ଭୁବନେଶ୍ୱର: କିମ୍ସ-ଭୁବନେଶ୍ୱରରେ ତିନି ଦିନ ଧରି ଚାଲିଥିବା ଆସୋସିଏସନ୍ ଅଫ୍ ଅଟୋରିନୋଲାରିନୋଲୋଜିଷ୍ଟ ଅଫ୍ ଇଣ୍ଡିଆ (ଏଓଆଇବିବିସିଓଏନ୍) ଭୁବନେଶ୍ୱର ଶାଖାର ବାର୍ଷିକ ସମ୍ମିଳନୀ ରବିବାର ଉଦଯାପିତ ହୋଇଛି । ଏଥିରେ କର୍ଣ୍ଣ-ନାସା-ଗଳା ବିଭାଗ ଡାକ୍ତର ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ସମ୍ମିଳନୀରେ ହାଇଦ୍ରାବାଦର ଡା. ଉମାନାଥ ନାୟକ ଏବଂ ଗୁରୁଗ୍ରାମର ଡା. ଦୀପକ ସରିନ, ଏଆଇଏମ୍ଏସ୍ ଭୁବନେଶ୍ୱରର ଡା. ସି ପ୍ରୀତମ ଏବଂ କିମ୍ସ-ଭୁବନେଶ୍ୱରର ଡା.ଖଗେଶ୍ୱର ରାଉତ ଯୋଗଦେଇ କର୍ଣ୍ଣ-ନାସା-ଗଳାର ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ଆଲୋକପାତ କରିଥିଲେ ।
ଏଓଆଇବିବିସିଓଏନ୍ର ସମ୍ପାଦକ ତଥା କିମ୍ସ-ଭୁବନେଶ୍ୱର ଇଏନଟି ସର୍ଜନ ଡା. କବିକାନ୍ତ ସାମନ୍ତରାୟ କହିଲେ, ସର୍ଜରୀ କରୁଥିବା ବିଶେଷଜ୍ଞଙ୍କ ବ୍ୟତୀତ ଯୁବ ଅଟୋରିନୋଲାରିନୋଲୋଜିଷ୍ଟମାନେ ଏହି ସମ୍ମିଳନୀରେ ସେମାନଙ୍କ ଅଭିଜ୍ଞତା ଆଦାନ ପ୍ରଦାନ କରିବା ସହ ଏ କ୍ଷେତ୍ରରେ ଅଧିକ ଜ୍ଞାନ ଆହରଣରୁ ସୁଯୋଗ ମିଳିଥିଲା । ଦୀର୍ଘ ୭ବର୍ଷ ଧରି ଏହି ସମ୍ମିଳନୀ ବିଭିନ୍ନ ବିଷୟବସ୍ତୁକୁ ନେଇ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ୍ରେ ଆୟୋଜିତ ହୋଇଆସୁଛି । ଚଳିତ ବର୍ଷ ଏହି ସମ୍ମିଳନୀ କିମ୍ସ-ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ବେଳେ ଏହାର ବିଷୟବସ୍ତୁ ଥିଲା "ବେସିକ୍ ଟୁ ଆଡ୍ଭାନ୍ସ ଇଏନଟି’ । ଏହି ଅବସରରେ ଥାଇରଇଡେକ୍ଟୋମି (ଥାଇରଏଡ୍ ଗ୍ରନ୍ଥି ସହ ଜଡିତ), ପାରୋଟିଡେକ୍ଟୋମି (ପାରୋଟିଡ୍ ଗ୍ରନ୍ଥି ସହିତ ଜଡିତ), କୋକ୍ଲିୟର ପ୍ରତିରୋପଣ ଏବଂ ଇନ୍ଭର୍ଟେଡ୍ ପାପିଲୋମା (ନାସାଲ୍ ମାସ୍ ଅପସାରଣ) ଆଦି ଶିକ୍ଷଣ ଅସ୍ତେ୍ରାପଚାର କରାଯାଇଥିଲା । ଏଥିରେ ଜଣେ ମୂକ ଏବଂ ବଧିର ଶିଶୁକନ୍ୟାର କୋକ୍ଲିୟର ପ୍ରତିରୋପଣ ଅସ୍ତେ୍ରାପଚାର କରାଯାଇଥିଲା । ଏହି ସମ୍ମିଳନୀରେ କିମ୍ସ-ଭୁବନେଶ୍ୱର ଆନାଟୋମି ବିଭାଗ ସହଯୋଗରେ ଟେମ୍ପୋରାଲ୍ ବୋନ୍ ଏବଂ ଫଙ୍କସନାଲ୍ ଏଣ୍ଡୋସ୍କୋପିକ୍ ସାଇନସ୍ ସର୍ଜରୀ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ଯୋଗ ଦେଇଥିବା ସର୍ଜନମାନଙ୍କ ଦ୍ୱାରା ବିଭିନ୍ନ ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପିତ ହୋଇଥିଲା । ଅଟୋରିନୋଲାରିନୋଲୋଜି ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଏକ କୁଇଜ୍ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସମଗ୍ର ରାଜ୍ୟରୁ ୨୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସମ୍ମିଳନୀରେ ଦେଶର ବିଭିନ୍ନ ହସ୍ପିଟାଲ୍ ଓ ମେଡିକାଲ୍ କଲେଜରୁ ୧୫୦ରୁ ଉର୍ଧ୍ଵ ପ୍ରତିନିଧି ଯୋଗ ଦେଇଥିଲେ ।
ରାଜ୍ୟ
କିମ୍ସ ଭୁବନେଶ୍ୱରରେ ଏଓଆଇବିବିସିଓଏନ୍ ବାର୍ଷିକ ସମ୍ମିଳନୀ
- Hits: 251