ରାଉରକେଲା (ବସନ୍ତ କୁମାର ଜେନା):- ଦେଶର ପ୍ରଧାନମନ୍ତ୍ରୀ ରାଉରକେଲା ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ ରାଉରକେଲା ରେ ଏକ ସୁପର ସ୍ପେସାଲିଟି ହସ୍ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠା ହେବ। ଦେଶର ଟିକସଦାତାଙ୍କ ୪ଶହ କୋଟି ଟଙ୍କାରେ ଏହି ହସ୍ପିଟାଲ ତିଆରି କରାଗଲା କିନ୍ତୁ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶୃତି ମେଡିକାଲ କଲେଜ ହେଲାନାହିଁ। ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲା ଜନ ସାଧାରଣଙ୍କ ଆଶା ବାନ୍ଧିଥିଲେ ସେମାନେ ଏହି ସୁପର ସ୍ପେସାଲିଟି ହସ୍ପିଟାଲ ରେ ଚିକିତ୍ସିତ ହେବେ ଏବଂ ସେମାନଙ୍କ ଛୁଆମାନେ ଏହି ମେଡିକାଲ କଲେଜରେ ପାଠ ପଢିପାରିବେ। କିନ୍ତୁ ଲୋକଙ୍କ ସେ ସ୍ଵପ୍ନ କେବଳ ସ୍ଵପ୍ନ ରେ ରହିଗଲା। ଆଜି ଲୋକଙ୍କୁ ଦିନ ଦ୍ବିପହରରେ ବିଶ୍ବାସଘାତକତା କରି ୪ଶହ କୋଟି ଟଙ୍କାରେ ନିର୍ମିତ ଏହି ହସ୍ପିଟାଲ କୁ ଏକ ବ୍ୟବସାୟିକ ସଂସ୍ଥା ଆପୋଲୋ କୁ ଟେକି ଦିଆଗଲା, ଏହାର ପ୍ରତିବାଦ କରିବାକୁ କେହି ନାହାନ୍ତି। ରାଉରକେଲା ନାଗରିକ ସୁରକ୍ଷା କମିଟି ଏହି ପ୍ରତାରଣା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଛି। ରାଉରକେଲା ବନ୍ଦର ଡାକରା ଦିଆଯାଇଛି। ବିଭିନ୍ନ ସ୍ଥାନରେ ପଦଯାତ୍ରା,ପଥପ୍ରାନ୍ତ ସଭା, ରାଉରକେଲା ରିଙ୍ଗ ରୋଡ ରେ ବିଶାଳ ମାନବ ଶୃଙ୍ଖଳ କରାଯାଇଛି। ରାଉରକେଲା ନାଗରିକ ସୁରକ୍ଷା କମିଟି ର ନିଷ୍ପତ୍ତି ଅନୁଯାୟୀ ସହରର ବିଭିନ୍ନ ସ୍ଥାନରେ ଜନ ସଚେତନତା ପାଇଁ ବିଭିନ୍ନ ସ୍ଥାନରେ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା ବେଳେ ଆଜି କୋଏଲ ନଗର ସ୍ଥିତ ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ଅଫିସ ପ୍ରାଙ୍ଗଣରେ ଅନୁଷ୍ଠିତ ଆଲୋଚନା ସଭାରେ ସଂଘ ର ସଭାପତି ଇଂଜିନିୟର ଅଭୟ ଦାସ ଙ୍କ ଅଧ୍ୟକ୍ଷତା କରିଥିଲେ। ଆଲୋଚନା ସଭାରେ ରାଉରକେଲା ନାଗରିକ ସୁରକ୍ଷା କମିଟି ର ପ୍ରମୁଖ ସଦସ୍ୟ ବିଷ୍ଣୁ ମହାନ୍ତି କହିଥିଲେ ଯେ ରାଉରକେଲା ର ବିକାଶ ପାଇଁ ସମସ୍ତ ଚିନ୍ତା କରିବାର ଆବଶ୍ୟକତା ରହିଛି ଏବଂ ଆମେ ସମସ୍ତେ ନିଜକୁ ଗର୍ବିତ ଅନୁଭବ କରିବା ଦରକାର ଯେ ଆମେ ସମସ୍ତେ ରାଉରକେଲା ର ବାସିନ୍ଦା। କେବଳ ସୁରକ୍ଷା କମିଟିର ଦାୟିତ୍ଵ ନୁହେଁ ରାଉରକେଲା ର ବିକାଶ ପାଇଁ ଆନ୍ଦୋଳନ କରିବା, ରାଉରକେଲା କୁ ସମସ୍ତେ ହୃଦୟ ସହିତ ଭଲ ପାଇବା ଦରକାର। ଏଭଳି ଏକ ଅନ୍ୟାୟ ବିରୁଦ୍ଧରେ ଜିଲ୍ଲାବ୍ୟାପୀ ପ୍ରତିବାଦ ହେବାର ଆବଶ୍ୟକତା ରହିଛି। ତାଳଚେର ବିମଳାଗଡ ରେଳପଥ ଆନ୍ଦୋଳନ ର ୬୦ ବର୍ଷ ପରେ ମଧ୍ୟ ରେଳପଥ ହୋଇପାରିଲା ନାହିଁ, ରାଉରକେଲା ରେ ଏକ ସାଧାରଣ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା, ରାଉରକେଲା କୁ ଏକ ସ୍ଵତନ୍ତ୍ର ରେଳ ଡିଭିଜନ ଘୋଷଣା, ରାଉରକେଲା ବିମାନ ବନ୍ଦର କୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ପଦକ୍ଷେପ ନେବା ଦରକାର। ଏହି ଆଲୋଚନା ସଭା ରେ ପ୍ରମୁଖ ସଦସ୍ୟ ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର, ସଂଜୀବ ମହାନ୍ତି, ଅଜିତ ନାୟକ, ଆଇନଜୀବୀ ରାଜ କିଶୋର ପ୍ରଧାନ,ଗଣେଶ ପ୍ରଧାନ,କୋଏଲ ନଗର ର ବରିଷ୍ଠ ନାଗରିକ ସାହିତ୍ୟିକ ବ୍ରଜେନ୍ଦ୍ର ଦାସ,ଚାନ୍ଦମଣି ବେହୁରା, ବିଶ୍ଵନାଥ ପଟ୍ଟନାୟକ, କୃତିବାସ ମହାପାତ୍ର,କାଳୁଚରଣ ମହାରଣା,ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ବୈଠକ ପ୍ରାରମ୍ଭରେ କମିଟିର ସଦସ୍ୟ ସୁରେନ୍ଦ୍ର ଦାଶ ବୈଠକ ସଂପର୍କରେ ସୂଚନା ପ୍ରଦାନ କରିଥିଲେ।ନିଷ୍ପତ୍ତି ଅନୁଯାୟୀ ଏହି ଦାବିରେ ଆଗାମୀ ଦିନରେ ରାଉରକେଲା ଜନ ସାଧାରଣଙ୍କୁ ଏକଜୁଟ କରି ବ୍ୟାପକ ଆନ୍ଦୋଳନ ସଂଗଠିତ କରିବାକୁ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଆଗାମୀ ସଂସଦ ଅଧିବେଶନ ମହାମହିମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ରେଳ, ସ୍ବାସ୍ଥ୍ୟ ଓ ଇସ୍ପାତ ମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପନ କରାଯିବ । ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲା ପ୍ରତି ହେଉଥିବା ଅବହେଳା ବିରୋଧରେ ଏବଂ ଉପରୋକ୍ତ ଦାବି ହାସଲ ପାଇଁ ରାଉରକେଲା ଜନସାଧାରଣ ସାମିଲ ହେବାକୁ ଅନୁରୋଧ କରାଯାଇଛି। ଏହି ସଭାରେ କମିଟିର ସଦସ୍ୟ ବିମାନ ମାଇତି, ଶ୍ରୀମନ୍ତ ବେହେରା, ଗଗନ ବିହାରୀ ଧଳ, ପିତାମ୍ବର ନାୟକ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ଅନିରୁଦ୍ଧ ଦାସ, ଏନ୍ ସି ସାମଲ, ବସନ୍ତ ମହାନ୍ତି, ବିଶ୍ଵନାଥ ଲେଙ୍କା, ପ୍ରମୋଦ ପରିଡ଼ା,ମଧୁ ମହାରଣା, ସୁରେଶ ଜେନା,କେ ବି ମହାପାତ୍ର ସମେତ ବହୁ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ।
ରାଜ୍ୟ
ସୁପର ସ୍ପେସାଲିଟି ହସ୍ପିଟାଲ କୁ ଏମ୍ସ ଦ୍ବାରା ପରିଚାଳନା ଓ ଅନ୍ୟାନ୍ୟ ଦାବିରେ କୋଏଲନଗର ଠାରେ ଆଲୋଚନା ସଭା, ବ୍ୟାପକ ଆନ୍ଦୋଳନ ପାଇଁ ଆହ୍ୱାନ।
- Hits: 236