ହେଡଲାଇନସ୍:

ଅସୁସ୍ଥ ପ୍ରଶାନ୍ତଙ୍କୁ ସାଉଦି ଆରବରୁ ଘରକୁ ଫେରାଇ ଆଣିଲା ଓଡିଶା ମୋ ପରିବାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାଉଦି ଆରବରୁ ନିଜ ଜନ୍ମସ୍ଥାନକୁ ଫେରିବା ପାଇଁ ସମସ୍ତ ଆଶା ହରାଇ ଦେଇଥିଲେ ପ୍ରଶାନ୍ତ, ଆଉ ଏତିକି ବେଳେ ସହାୟତାର ହାତ ବଢାଇଲା ଓଡ଼ିଶା-ମୋ ପରିବାର । ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇ ବିଦେଶରୁ ତାଙ୍କୁ ଫେରାଇ ଅଣାଯିବା ସହ ଓଡ଼ିଶାରେ ମଧ୍ୟ ଉତ୍ତମ ଚିକିତ୍ସା ସହାୟତା ପାଇବା ପାଇଁ ସଂଗଠନ ପକ୍ଷରୁ ସଂଯୋଜନା କରାଯାଉଛି ।
ସୂଚନାନୁସାରେ,ପୁରୀ ଜିଲ୍ଲା ବିଣ୍ଡିପୁର ଗ୍ରାମର ଜଣେ ବାସିନ୍ଦା ପ୍ରଶାନ୍ତ ଜୟସିଂହ(୪୬) ଜାନୁଆରୀ ୯ତାରିଖରେ ସାଉଦି ଆରବିଆର ଏକ ଘରୋଇ କମ୍ପାନୀରେ ଚାକିରି କରିବାକୁ ଯାଇଥିଲେ । ଜାନୁଆରୀ ୧୧ତାରିଖରେ, ତାଙ୍କ ପରିବାରବର୍ଗ ପ୍ରଶାନ୍ତ ଅସୁସ୍ଥ ଥିବା ନେଇ ହଠାତ୍ ତାଙ୍କ ସହକର୍ମୀଙ୍କ ଠାରୁ ଖବର ପାଇଥିଲେ । ପ୍ରଶାନ୍ତ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏଭଳି ଖବର ଶୁଣିବା ପରେ ପରିବାରବର୍ଗ ପ୍ରଶାନ୍ତଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ କୌଣସି ପ୍ରତି ଉତ୍ତର ପାଇ ପାରିନଥିଲେ ।
ଅସହାୟ ହୋଇ ପ୍ରଶାନ୍ତଙ୍କ ଭାଇ ସ୍ଥାନୀୟ ବିଧାୟକଙ୍କ ସହାୟତା ଲୋଡିଥିଲେ ଏବଂ ବିଧାୟକଙ୍କ କାର୍ଯ୍ୟାଳୟରୁ ଓଡ଼ିଶା-ମୋ ପରିବାରକୁ ସୂଚନା ଦିଆଯିବା ପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ତଥା ଓଡ଼ିଶା-ମୋ ପରିବାର ପ୍ରତିନିଧି ଡ଼ଃ ଅରୁଣ କୁମାର ପ୍ରହରାଜଙ୍କୁ ତଥ୍ୟ ପ୍ରଦାନ କରାଯାଇଥିଲା । ଡ଼ଃ ପ୍ରହରାଜ ଖବର ପାଇବା ପରେ ଭାରତୀୟ ଦୂତାବାସ ସହିତ ସମନ୍ୱୟ ରକ୍ଷା କରି ଉକ୍ତ ରୋଗୀଙ୍କ ପାଖରେ ପହଞ୍ଚି ପରିବାର ବର୍ଗଙ୍କୁ ଆଶ୍ଵାସନା ଦେଇଥିଲେ । କିନ୍ତୁ ପରିବାରବର୍ଗ ତାଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ଅନୁରୋଧ କରିଥିଲେ ।
ତାଙ୍କ ଅନୁରୋଧ ରକ୍ଷା କରି ଡ଼ଃ ପ୍ରହରାଜ ପ୍ରଶାନ୍ତଙ୍କୁ ଓଡ଼ିଶା ପଠାଇବାର ସମସ୍ତ ବନ୍ଦୋବସ୍ତ କରିଥିଲେ । ଯେହେତୁ ପ୍ରଶାନ୍ତଙ୍କର ଅଧା ଶରୀର ପକ୍ଷାଘାତ ରୋଗରେ ଅଚଳ ହୋଇଯାଇଥିଲା ସେଥିପାଇଁ ତାଙ୍କୁ ବିମାନ ଯୋଗେ ସ୍ଵତନ୍ତ୍ର ବ୍ୟବସ୍ଥା କରି କୋଲକାତା ଅଣାଯାଇଥିଲା ।
ସେ କୋଲକାତାରେ ପହଞ୍ଚିବା ପରେ ଓଡ଼ିଶା-ମୋ ପରିବାର ପ୍ରତିନିଧି ପ୍ରମୋଦ ମହାନ୍ତି ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରି, ପ୍ରଶାନ୍ତଙ୍କୁ ପୁରୀସ୍ଥିତ ତାଙ୍କ ଗ୍ରାମକୁ ପଠାଇ ଥିଲେ । ପ୍ରଶାନ୍ତ ଗାଁକୁ ଫେରିବା ପରେ ତାଙ୍କ ପରିବାର ବର୍ଗ ଏବଂ ସ୍ଥାନୀୟ ବାସିନ୍ଦା ଓଡ଼ିଶା-ମୋ ପରିବାର ପ୍ରତିନିଧି ଡ଼ଃ ପ୍ରହରାଜ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ଏବଂ ସେ ଯେପରି ଆଗକୁ ଉତ୍ତମ ଚିକିତ୍ସା ପାଇପାରିବେ, ସେଥିପ୍ରତି ଧ୍ୟାନ ଦେବାକୁ ଓଡ଼ିଶା-ମୋ ପରିବାର ତାଙ୍କୁ ପ୍ରତିଶ୍ରୁତି ଦେଇଛି ।

0
0
0
s2sdefault