ଜିଲ୍ଲା ଦୁର୍ନୀତି ନିବାରଣ ଅଧିକାରୀଙ୍କ ସହିତ ୧୦ ଜଣିଆ ଟିମର ଛାନଭିନ
ଓଡ଼ଗାଁ,୨୭।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଦୁର୍ନୀତି ନିବାରଣ ଅଧିକାରୀ ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ବରେ ଖଣ୍ଡପଡ଼ା, ନୂଆଗାଁ ଏବଂ କଟକରୁ ଆସିଥିବା ବୈଷୟିକ ଜ୍ଞାନକୌଶଳ ପ୍ରାପ୍ତ ଅଧିକାରୀ ଏବଂ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ, ଅମିନ ଅତିରିକ୍ତ ତହସିଲଦାର ଓ ଓଡ଼ଗାଁ ବ୍ଳକର କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଆର ଏସ ଏଭଳି ୧୦ ଜଣିଆ ଦଳ ମାଧ୍ୟମରେ ଓଡ଼ଗାଁ ବ୍ଳକ ରାବରା ଗ୍ରାମପଞ୍ଚାୟତ ରାବରା ଗ୍ରାମରେ ମନରେଗା ଯୋଜନା ଅନ୍ତର୍ଗତ ଅନିୟମିତତା ଅଭିଯୋଗ ହୋଇଥିବା କାର୍ଯ୍ୟର ତଦନ୍ତ ଗୁରୁବାର ଆରମ୍ଭ ହୋଇଛି । ଆଜି ତଦନ୍ତରେ ନୂଆସାହି ପୋଖରୀ ଖନନ ଏବଂ ଗାଡ ଓ୍ବାଲ ନିର୍ମାଣ, ଆଡିଆ ପୋଖରୀ ଖନନ, ରାବରା ଖେଳପଡିଆ ନିର୍ମାଣ, ପ୍ରମୋଦ ଉଦ୍ୟାନ(ପାର୍କ) ଉନ୍ନତି କରଣ, ୟୁଜିଏମଇ ସ୍କୁଲ୍ ଖେଳପଡିଆ ନିର୍ମାଣ ଏବଂ ସ୍କୁଲ ଠାରୁ ପାଣିଟାଙ୍କି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କ୍ଷେତ୍ରରେ ଅଭିଯୋଗ ହୋଇଥିବା ଅନିୟମିତତା ସମ୍ପର୍କରେ ୭ ଜଣିଆ ତଦନ୍ତକାରୀ ଟିମ୍ କାର୍ଯ୍ୟର ତଦନ୍ତ କରି ଫେରିଥିବା ବେଳେ ଆଉ ୨ ଫେଜରେ ଆସି ଅଭିଯୋଗ ହୋଇଥିବା ମୋଟ ୧୯ ଗୋଟି କାର୍ଯ୍ୟର ତଦନ୍ତ ଆସନ୍ତା ମାସ ପ୍ରଥମ ସପ୍ତାହ ସୁଦ୍ଧା ଶେଷ କରି ୧୦ ତାରିଖ ସୁଦ୍ଧା ଭୁବନେଶ୍ବର ଭିଜିଲାନ୍ସ ଏସପିଙ୍କ ନିକଟରେ ଚୁଡାନ୍ତ ରିପୋର୍ଟ ଦାଖଲ ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ସମସ୍ତ ତଦନ୍ତ ପ୍ରକ୍ରିୟା ଗୁଡିକ ସରିବା ପରେ ଫଳାଫଳ ଜଣାପଡିବ । ଗ୍ରାମବାସୀଙ୍କ ତରଫରୁ ଦଣ୍ଡ ଠାକୁର ପରିଚାଳନା କମିଟିର ଅଧିକାରୀ ସୁବଳ ଭୋଳଙ୍କ ଅଭିଯୋଗ ଅନୁସାରେ ୨୦୧୫ ମସିହା ଠାରୁ ରାବରା