ହେଡଲାଇନସ୍:

ଆଞ୍ଚଳିକ ବୈଷମ୍ୟ ଅଭିଯୋଗକୁ ନେଇ ଅସନ୍ତୋଷ ନିଆଁରେ ଘିଅ ଢ଼ାଳିଲା ସରକାରୀ ନିଷ୍ପତ୍ତି !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଛୁଟି ତାଲିକାରୁ ପୌଷ ପୂର୍ଣ୍ଣିମା ବାଦ:ପଶ୍ଚିମ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା

ଆସନ୍ତା କାଲି ପୌଷ ପୂର୍ଣ୍ଣିମା କିନ୍ତୁ ବିଡ଼ମ୍ବନାର ବିଷୟ ଯେ ପଶ୍ଚିମ ଓଡ଼ିଶାର ଅନନ୍ୟ ମହାପର୍ବ ଦିନ ଖୋଲା ରହିବ ସ୍କୁଲ କଲେଜ ଅଫିସ। ଧୀରେ ଧୀରେ ପୂର୍ବ ଏବଂ ପଶ୍ଚିମ ଓଡ଼ିଶାର ଚାଲିଚଳଣୀ ପର୍ବ ପର୍ବାଣୀ ମଧ୍ୟରେ ଫରକ ରହୁଥିବାରୁ ପଶ୍ଚିମ ଓଡ଼ିଶାର ଲୋକମାନେ ଆଞ୍ଚଳିକ ବୈଷମ୍ୟତାର ଅନୁଭବ କରୁଛନ୍ତି ଓ ଭେଦଭାବ କରାଯାଉଥିବା ଅଭିଯୋଗ କରିଆସୁଛନ୍ତି | ଯାହାର ଫଳ ସ୍ୱରୁପ ଏକ ନୂତନ ରାଜ୍ୟ ଗଠନ ପାଇଁ ବିଭିନ୍ନ ମହଲରୁ ଦାବି ଜୋରଦାର ହୋଇଛି |ଲୋକଙ୍କ ଭିତରେ ବୃଦ୍ଧି ପାଇଥିବା ଅସନ୍ତୋଷକୁ ସରକାର ପ୍ରଶମିତ କରିବେ କଣ, ନିଜେ ରାଜ୍ୟ ସରକାର ଏହି ନିଆଁରେ ଘିଅ ଢ଼ାଳୁଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି | ଚଳିତ ବର୍ଷ ମଧ୍ୟ ପୌଷ ପୂର୍ଣ୍ଣିମା ଛୁଟିକୁ ଛୁଟି ତାଲିକାରୁ ବାଦ ଦେବାରୁ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଲୋକେ ସରକାରଙ୍କ ଏହି ବୈଷମ୍ୟତାକୁ ତୀବ୍ର ସମାଲୋଚନା କରିଛନ୍ତି ପଶ୍ଚିମ ଓଡ଼ିଶାର ବହୁ ସଚେତନ ନାଗରିକ ଓ ବୁଦ୍ଧିଜୀବୀ |
ପଶ୍ଚିମ ଓଡ଼ିଶାର ଅନନ୍ୟ ଗଣପର୍ବ ପୌଷ ପୂର୍ଣ୍ଣିମା କୁ ପଶ୍ଚିମ ଓଡ଼ିଶାର ୧୧ ଟି ଜିଲ୍ଲା ବାସୀ ଅପେକ୍ଷା କରିଥାନ୍ତି ମଉଜ ମଜଲିସ ପାଇଁ। ଯେହେତୁ ଏହା କୃଷିଭିତ୍ତିକ ଗଣପର୍ବ ଗାଁ ମାନଙ୍କରେ ଧୁମଧାମରେ ଏହି ପର୍ବ ପାଳିତ ହୋଇଥାଏ, ଦିନେ ଦୁଇଦିନ ପୂର୍ବରୁ ଘରେ ଘରେ ମଣ୍ଡା ପିଠା ତିଆରି ପାଇଁ ଅଞ୍ଚଳ ମହକି ଉଠେ।
