ହେଡଲାଇନସ୍:

କିସ୍‌ ବୁଲି ଦେଖିଲି ଅନେକ କିଛି ଶିଖିଲି: ହେମନ୍ତ ସୋରେନ୍‌

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାସକର ଦରମା ଦାନ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୮।୪: କିସ୍‌ ବୁଲି ଦେଖିଲି ଓ ଅନେକ କିଛି ଶିଖିଲି ବୋଲି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ କହିଛନ୍ତି। ଶୁକ୍ରବାର କିସ୍‌ ପରିଦର୍ଶନରେ ଆସି କିସ୍‌ର ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ସୋରେନ୍‌ କହିଲେ, କିସ୍‌ ଏକ ସାଧାରଣ ପ୍ରୟାସ ନୁହେଁ। ଏଥି ପାଇଁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍‌ ହେବ। ଗୋଟିଏ ସରକାର ଦ୍ୱାରା ଏତେ ବିରାଟ ଅନୁଷ୍ଠାନ ସୃଷ୍ଟି କରିବା ଚିନ୍ତା କରାଯାଇ ନ ପାରେ। ଝାଡ଼ଖଣ୍ଡରେ କିସ୍‌ ଭଳି ଏକ ଅନୁଷ୍ଠାନ ନଥିବାରୁ ଶ୍ରୀ ସୋରେନ୍‌ ଦୁଃଖ ପ୍ରକାଶ କରିଥିଲେ। ଝାଡ଼ଖଣ୍ଡରେ କିସ୍‌ ଭଳି ଅନୁଷ୍ଠାନ ପ୍ରତିଷ୍ଠା ହେଲେ ନକ୍ସଲ ସମସ୍ୟା ଓ ଜନଜାତିଙ୍କ ବହୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଥିଲେ। ସେ କହିଲେ, କିସ୍‌ ବୁଲିବା ପରେ ମୋତେ ବହୁତ କିଛି ଚିନ୍ତା କରିବାକୁ ବାଧ୍ୟ କରିଛି। ଝଡ଼ଖଣ୍ଡର ଜନଜାତି ସମ୍ପ୍ରଦାୟର ଲୋକଙ୍କୁ କିପରି ବିକାଶ ଧାରାରେ ସାମିଲ କରାଯାଇପାରିବ ସେଥିପାଇଁ ଆମକୁ କିସ୍‌ ମାର୍ଗ ଦର୍ଶନ କରିବ। କିସ୍‌ ପିଲାଙ୍କ ମଧ୍ୟରେ ଉତ୍ସାହ, ଉଦ୍ଦୀପନା ଓ କିସ୍‌ର ବାତାବରଣ ଅଦ୍ଭୁତ ବୋଲି ସେ କହିଥିଲେ। ଝାଡ଼ଖଣ୍ଡରେ ଶିକ୍ଷା କ୍ଷେତ୍ରରେ କିସ୍‌ ଭଳି ବାତାବରଣ ସୃଷ୍ଟି ନିମନ୍ତେ କିସ୍‌ ଓ ଶ୍ରୀ ସାମନ୍ତ ଆମକୁ ସାହାଯ୍ୟ କରିବେ। ଏଥି ପାଇଁ ଆମେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବୁ ଶ୍ରୀ ସୋରେନ୍‌ କହିଥିଲେ। ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଲେ କିସ୍‌ ଭଳି ପରିବେଶ ତୁମକୁ ଭାରତର ଅନ୍ୟ କୌଣସି ସ୍ଥାନରେ ମିଳିବ ନାହିଁ। ଏହାର ସୁବିନିଯୋଗ କରି ଦୃଢ଼ତା ଓ କଠିନ ପରିଶ୍ରମ ବଳରେ ଲକ୍ଷ୍ୟପଥରେ ଆଗେଇ ଯିବା ପାଇଁ ସେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ। ସରକାରୀସ୍ତରରେ କିସ୍‌କୁ କଣ ସହଯୋଗ କରାଯାଇପାରିବ ସେ ବାବଦରେ ବର୍ତ୍ତମାନ କିଛି ନ ପାରିଲେ ମଧ୍ୟ ବ୍ୟକ୍ତିଗତ ଭାବେ କିସ୍‌କୁ ତାଙ୍କର ଏକ ମାସର ଦରମା ଦାନ କରିବା ପାଇଁ ଶ୍ରୀ ସୋରେନ୍‌ ଘୋଷଣା କରିଥିଲେ। ହେମନ୍ତ ସୋରେନ୍‌ଙ୍କ ପତ୍ନୀ କଳ୍ପନା ମୁର୍ମୁ ସୋରେନ୍‌ କିସ୍‌ରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଦେଖି ଅଭିଭୂତ ହୋଇପଡ଼ିଥିଲେ। ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ସେ କହିଲେ, ତୁମେମାନେ ଗାଁରୁ ଏତେ ବାଟ ଆସି କିସ୍‌ରେ ପହଞ୍ଚିପାରିଛ; ଏବେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ କିସ୍‌ର ଶିକ୍ଷକଶିକ୍ଷୟିତ୍ରୀଙ୍କ ମାର୍ଗଦର୍ଶନରେ ନିଶ୍ଚିତ ଭାବେ ଲକ୍ଷ୍ୟପଥରେ ପହଞ୍ଚିପାରିବ ବୋଲି ମୋର ବିଶ୍ୱାସ ରହିଛି। ଏହା ସହ ଜୀବନରେ ସବୁବେଳେ ଆତ୍ମବିଶ୍ୱାସ ବଜାୟ ରଖିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ଝାଡ଼ଖଣ୍ଡ ସରକାରଙ୍କ ମୁଖ୍ୟ ସଚିବ ସୁଖଦେବ ସିଂହ କହିଲେ କିସ୍‌ ଏକ ଅନୁଷ୍ଠାନ ନୁହେଁ, ଏକ ସାମ୍ରାଜ୍ୟ। ଭଗବାନଙ୍କ ଆଶୀର୍ବାଦ ନ ଥିଲେ ଏଭଳି ଏକ ଅନୁଷ୍ଠାନ ସୃଷ୍ଟି କରାଯାଇ ନ ପାରେ। ଅଚ୍ୟୁତ ସାମନ୍ତଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ଥିବାରୁ ସେ ଏଭଳି ଏକ ବିଶାଳ ଅନୁଷ୍ଠାନ ଗଢ଼ି ତୋଳି ପାରିଛନ୍ତି। କିସ୍‌ର ପ୍ରୟୋଗ ଝାଡ଼ଖଣ୍ଡରେ ହେଉ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କିସ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସଚିବ ବିନୟ ଚୌବେ, ବ୍ୟକ୍ତିଗତ ସଚିବ ସୁନୀଲ କୁମାର ଶ୍ରୀବାସ୍ତବଙ୍କ ସମେତ କିସ୍‌ର ବହୁ ପଦାଧିକାରୀ ଉପସ୍ଥିତ ଥିଲେ।

0
0
0
s2sdefault