ଡିହ ଗୋଡିଠାରେ ଥିବା ଆଡିଆ ପୋଖରୀକୁ ଦଣ୍ଡ ଠାକୁରଙ୍କ ସଞ୍ଚୟ ପାଣ୍ଠିରୁ ୩ ଲକ୍ଷ ଟଙ୍କା ବିନିଯୋଗରେ ଗ୍ରାମବାସୀଙ୍କ ସହଯୋଗରେ ପର୍ଯ୍ୟାୟକ୍ରମେ ପୋଖରୀ ଖୋଳା ଯାଇଥିଲା । ୨୦୧୭ ମସିହାରେ ରାବରା ନୂଆ ପଞ୍ଚାୟତ ଗଠନ ହେବା ପରେ ୨୦୧୯/୨୦ ଆର୍ଥିକ ବର୍ଷରେ ଉକ୍ତ ପୋଖରୀ ଖୋଳିବା ପାଇଁ ମନରେଗା ଯୋଜନାରେ ୭ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା । ସରପଞ୍ଚ ଏହାର ଦାୟିତ୍ବ ନେଇଥିଲେ । ଦଣ୍ଡ ଠାକୁର କମିଟିକୁ କୌଣସି ସୂଚନା ନଦେଇ କମିଟି ତରଫରୁ ଖୋଳା ଯାଇଥିବା ପୋଖରୀକୁ ମାପକରି ୭ ଲକ୍ଷଟଙ୍କା ବିନିଯୋଗ ହୋଇଥିବା ଦର୍ଶାଇ ବଳକା ଅର୍ଥ ହେରଫେର ହେଉଥିବା ନେଇ ୨୦୨୧ ମସିହାରେ ତା. ୨୯.୧୧.୨୦୨୧ ରିଖରେ ଗ୍ରାମବାସୀଙ୍କ ତରଫରୁ ତତ୍କାଳୀନ ବିଡ଼ିଓ ସ୍ବାତିଲେଖା ଦାସଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲା । ସେଠାରୁ କୌଣସି ଗ୍ରହଣିୟତା ମିଳିନଥିଲା । ୨୦୧୭/୧୮ ଆର୍ଥିକ ବର୍ଷରେ ନୂଆସାହି ପୋଖରୀ ଖୋଳା ଏବଂ ଗାଡ଼ ଓ୍ବାଲ ନିର୍ମାଣ ପାଇଁ ୮ଲକ୍ଷଟଙ୍କା ମଞ୍ଜୁର ହେଇଥିବା ବେଳେ ୨୦୨୦/୨୧ ଆର୍ଥିକ ବର୍ଷରେ ୯ ଲକ୍ଷ ୮୫ ହଜାର ଟଙ୍କା ମଞ୍ଜୁର ହେଇ ବିନିଯୋଗ ହୋଇଥିବା ଦର୍ଶାଯାଇଥିଲେ ମଧ୍ୟ ମୋଟ ୧୮ ଲକ୍ଷଟଙ୍କା ବ୍ୟୟ ହୋଇଥିବା ପରି ମନେ ହେଉନଥିଲା । ଖେଳପଡିଆ, ପାର୍କ ଉନ୍ନତିକରଣ, ସ୍କୁଲ ଖେଳ ପଡିଆ, ପାଣିଟାଙ୍କି ରାସ୍ତା ନିର୍ମାଣରେ ହୋଇଥିବା ଅନିୟମିତତା କୁ ନେଇ ଗ୍ରାମବାସୀ ଦୁର୍ନୀତି ନିବାରଣ ବିଭାଗ ନୟାଗଡ଼ଙ୍କ ନିକଟରେ ଅଭିଯୋଗ କରିଥିଲେ । ଗତ ଅଗଷ୍ଟ ମାସରେ ଦୁର୍ନୀତି ନିବାରଣ ବିଭାଗ ଘଟଣା ସ୍ଥଳକୁ ଆସି ତଦନ୍ତ କରିଥିଲେ । ପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଭୁବନେଶ୍ୱର ଭିଜିଲାନ୍ସ ଏସପିଙ୍କ ନିକଟରେ ପୁନଃ ଅଭିଯୋଗ କରିଥିଲେ । ତଦନୁଯାୟୀ ପ୍ରଥମ ଦଫାରେ ଆଜି ୭ କାର୍ଯ୍ୟର ତଦନ୍ତ କରାଯାଇଥିଲା ।












