ହେଡଲାଇନସ୍:

ବିଜେପି ସମ୍ବଲପୁରରେ ଜାଣିଶୁଣି ପୁଣିଥରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରୁଛି: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ଓଡ଼ିଶା ବିଜେପିର ଜଣେ ବରିଷ୍ଠ ନେତା ବ୍ୟକ୍ତିଗତ ରାଜନୈତିକ ଉଚ୍ଚାକାଂକ୍ଷା ରଖି ଶାନ୍ତି ଭଙ୍ଗ କରିବାକୁ ଉସୁକାଉଛନ୍ତି

  •  ଅନୁଗୁଳରୁ ପ୍ରତ୍ୟାଖ୍ୟାତ ହେବା ପରେ ଏହି ନେତା ସମ୍ବଲପୁରରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଏପରି କରୁଛନ୍ତି

  •  ରାଜନୈତିକ ଆକାଂକ୍ଷା ରଖି ଶାନ୍ତି ବ୍ୟାହତ କରିବାକୁ ଚେଷ୍ଟା କଲେ, ସମ୍ବଲପୁରବାସୀ ବରଦାସ୍ତ କରିବେ ନାହିଁ

  •  ବିଜେପି ଶାସିତ ରାଜ୍ୟମାନଙ୍କରେ ସାମ୍ପ୍ରଦାୟିକ ଗଣ୍ଡଗୋଳ ସବୁଠୁ ଅଧିକ, ସେସବୁ ରାଜ୍ୟକୁ ବିଜେପି ଟିମ୍ ପଠାଏ କି?

