ଶହୀଦ ଦେବାଶିଷ ବିଶ୍ୱାଳଙ୍କ ପରିବାରକୁ ଦିଆଯାଉ ଏକ କୋଟି ଟଙ୍କାର ସମ୍ମାନ ରାଶି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶହୀଦଙ୍କ ପରିବାର ପାଇଁସମ୍ମାନ ରାଶିକୁ ୧ କୋଟି ଟଙ୍କାକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଆଇନ ଆଣନ୍ତୁ

ଭୁବନେଶ୍ୱର : ଦେଶପାଇଁ ଶହୀଦ ହୋଇଥିବା ଓଡ଼ିଶାର ଦେବାଶିଷ ବିଶ୍ୱାଳଙ୍କ ପରିବାରକୁ ଏକ କୋଟି ଟଙ୍କାର ସମ୍ମାନ ରାଶି ପ୍ରଦାନ କରାଯାଉ ବୋଲି ଆମ ଆଦମୀ ପାର୍ଟି ପକ୍ଷରୁ ଦାବି କରାଯାଇଛି |
ଗତ ୨୦ ତାରିଖରେ ଜାମ୍ମୁକାଶ୍ମୀରର ପୁଞ୍ଚ୍ ଅଞ୍ଚଳରେ ଯେଉଁ ୫ ଜଣ ଭାରତୀୟ ଜବାନ୍ ଦେଶପାଇଁ ଶହୀଦ ହୋଇଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ଆମ୍ ଆଦମୀ ପାର୍ଟି ଓଡିଶା ତରଫରୁ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯିବା ସହ କୁହାଯାଇଛି " ପୁଞ୍ଚ୍ ଅଞ୍ଚଳରେ ଯେଉଁ ୫ ଜଣ ଭାରତୀୟ ଜବାନ ଶହୀଦ ହୋଇଛନ୍ତି ସେମାନଙ୍କ ମଧ୍ୟରେ ସାକ୍ଷୀଗୋପାଳ ନିବାସୀ ଓଡ଼ିଆ ଜବାନ ଲାନ୍ସ ନାଏକ ଓ ଦେବାଶିଷ ବିଶ୍ଵାଳ ମଧ୍ୟ ଅଛନ୍ତି । ସେଥିପାଇଁ ସମସ୍ତ ଓଡ଼ିଶା ଏବେ ଶୋକରେ ବୁଡି ରହିଛି । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଓଡ଼ିଆ ଜବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୫ ଲକ୍ଷ ଟଙ୍କାର ଏକ୍ସ ଗ୍ରାସିଆ ଦିଆଯିବ ବୋଲି ଘୋଷଣା ହୋଇଛି ।
ଦିଲ୍ଲୀ ସରକାର ୨୦୧୮ ମସିହାରୁ କର୍ତ୍ତବ୍ୟରେ ଥାଇ ପ୍ରାଣ ହରାଉଥିବା ଦିଲ୍ଲୀ ନିବାସୀ ସୈନିକ, ପୋଲିସ କର୍ମୀ, ଅଗ୍ନିଶ୍ରମ କର୍ମଚାରୀ ଓ ହୋମଗାର୍ଡଙ୍କ ପରିବାରଙ୍କୁ ୧ କୋଟି ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରି ଆସୁଛନ୍ତି । ପଞ୍ଜାବରେ ମଧ୍ୟ ନିକଟରେ ନିର୍ବାଚିତ ହୋଇ ଆସିଥିବା ଆପ୍ ସରକାର ସମ୍ମାନ ରାଶି ୧ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ଗତବର୍ଷ ଗୁଜରାଟ ବିଧାନସଭା ପାଇଁ ହୋଇଥିବା ନିର୍ବାଚନ ପୁର୍ବରୁ ଆମ୍ ଆଦମୀ ପାର୍ଟିର ଚାପ ଯୋଗୁଁ ସେଠିକାର ରାଜ୍ୟ ସରକାର ମଧ୍ୟ ଏହି ସମ୍ମାନ ରାଶି ୧ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ।
