ଭୁବନେଶ୍ୱର: ଜିଓ ଗ୍ରାହକମାନେ ଗୋଟିଏ ମାସରେ ୧୦ ଏକ୍ସାବାଇଟ୍ (୧୦ ବିଲିଅନ ଜିବି) ଡାଟା ବ୍ୟବହାର କରି ଇତିହାସ ରଚିଛନ୍ତି । ୨୦୧୬ରେ ରିଲାଏନ୍ସ ଜିଓ ଟେଲିକମ୍ କ୍ଷେତ୍ରରେ ପ୍ରବେଶ କରିବା ବେଳେ ସମସ୍ତ ଟେଲିକମ୍ କଂପାନିଙ୍କ ମିଳିତ ଭାବେ ମାସିକ ନୁହେଁ ବର୍ଷ ସାରାର ଡାଟା ବ୍ୟବହାର ଥିଲା ମାତ୍ର ୪.୬ ଏକ୍ସାବାଇଟ୍ । ସେହି ଦୃଷ୍ଟିରୁ ଜିଓର ଉପଲବ୍ଧି କେତେ ବୃହତ ତାହା ସହଜରେ ଅନୁମେୟ । ଭାରତରେ ପ୍ରଥମ ଥର ପାଇଁ କୌଣସି ଟେଲିକମ୍ କଂପାନିର ନେଟ୍ୱର୍କରେ ଗୋଟିଏ ମାସରେ ୧୦ ବିଲିଅନ ଜିବି ଡାଟା ବ୍ୟବହାର ହୋଇଛି । ମାର୍ଚ୍ଚ ତ୍ରୈମାସିକରେ ଜିଓ ନେଟ୍ୱର୍କରେ ମୋଟ ଡାଟା ବ୍ୟବହାର ୩୦.୩ ଏକ୍ସାବାଇଟ୍ ଥିଲା । କଂପାନି ଏହାର ତ୍ରୈମାସିକ ଫଳାଫଳ ଘୋଷଣା ସହିତ ଏହା ପ୍ରକାଶ କରିଛି ।
ଡାଟା ବ୍ୟବହାର ବୃଦ୍ଧିରେ ଜିଓ ଟ୍ରୁ ୫ଜିର ଶୁଭାରମ୍ଭ ପ୍ରମୁଖ ଭୂମିକା ନିର୍ବାହ କରିଛି । ଜିଓ ବ୍ୟବହାରକାରୀମାନେ ଏବେ ମାସିକ ହାରାହାରି ୨୩.୧ ଜିବି ଡାଟା ବ୍ୟବହାର କରୁଛନ୍ତି ଯାହା ଦୁଇ ବର୍ଷ ପୂର୍ବେ ମାସିକ ମାତ୍ର ୧୩.୩ ଜିବି ଥିଲା । ଅର୍ଥାତ ପ୍ରତି ଜିଓ ବ୍ୟବହାରକାରୀ ଦୁଇ ବର୍ଷ ପୂର୍ବ ସମୟ ତୁଳନାରେ ପ୍ରତି ମାସରେ ପାଖାପାଖି ୧୦ ଜିବି ଅଧିକ ଡାଟା ବ୍ୟବହାର କରୁଛନ୍ତି । ଜିଓ ନେଟ୍ୱର୍କରେ ଡାଟାର ହାରାହାରି ବ୍ୟବହାର ହାର ଟେଲିକମ୍ ଶିଳ୍ପର ହାରାହାରି ହାରଠାରୁ ଯଥେଷ୍ଟ ଅଧିକ ରହିଛି ।
ତ୍ରୈମାସିକ ଫଳାଫଳରେ ପ୍ରକାଶିତ ତଥ୍ୟ ଅନୁସାରେ ୨୦୨୩ ମାର୍ଚ୍ଚ ସୁଦ୍ଧା କଂପାନି ୬୦ ହଜାର ସାଇଟ୍ରେ ୩.୫ ଲକ୍ଷରୁ ଅଧିକ ୫ଜି ସେଲ୍ ଲଗାଇସାରିଛି । ଦେଶର ୨୩୦୦ ସହର ଓ ନଗରରେ ଜିଓ ଟ୍ରୁ-୫ଜି ପହଂଚିସାରିଛି ଏବଂ ଜିଓ ଗ୍ରାହକ ବହୂଳ ଭାବରେ ୫ଜି ସେବାକୁ ବ୍ୟବହାର କରୁଛନ୍ତି । ସାରା ବିଶ୍ୱରେ ଏହା ସବୁଠାରୁ ଦ୍ରୁତତମ ୫ଜି ସେବା ଶୁଭାରମ୍ଭ । ୨୦୨୩ ଶେଷ ସୁଦ୍ଧା କଂପାନି ସାରା ଦେଶରେ ୫ଜି ନେଟ୍ୱର୍କ ପହଂଚାଇବାକୁ ଲକ୍ଷ୍ୟ ରଖିଛି ।
ଟ୍ରୁ-୫ଜି ସେବାର ଶୁଭାରମ୍ଭ ସହିତ କଂପାନି ଏୟାରଫାଇବର୍ର ଶୁଭାରମ୍ଭ କରିବା ଲାଗି ପ୍ରସ୍ତୁତ ହେଉଛି । ଆସନ୍ତା କିଛି ମାସ ଭିତରେ ଏହାର ଶୁଭାରମ୍ଭ କରିବାକୁ ଜିଓ ଆଶା ରଖିଛି । ୧୦ କୋଟି ଘରକୁ ଫାଇବର ଓ ଏୟାରଫାଇବର ସହ ଯୋଡ଼ିବାକୁ ଜିଓ ଲକ୍ଷ୍ୟ ରଖିଛି ।
ତ୍ରୈମାସିକ ତଥ୍ୟ ଅନୁସାରେ ଜିଓର ଗ୍ରାହକ ପିଛା ହାରାହାରି ମାସିକ ରାଜସ୍ୱ (ଆର୍ପୁ) ୧୭୮.୮ ଟଙ୍କାକୁ ବୃଦ୍ଧି ପାଇଛି । କଂପାନିର ନେଟ୍ୱର୍କରେ ପ୍ରତିଦିନ ବ୍ୟବହାରକାରୀମାନେ ୧୪୫୯ କୋଟି ମିନିଟ୍ ଭଏସ୍ କଲିଂରେ କଥାବାର୍ତା ହେଉଛନ୍ତି । ଏହାର ଅର୍ଥ ହେଉଛି ଜିଓ ନେଟ୍ୱର୍କରେ ପ୍ରତି ଗ୍ରାହକ ପ୍ରତି ମାସରେ ହାରାହାରି ୧୦୦୩ ମିନିଟ୍ ଭଏସ୍ କଲ୍ରେ କଥାବାର୍ତା ହେଉଛନ୍ତି ।
ରାଜ୍ୟ
ଗୋଟିଏ ମାସରେ ୧୦ ବିଲିଅନ ଜିବି ଡାଟା ବ୍ୟବହାର କରି ଜିଓ ଗ୍ରାହକ ରଚିଲେ ଇତିହାସ
- Hits: 197