ଭୁବନେଶ୍ୱର : ସମ୍ବଲପୁରବାସୀଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ଆନ୍ତରିକ ପ୍ରୟାସ ସାଙ୍ଗକୁ ପୁଲିସ ଓ ପ୍ରଶାସନର କଠୋର କାର୍ୟ୍ୟାନୁଷ୍ଠାନ ଫଳରେ ସମ୍ବଲପୁରରେ ଶାନ୍ତି ଓ ସ୍ୱାଭାବିକ ସ୍ଥିତି ଫେରି ଆସିଛି। ଏହାଛଡ଼ା ଗଣ୍ଡଗୋଳକାରୀମାନଙ୍କୁ ମଧ୍ୟ ଗିରଫ କରି ଜେଲକୁ ପଠାଯାଇଛି। ମାତ୍ର ଓଡ଼ିଶା ବିଜେପି ନେତାମାନେ ସମ୍ବଲପୁର ଘଟଣାରେ ଜାଣିଶୁଣି ବିବାଦୀୟ, ଘୃଣା ଉଦ୍ରେକକାରୀ ଏବଂ ଉସୁକାଇଲା ଭଳି ମନ୍ତବ୍ୟ ଦେଇ ଏଠାରେ ପୁଣିଥରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି। ବିଜୁ ଜନତା ଦଳ ପକ୍ଷରୁ ଏହାକୁ ତୀବ୍ର ନିନ୍ଦା କରିବା ସହ ରାଜନୈତିକ ଅଭିସନ୍ଧି ରଖି ବିଜେପି କରୁଥିବା ଏହି ହୀନ ଉଦ୍ୟମକୁ ଶାନ୍ତିପ୍ରିୟ ସମ୍ବଲପୁରବାସୀ ପ୍ରତ୍ୟାଖ୍ୟାନ କରିବେ ବୋଲି ବିଜେଡି ଦୃଢ଼ୋକ୍ତି ପ୍ରକାଶ କରିଛି।
ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ୟ୍ୟ କହିଲେ ଯେ କିଛିଦିନ ତଳେ ସମ୍ବଲପୁରରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା। ତେବେ ସମ୍ବଲପୁରବାସୀଙ୍କ ମହାନୀୟତା ଏବଂ ପ୍ରଶାସନ ସହ ଅଭୂତପୂର୍ବ ସହଯୋଗ ଫଳରେ ଏବେ ଏଠାରେ ସଂପୂର୍ଣ୍ଣ ଭାବେ ଶାନ୍ତି ଫେରି ଆସିଛି ଏବଂ ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ଫଳରେ ପୂର୍ବଭଳି ଏକ ଭାତୃତ୍ୱପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି। କିନ୍ତୁ ଦୁର୍ଭାଗ୍ୟଜନକ ବିଷୟ ହେଲା, ଧର୍ମ-ମତ-ସମ୍ପ୍ରଦାୟ ନିର୍ବିଶେଷରେ ସମ୍ବଲପୁରବାସୀ ଯେତେବେଳେ ଅତୀତର ମହାନ ପରାମ୍ପରା, ଐତିହ୍ୟ, ଏକତା ଓ ଭାଇଚାରା ବଜାୟ ରହୁ ବୋଲି ଚାହାନ୍ତି, ରାଜନୈତିକ ଉଦ୍ଦେଶ୍ୟ ରଖି ସମାଜର ବୃହତ୍ତର ସ୍ୱାର୍ଥକୁ ବଳି ଦେଇ ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ବିଜେପିର କିଛି ନେତା ପ୍ରୟାସ ଜାରି ରଖିଛନ୍ତି। ସମ୍ବଲପୁରରେ ଯେହେତୁ ଏମାନଙ୍କର କୌଣସି ରାଜନୈତିକ ଭିତ୍ତିଭୂମି ନାହିଁ, ଆଗାମୀ ଲୋକସଭା ନିର୍ବାଚନକୁ ଆଖିରେ ରଖି ବିଜେପିର ଏହି ନେତାମାନେ ନିଜର ଦୁର୍ବଳ ବା ଶୂନ୍ୟ ଭିତ୍ତିଭୂମିକୁ ମଜବୁତ କରିବାକୁ ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରିବା ଭଳି ବୟାନ ଦେଉଛନ୍ତି। ଏହା ଶାନ୍ତିପ୍ରିୟ ସମ୍ବଲପୁରବାସୀ ଏବଂ ସାମଗ୍ରିକ ଭାବେ ସମସ୍ତ ଓଡ଼ିଶାବାସୀଙ୍କୁ ଦାରୁଣ ଆଘାତ ଦେଉଛି।
ଶ୍ରୀ ଆଚାର୍ୟ୍ୟ ଆହୁରି କହିଲେ ଯେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ସମ୍ବଲପୁରକୁ ବିଜେପିର ଏକ ଫ୍ୟାକ୍ଟ୍ ଫାଇଣ୍ଡିଂ ଟିମ୍ ପଠାଉଥିବା ଶୁଣି ଆମକୁ ଆଶ୍ଚର୍ୟ୍ୟ ଲାଗୁଛି। କାରଣ ଦେଶରେ ଥିବା ବିଜେପି ଶାସିତ ରାଜ୍ୟମାନଙ୍କରେ ସାମ୍ପ୍ରଦାୟିକ ଗଣ୍ଡଗୋଳ ସବୁଠାରୁ ଅଧିକ ହୁଏ। ଏନ୍‌ସି୍ଆର୍‌ବି ତଥ୍ୟ କହୁଛି ୨୦୧୯ରେ‌ ଘଟିଥିବା ୨୫ଟି ସାମ୍ପ୍ରଦାୟିକ ଗଣ୍ଡଗୋଳ ମଧ୍ୟରୁ ବିଜେପିଶାସିତ ଉତ୍ତରପ୍ରଦେଶରେ ସର୍ବାଧିକ ୯ଟି, ମହାରାଷ୍ଟ୍ରରେ ୪ଟି ଏବଂ ମଧ୍ୟପ୍ର‌ଦେଶର ୨ଟି ହୋଇଥିଲା। ୨୦୨୧ରେ ସର୍ବାଧିକ ସାମ୍ପ୍ରଦାୟିକ ହିଂସା ହରିଆନାରେ ହୋଇଥିବା ବେଳେ ୨୦୨୨‌ ଏପ୍ରିଲ ସୁଦ୍ଧା