ଭୁବନେଶ୍ୱର (ଶାସକ ପ୍ରଶାସକ) : ୨୦୨୩ ମସିହା ଏପ୍ରିଲ ମାସରେ ଓଡ଼ିଶାରେ ମୋଟ ଜିଏସଟି ବାବଦକୁ୫୦୩୫.୭୪ କୋଟି ଟଙ୍କା ଆଦାୟ ହୋଇଛି , ଯାହା କି ସର୍ବକାଳୀନ ସର୍ବଧିକ ସଂଗ୍ରହ ।
ସେହିପରି ରାଜ୍ୟ ଜିଏସଟି (ଓଜିଏସଟି) ଓ ସମନ୍ବିତ ଜିଏସଟି (ଆଇଜିଏସଟି) ଫଇସଲା ବାବଦକୁ ୨୦୨୩ ମସିହା ଏପ୍ରିଲ ମାସରେ ଓଡିଶାକୁ ମିଳବାକୁ ଥିବା ଜିଏସଟି ପରିମାଣ ଯଦି ବିଚାରକୁ ନିଆଯାଏ ତେବେ ଦେଖାଯିବ ଯେ ଏହି କ୍ଷେତ୍ରରେ ୨୩୫୯.୧୭ କୋଟି ଟଙ୍କା ସଂଗ୍ରହ କରାଯାଇଛି । ଗତ ବର୍ଷ ଏପ୍ରିଲ ମାସରେ ସଂଗ୍ରହ ରାଶି ୧୬୮୦ କୋଟି ଟଙ୍କା ତୁଳନାରେ ୪୦.୪୩ ପ୍ରତିଶତ ଅଭିବୃଦ୍ଧି ଘଟିଛି । ମୁଖ୍ୟତଃ ସେବା କ୍ଷେତ୍ରରେ ହୋଇଥିବା ଅଭିବୃଦ୍ଧି ଏବଂ କିଛି ମାତ୍ରାରେ କାରବାର କ୍ଷେତ୍ର ଯୋଗୁ ଏହି ବୃଦ୍ଧି ପରିଲକ୍ଷିତ ହୋଇଛି ।
ଅନ୍ୟ ପକ୍ଷରେ ଚଳିତ ବର୍ଷ ଏପ୍ରିଲ ମାସରେ ପେଟ୍ରୋଲ ଓ ମଦରୁ ୨୬୪.୪୨ କୋଟି ଟଙ୍କାେ ଭାଟରାଜସ୍ବ ସଂଗ୍ରହ କରାଯାଇଥିବା ବେଳେ ଗତ ବର୍ଷ ଏପ୍ରିଲ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୨୩୨.୯୨ କୋଟି ଟଙ୍କା । ଏ କ୍ଷେତ୍ରରେ ଅଭିବୃଦ୍ଧି ହାର ୧୩.୫୨ ପ୍ରତିଶତ ହୋଇଛି ।
ଚଳିତ ବର୍ଷ ଏପ୍ରିଲ ମାସରେ ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି ବିଭାଗ ଦ୍ୱାରା ସଂଗ୍ରହ କରାଯାଇଥିବା ବିଭିନ୍ନ ଟିକସ (ଜିଏସଟି, ଭାଟ, ବୃତ୍ତିଗତ କର, ପ୍ରବେଶ ଶୁଳ୍କ) ଏବଂ ଜିଏସଟିରେ ମିଶିଥିବା ସମସ୍ତ ଟିକସ ବକେୟା ରାଶି ସଂଗ୍ରହ କ୍ଷେତ୍ରରେ ଗତ ବର୍ଷ ତୁଳନାରେ ୩୬.୭୦ ପ୍ରତିଶତ ଅଭିବୃଦ୍ଧି ହେବା ସହ ଏଥିରେ ୨୬୬୧.୯୨ କୋଟି ଟଙ୍କା ସଂଗ୍ରହ କରା ଯାଇଛି । ଗତ ବର୍ଷ ଏପ୍ରିଲ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୧୯୪୭.୨୧ କୋଟି ଟଙ୍କା ।
ଇ-ୱେ ବିଲ ନିର୍ଗମନ କ୍ଷେତ୍ରରେ ମଧ୍ୟ ୧୫.୧୨ ପ୍ରତିଶତ ଅଭିବୃଦ୍ଧି ଘଟିଛି । ୨୦୨୩ ମସିହା ଏପ୍ରିଲ ମାସରେ ୨୦.୨୧ ଲକ୍ଷ ଇ-ୱେ ବିଲ ନିର୍ଗମନ କରାଯାଇଥିବା ବେଳେ ୨୦୨୨ ମସିହା ଏପ୍ରିଲ ମାସରେ ୧୭.୫୭ ଲକ୍ଷ ଇ-ୱେ ବିଲ ନିର୍ଗମନ କରାଯାଇଥିଲା |










