ଗୀତ ଗୋବିନ୍ଦ ସଦନ ପାଠାଗାର ପରିଦର୍ଶନ କଲେ ମନ୍ତ୍ରୀ ଶ୍ରୀ ଘଡେଇ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • • ଶୃଙ୍ଖଳିତ ପରିବେଶ, ଭରପୁର ଉପସ୍ଥାନ ଦେଖି ସନ୍ତୋଷ ବ୍ୟକ୍ତ କଲେ ମନ୍ତ୍ରୀ

  • • ପାଠାଗାରରେ ଅଧ୍ୟୟନ କରି କୃତକାର୍ୟ୍ୟ ହେଉଛନ୍ତି ବହୁ ବିଦ୍ୟାର୍ଥୀ।


ଭୁବନେଶ୍ଵର: ଆଜି ପୂର୍ବାହ୍ନରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତି ରଞ୍ଜନ ଘଡ଼େଇ ଜୟଦେବ ଭବନ ପରିସରରେ ଅବସ୍ଥିତ ଗୀତ ଗୋବିନ୍ଦ ସଦନ ପାଠାଗାର ପରିଦର୍ଶନ କରିଥିଲେ । ଗ୍ରାମ୍ୟ ଉନ୍ନୟନ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ମନ୍ତ୍ରୀଙ୍କୁ ପାଠାଗାର ବୁଲାଇ ଦେଖାଇବା ସହିତ ଏହାର ସୁବ୍ୟବସ୍ଥା, କ୍ରମବର୍ଦ୍ଧିଷ୍ଣୁ ପାଠକଙ୍କ ଉପସ୍ଥାନ ଏବଂ ପାଠାଗାରରେ ଉପଲବ୍ଧ ଖବର କାଗଜ, ପତ୍ର ପତ୍ରିକା ଓ ପୁସ୍ତକ ବିଷୟରେ ଅବଗତ କରାଇଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ପରିଚାଳିତ ଏହି ପାଠାଗାରରେ ପ୍ରତ୍ୟହ ୧୧ଟି ଦୈନିକ ଇଂରାଜୀ ଓ ୨୦ରୁ ଅଧିକ ଦୈନିକ ଓଡିଆ ସମ୍ବାଦପତ୍ର ଏବଂ ୩୫ଟି ବିଭିନ୍ନ ପ୍ରକାରର ଉପଯୋଗୀ ପତ୍ରପତ୍ରିକା ପ୍ରତିଦ୍ଵନ୍ଦିତାମୂଳକ ପରୀକ୍ଷା ନିମନ୍ତେ ଉପଲବ୍ଧ ହେଉଛି । ମନ୍ତ୍ରୀ ଶ୍ରୀ ଘଡ଼େଇ ଉପସ୍ଥିତ ପାଠକ ପାଠିକା ମାନଙ୍କୁ ସେମାନଙ୍କର ଅନୁଭୁତି ତଥା ଅଭାବ ଅସୁବିଧା ସମ୍ବନ୍ଧରେ ପଚାରି ବୁଝିଥିଲେ । ପାଠାଗାରର ଶୃଙ୍ଖଳିତ ବ୍ୟବସ୍ଥା ତଥା ଭରପୁର ଉପସ୍ଥାନ ଦେଖି ମନ୍ତ୍ରୀ ଶ୍ରୀ ଘଡ଼େଇ ଖୁସିବ୍ୟକ୍ତ କରିଥିଲେ । ପାଠାଗାରରେ ଶୈକ୍ଷିକ ପରିବେଶ ସହ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ନିମନ୍ତେ ପତ୍ରପତ୍ରିକା ଆଦି ବ୍ୟବସ୍ଥା ରାଜ୍ୟ ସରକାରଙ୍କର ବିଦ୍ୟାର୍ଥୀମାନଙ୍କ ପାଇଁ ଏକ ଅର୍ଥପୂର୍ଣ୍ଣ ପ୍ରୟାସ ବୋଲି ଛାତ୍ରଛାତ୍ରୀମାନେ ଖୁସିବ୍ୟକ୍ତ କରିଥିଲେ । ଏହି ପାଠାଗାରକୁ ଦୈନନ୍ଦିନ ପ୍ରାୟ ଦୁଇ ଶହ ମେଧାବୀ ଛାତ୍ରଛାତ୍ରୀ ପଢିବା ପାଇଁ ଆସିଥା'ନ୍ତି । ପ୍ରତ୍ୟେକ ବର୍ଷ ବହୁ ଛାତ୍ରଛାତ୍ରୀ ଉକ୍ତ ପାଠାଗାରରେ ଅଧ୍ୟୟନ କରି ସଫଳତାର ସହିତ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ୟ୍ୟ ହୋଇ ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହେଉଛନ୍ତି । ଉକ୍ତ ପାଠାଗାର ପ୍ରତି ପାଠକ ପାଠିକା ମାନଙ୍କର ଆଗ୍ରହ ଓ ଆକର୍ଷଣ ଯୋଗୁ ପାଠାଗାର ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହି ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗର ବୈଷୟିକ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର ନାଥ ପରିଡାଙ୍କ ସମେତ ବିଭାଗୀୟ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ |

0
0
0
s2sdefault