ଗୁଜୁରାଟ ଓ ମଧ୍ୟପ୍ରଦେଶ ସବୁଠୁ ଆଗରେ ରହିଥିଲେ। କିନ୍ତୁ ଏହିସବୁ ବିଜେପିଶାସିତ ରାଜ୍ୟକୁ ବିଜେପି କେବେ ତ କୌଣସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଇ ନଥିଲା। ଉତ୍ତରପ୍ରଦେଶର ଲଖିମ୍‌ପୁର ଖେରି ଓ ହାଥରସ ର ଉଦାହରଣ ଦେଇ ଶ୍ରୀ ଆଚାର୍ୟ୍ୟ କହିଲେ ଯେ ଏ ଦୁଇଟି ବଡ଼ ଅଘଟଣ ପରେ ‌ସେସବୁ ସ୍ଥାନରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ବି‌ଜେପି ଟିମ୍ ପଠାଇବା ଦୂରେ ଥାଉ, ଉତ୍ତରପ୍ରଦେଶ ସରକାର ସେଠାକୁ ଅନ୍ୟ ରାଜନୈତିକ ଦଳର ନେତା ଏପରିକି ସାମ୍ବାଦିକଙ୍କ ଯିବାକୁ ବି ବାରଣ କରିଥିଲେ। ତାହେଲେ ସମ୍ବଲପୁରରେ ଅଳ୍ପ ଅବଧି ପାଇଁ ଘଟିଥିବା ଏକ ଅପ୍ରୀତିକର ପରିସ୍ଥିତିକୁ ନେଇ ବିଜେପି ଏତେ ତତ୍ପର କାହିଁକି? ଇତିମଧ୍ୟରେ ଶାନ୍ତି ଫେରି ଆସି ସାରିଥିଲେ ମଧ୍ୟ ବିଜେପି କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ଏଠାରେ ଶାନ୍ତି ବ୍ୟାହତ କରିବାକୁ ଚାହୁଁଛି ବୋଲି ଶ୍ରୀ ଆଚାର୍ୟ୍ୟ ଅଭିଯୋଗ କରିଥିଲେ।
ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଲେ ଯେ ୨୦୨୪ରେ ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବାକୁ ବ୍ୟକ୍ତିଗତ ରାଜନୈତିକ ଉଚ୍ଚାକାଂକ୍ଷା ରଖିଥିବା ରାଜ୍ୟ ବିଜେପିର ଜଣେ ବରିଷ୍ଠ ନେତାଙ୍କ ପ୍ର‌ରୋଚନାରେ ସମ୍ବଲପୁରରେ ଏଭଳି ଉଦ୍ୟମ ହେଉଛି। ଏହି ନେତା ଜଣକ ପୂର୍ବରୁ ଢେଙ୍କାନାଳ ଓ ଅନୁଗୁଳରୁ ନିର୍ବାଚନ ଲଢ଼ିବେ ବୋଲି ଇଚ୍ଛା କରି ରାଜନୈତିକ ପାଣିପାଗ ଆକଳନ କରୁଥିଲେ। ମାତ୍ର ସେଠାକାର ଲୋକେ ତାଙ୍କ ନେତୃତ୍ୱକୁ ପ୍ରତ୍ୟାଖ୍ୟାନ କରିବାରୁ ସେ ଏବେ ଏହି ଉଦ୍ଦେଶ୍ୟ ନେଇ ସମ୍ବଲପୁର ଆଡ଼େ ମୁହାଁଇଛନ୍ତି। ସେ ଭଲ ଭାବରେ ଜାଣନ୍ତି ଯେ ତାଙ୍କ ସପକ୍ଷରେ ଜନମତ ନାହିଁ। କାରଣ ବିଗତ ବର୍ଷମାନଙ୍କରେ ତାଙ୍କର ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ପୂରଣ କରିବା ବ୍ୟତୀତ ଓଡ଼ିଶାବାସୀଙ୍କ ପାଇଁ ସେ କିଛି ବି କରିନାହାନ୍ତି। ତେଣୁ ସମ୍ବଲପୁରରେ ନିର୍ବାଚନ ଲଢ଼ିବାକୁ ହେଲେ ତାଙ୍କ ପାଖରେ ଏକମାତ୍ର ରାସ୍ତା ହେଲା, ଯେକୌଣସି ପ୍ରକାରେ ଏଠାରେ ବିଶୃଙ୍ଖଳା ଓ ଗଣ୍ଡଗୋଳର ନିଆଁକୁ ପୁଣିଥରେ ତେଜିବା। ଏହାକୁ ଆଧାର କରି ‌ସେ କିଛି ସମର୍ଥନ ପାଇବେ ବୋଲି ଆଶା ରଖିଛନ୍ତି। ମାତ୍ର ସେ ଜାଣନ୍ତି ନାହିଁ ଯେ ସମ୍ବଲପୁରବାସୀ ହେଉଛନ୍ତି ଶାନ୍ତିପ୍ରିୟ। କିଏ ଏଠି ବିଶୃଙ୍ଖଳା ସୃଷ୍ଟି କଲା, କେମିତି କଲା ଏବଂ ବ୍ୟକ୍ତି ରାଜନୈତିକ ଆକାଂକ୍ଷା ପୂରଣ ଲାଗି କେଉଁମାନେ ପୁଣିଥରେ ଏଠାରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି, ଏହା ସମ୍ବଲପୁରବାସୀ ଦେଖୁଛନ୍ତି। ତେଣୁ ସେମାନଙ୍କ ଶାନ୍ତି ସହ ଖେଳିବାକୁ ଚେଷ୍ଟା କଲେ, ସେମାନେ କେବେବି ଏହାକୁ ବରଦାସ୍ତ କରିବେ ନାହିଁ ଏବଂ ଏପରି ଲୋକଙ୍କୁ ସମ୍ବଲପୁରବାସୀ ଉଚିତ ଜବାବ ଦେବେ। ଏସବୁ ଦେଖି ଓଡ଼ିଶା ବିଜେପିର ଯେଉଁ ନେତାମାନେ ନିରବ ରହୁଛନ୍ତି, ଓଡ଼ିଶାବାସୀ ଏବଂ ସମ୍ବଲପୁରବାସୀ ସେମାନଙ୍କୁ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ଦାସ ମତ ବ୍ୟକ୍ତ କରିଥିଲେ।

0
0
0
s2sdefault