ପୌଷ ପୂର୍ଣ୍ଣିମା କୃଷି ସମ୍ବନ୍ଧିତ ଏକ ସାମାଜିକ ପର୍ବ, ବ୍ରତ ବା ଓଷାପୂଜାର ଉପାଖ୍ୟାନ ଏହା ସହ ଜଡ଼ିତ ନଥାଏ । ପ୍ରଥମ ପାଚିଲା ଧାନକୁ ନେଇ ଓଡ଼ିଶାରେ ନୂଆଁଖାଇ ପାଳିତ ହେଲା ପରି ଫସଲ ଅମଳ ହେବା ପରେ ପୌଷ ମାସର ପୂର୍ଣ୍ଣିମାକୁ ପୁଷ୍‌ପୁନି ବା ଛେର୍‌ଛେରା ଭାବେ ଓଡ଼ିଶାର ପଶ୍ଚିମାଞ୍ଚଳରେ ଏକ ଗଣପର୍ବ ରୂପେ ପାଳନ କରାଯାଏ । ପୂର୍ଣ୍ଣମୀ ରାତିସାରା ପଶ୍ଚିମ ଓଡ଼ିଶାର ଗାଁମାନଙ୍କରେ ନୃତ୍ୟ-ଗୀତର ଆସର ଜମିଥାଏ । ଏପ୍ରକାର ଆନନ୍ଦ ଉଲ୍ଲାସରେ ଆବାଳ ବୃଦ୍ଧବନିତା ଅଂଶୀଦାର ଥାଆନ୍ତି । ଏହା କୃଷକମାନଙ୍କ ପାଇଁ କୃଷିର ଶେଷପର୍ବ ଯାହାକି ଶସ୍ୟ ଅମଳ ପରେ ପାଳିତ ହୁଏ । ପୂର୍ଣ୍ଣିମାର ୫/୭ଦିନ ପୂର୍ବରୁ ବାଳକମାନେ ଦଳ ଦଳ ହୋଇ ଦ୍ୱାରଦ୍ୱାର ବୁଲି ବାଡ଼ି ଠକ୍‌ଠକ୍ କରି ଶବ୍ଦର ତାଳେ ତାଳେ ଗୀତ ଗାଇ ଚାନ୍ଦା ଆଦାୟ କରି ଥା’ନ୍ତି । ଗୀତରେ ବାରମ୍ବାର ଛେର୍‌ଛେରା ଶବ୍ଦ ଉଚ୍ଚାରିତ ହେଉଥାଏ । ଛେର୍ ଛେରା ଚାନ୍ଦାରେ ସାର୍ବଜନୀନ ଭୋଜି ଆୟୋଜନ ହୋଇଥାଏ । ଏହିଦିନ ସାହୁକାର ବା ବଡ଼ଚାଷୀମାନେ ସେମାନଙ୍କ ଖାତକ ବା ହଳିଆ ଓ ମୂଲିଆଙ୍କ ଘରକୁ ଅଡ଼ିଆ ପଠାଇଥା’ନ୍ତି । ଏ ଅଡ଼ିଆରେ ଥାଏ କିଛି ଅର୍ଥ, ନୂଆ ଲୁଗା, ଚାଉଳ, ଡାଲି ଓ କିଛି ପନିପରିବା । ଏହି ପୁଷ୍‌ପୁନିରେ ସାହୁକାର ନୂଆ କୃଷିଶ୍ରମିକ ନିୟୋଜିତ କରିବାର ସାମାଜିକ ଧାରା ମଧ୍ୟ ରହିଛି ।ଏହି ଦିନ ବରଗଡ଼ରେ ଅନୁଷ୍ଠିତ ହେଉଥିବା ଧନୁଯାତ୍ରାର ପରିସମାପ୍ତି ଘଟିଥାଏ ।
ରାଜ୍ୟ ସରକାର ନିଜେ ସଜ୍ଞାନ ନେଇ ଆସନ୍ତା କାଳିକୁ ଛୁଟି ଘୋଷଣା କରି ୨ କୋଟି ପଶ୍ଚିମ ଓଡିଶା ବାସୀଙ୍କୁ ଖୁସି କରନ୍ତୁ ବୋଲି ଅନୁରୋଧ କରିବା ସଙ୍ଗେ ଛୁଟି ଘୋଷଣା ନ କଲେ ସରକାର ବିରୋଧରେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଲୋକମାନେ ଚେତାବନୀ ଦେଇଛନ୍ତି |

0
0
0
s2sdefault