ହେଡଲାଇନସ୍:

ପୁନର୍ବାର ଅଚଳ ହେଲା ସେବା ଏକ୍ସପ୍ରେସ ମେମୁ ଟ୍ରେନର ଇଞ୍ଜିନ: ଟ୍ରେନ ଚଳାଚଳରେ ବିଳମ୍ବ,ଯାତ୍ରୀ ହନ୍ତସନ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼,୨୪ା୪:ନୟାଗଡ଼ ଭୁବନେଶ୍ୱର ଏବଂ ନୂଆଗାଁ ମଧ୍ୟରେ ଚଳାଚଳ କରୁଥବା ସେବା ଏକ୍ସପ୍ରେସ ମେମୁ ଟ୍ରେନର ଇଞ୍ଜିନ ପୁନର୍ବାର ଅଚଳ ହୋଇ ପଡ଼ିଛି । ଫଳରେ ଅନ୍ୟ ଏକ ବାହ୍ୟ ଇଞ୍ଜିନ ଦ୍ୱାରା ଏହି ଟ୍ରେନ ଏବେ ଚଳାଚଳ କରୁଛି । ଏହାଦ୍ୱାରା ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ଟ୍ରେନ ଚଳାଚଳ କରୁଥବା ବେଳେ ଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନା ଯୋଗ୍ୟ ଯେ ଚଳିତମାସ ପ୍ରଥମ ସପ୍ତାହରେ ଏହି ଟ୍ରେନର ଇଞ୍ଜିନ ଅଚଳ ହୋଇଯାଇଥିଲା । ତେବେ ବିଭିନ୍ନ ଗଣମାଧ୍ୟମରେ ଏ ଖବର ପ୍ରକାଶ ପାଇବା ପରେ ଏହି ରେଳ ଇଞ୍ଜିନ ତିଆରି କରିଥିବା କମ୍ପାନୀର ଇଞ୍ଜିନିୟରମାନେ ଏହାର ମରାମତି କରିବା ପରେ ଏହା ସ୍ୱାଭାବିକଭାବେ ଚଳାଚଳ କରିଥିଲା । ତେବେ ମରାମତି ହେବାର ଦୁଇ ସପ୍ତାହ ନପୁରୁଣୁ ପୁନର୍ବାର ଇଞ୍ଜିନ ଖରାପ ହୋଇଛି । ତେବେ ଅନ୍ୟଏକ ବାହ୍ୟ ଇଞ୍ଜିନ ଦ୍ୱାରା ଏହି ଟ୍ରେନ ଚଳାଚଳ କରୁଥିବାରୁ ଏହା ବହୁ ବିଳମ୍ବରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚୁଛି । ଫଳରେ ଯାତ୍ରୀମାନେ ଠିକ ସମୟରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ôଚପାରୁ ନାହାନ୍ତି । ଅନ୍ୟପକ୍ଷରେ ମେମୁ ଇଞ୍ଜିନ ଖରାପ ହେବା କାରଣରୁ ବିଭିନ୍ନ କୋଚରେ ଲାଗିଥିବା ଫ୍ୟାନ ଗୁଡ଼ିକ ଠିକରେ ବୁଲୁନାହିଁ ଏବଂ ଲାଇଟ ଜଳୁନାହିଁ । ଏ ନେଇ ଯାତ୍ରୀମାନେ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ନୟାଗଡ଼ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥବା ମେମୁ ଟ୍ରେନକୁ ବିନା କୌଣସି କାରଣରେ ଅନ୍ୟତ୍ର ସ୍ଥାନାନ୍ତରଣ କରି ଦେଇଥିଲେ ଏବଂ ଏହା ବଦଳରେ ଏକ ପୁରୁଣା ମେମୁ ଟ୍ରେନ ଚଳାଇଥିଲେ । ତେବେ ଏଥିରେ ବ୍ୟାପକ ଅବ୍ୟବସ୍ଥ୍‌ା ଏବଂ ତୃଟିବିଚ୍ୟୁତି ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ । ଏହାକୁ ନେଇ ନୟାଗଡ଼ ନାଗରିକ ମଞ୍ଚ ଏବଂ ଜନସାଧାରଣଙ୍କ ପକ୍ଷରୁ ଘୋର ବିରୋଧ କରାଯିବା ପରେ ରେଳ ବିଭାଗ ବାଧ୍ୟ ହୋଇ ଅନ୍ୟ ଏକ ନୂତନ ମେମୁ ଟ୍ରେନ ଗତ ଦୁଇମାସ ତଳେ ପ୍ରଚଳନ କରିଥିଲେ । ତେବେ ଏହି ଟ୍ରେନର ନିୟମିତ ଯାଞ୍ଚ କିମ୍ବା ତଦାରଖ କରାଯାଉ ନଥିବାରୁ ଏହା ବାରମ୍ବାର ଖରାପ ହେଉଛି । ବର୍ତ୍ତମାନ କାମଚଳା ପାଇଁ ବିଭାଗ ପକ୍ଷରୁ ଅନ୍ୟ ଏକ ଇଞ୍ଜିନ ଏଥିରେ ଖଞ୍ଜାଯାଇଛି । ଫଳରେ ନିର୍ଦ୍ଧାରିତ ସମୟରେ ଟ୍ରେନ ଚଳାଚଳରେ ସମସ୍ୟା ଉପୁଜିବା ସହିତ ଯାତ୍ରା ବିଳମ୍ବ ହେଉଛି । ରେଳ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ସହିତ ତୁରନ୍ତ ଇଞ୍ଜିନ ସଜାଡ଼ିବା ପାଇଁ ନୟାଗଡ଼ ନାଗରିକ ମଞ୍ଚ ଦାବି କରିଛି ।

0
0
0
s2sdefault