିଥିବା କାର୍ଯ୍ୟକ୍ରମଗୁଡ଼ିକର ଫଳପ୍ରଦତା ସଂପର୍କରେ ସୂଚନା ପ୍ରଦାନ କରି ସରକାରୀ ଉଦ୍ଦେଶ୍ୟ ପୂରଣ ପାଇଁ ସଂଶୋଧନ ପ୍ରସ୍ତାବ ଦେବେ ଏବଂ ଅଭିନବ ବୃହତ୍‍ ସ୍ତରର ଗବେଷଣା ପାଇଁ ଆଦର୍ଶ କ୍ଷେତ୍ର ପ୍ରସ୍ତୁତି ଏବଂ ଆକଳନ ମାଧ୍ୟମରେ ସରକାରଙ୍କୁ ସହାୟତା ପ୍ରଦାନ କରିବେ । ଏହାବ୍ୟତୀତ ଏହି ଟିମ୍ ଓଡ଼ିଶାରେ ଗବେଷଣାରୁ ମିଳିଥିବା ଜ୍ଞାନକୁ କେବଳ ରାଜ୍ୟ ଭିତରେ ନୁହେଁ, ବରଂ ଭାରତର ଅନ୍ୟାନ୍ୟ ଅଞ୍ଚଳକୁ ବିସ୍ତାରିତ କରିବେ ।
ଭୁବନେଶ୍ଵରସ୍ଥିତ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର (ଓକାକ)ରେ ହୋଇଥିବା ଏହି ଚୁକ୍ତିନାମା ସ୍ୱାକ୍ଷର ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ପଣ୍ଡାଙ୍କ, ଅତିରିକ୍ତ ଶାସନ ସଚିବ ତଥା ଓକାକ ସିଇଓ ଶ୍ରୀ ମନୋଜ ପଟ୍ଟନାୟକ, ଜେନେରାଲ ମ୍ୟାନେଜର, ଓକାକ୍‍, ଶ୍ରୀମତୀ ମଧୁମିତା ରଥ, ପ୍ରଶାସନିକ ଅଧିକାରୀ ଶ୍ରୀ ପ୍ରବୋଧ ରାଉତ, ଅନୁ ଶାସନ ସଚିବ ଶ୍ରୀ ବିନୋଦ ସାହୁ ତଥା ଚିକାଗୋ ବିଶ୍ଵବିଦ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

0
0
0
s2sdefault