ବୀର ଜବାନ ଶହୀଦ ହେବା ପରେ ଦେଶର କ୍ଷତି ହେବା ସଙ୍ଗେ ସଙ୍ଗେ ଶହୀଦ ପରିବାରର ଯେଉଁ କ୍ଷତି ହୁଏ କୈାଣସି ସରକାର ସେହି ପରିବାରକୁ ଯେତେ ଅଧିକ ସମ୍ମାନ ରାଶି ଦେଲେ ମଧ୍ୟ ସେହି କ୍ଷତି କେବେ ପୂରଣ ହୋଇ ପାରିବ ନାହିଁ । ତେବେ ଶହୀଦ ବିଶ୍ଵାଳଙ୍କ ସହିତ ପୁଞ୍ଚ୍ ଘଟଣାରେ ପଞ୍ଜାବ ରାଜ୍ୟର ଆଉ ୪ ଜଣ ଜବାନ ମଧ୍ୟ ଶହୀଦ ହୋଇଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଶ୍ରୀ ଭଗଓନ୍ତ୍ ମାନ୍ ସେମାନଙ୍କ ପରିବାର ପାଇଁ ୧ କୋଟି ଟଙ୍କା ଲେଖାଏଁ ସମ୍ମାନ ରାଶି ଓ ସେମାନଙ୍କ ପରିବାରର ଜଣେ ଲେଖାଏଁ ସଦସ୍ୟଙ୍କୁ ସରକାରୀ ଚାକିରୀ ଦେବେ ବୋଲି ଘୋଷଣା କରିଛନ୍ତି ।
ଆମ ଆଦମୀ ପାର୍ଟି ଓଡିଶା ପ୍ରଶ୍ନ କରେ ଯେ ଓଡ଼ିଶା ସରକାର ମଧ୍ୟ ସେହି ପରିମାଣର ସମ୍ମାନ ରାଶି ଦେବାରେ କାହିଁକି କାର୍ପଣ୍ୟତା ପ୍ରଦର୍ଶନ କରୁଛନ୍ତି ? ୨ ଲକ୍ଷ କୋଟି ଟଙ୍କାର ବଜେଟ୍ ଥିବା ଓଡ଼ିଶା ସରକାରଙ୍କ ରାଜକୋଷରୁ ଏହି ରାଶି ଦେଲେ କ'ଣ ତାହା ଖାଲି ହୋଇଯିବ ? ଓଡ଼ିଆ ଜବାନ କ'ଣ ଦିଲ୍ଲୀ ଓ ପଞ୍ଜାବର ଜବାନଙ୍କ ଠାରୁ କୈାଣସି ହିସାବରେ କମ୍ ଅଟନ୍ତି ?
ଓଡିଶା ଆମ୍ ଆଦମୀ ପାର୍ଟି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବୀ କରୁଛି ଯେ ସେ ଏହି ସମ୍ମାନ ରାଶିକୁ ୧ କୋଟି ଟଙ୍କାକୁ ବୃଦ୍ଧି କରନ୍ତୁ ଓ ଏହାକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏକ୍ସଗ୍ରାସିଆ ଆକାରରେ ନଦେଇ ସରକାରଙ୍କ ବଜେଟରୁ ଦେବା ପାଇଁ ଆଇନ୍ ଆଣନ୍ତୁ । ସରକାର ଶହୀଦ ବିଶ୍ୱାଳଙ୍କ ପରିବାର ପାଇଁ ଘୋଷଣା କରିଥିବା ୨୫ ଲକ୍ଷ ଟଙ୍କାର ସମ୍ମାନ ରାଶିକୁ ମଧ୍ୟ ୧ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଆମ୍ ଆଦମୀ ପାର୍ଟି ଦାବି କରୁଛି ।
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ପ୍ରବକ୍ତା ଶ୍ରୀ ରଙ୍ଗା ଚରଣ ପ୍ରଧାନ, ଆପ୍ ନୂଆପଡ଼ା ଜିଲ୍ଲା ଆବାହକ ଶ୍ରୀ ଶୋକନାଥ ସେନାପତି ଏବଂ ଆପ୍ କଳାହାଣ୍ଡି ଲୋକସଭା ପ୍ରଭାରୀ ଶ୍ରୀ କୃତିବାସ ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault