ହେଡଲାଇନସ୍:

ଜନବସତି ମୁହାଁ ହାତୀ ପଲ୍ଲ : ଦିନବେଳା ଗଞ୍ଜାମ ଜିଲ୍ଲାରେ ବିଶ୍ରାମ ଏବଂ ରାତିହେଲେ ନୟାଗଡ଼ ଜିଲ୍ଲାକୁ ଆସି ଖାଉଛନ୍ତି ଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଭୟ ଏବଂ ଆତଙ୍କରେ ଭଗବତୀ ପ୍ରସାଦ ଓ ମହେଶ୍ୱରପୁର ଗ୍ରାମବାସୀ,

  • ୫୦ ଏକରରୁ ଉର୍ଦ୍ଧ୍ବ ଜମିର ଅମଳକ୍ଷମ ଧାନ ନଷ୍ଟ

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲା ସୀମା ବର୍ତ୍ତି ଭଗବତୀ ପ୍ରସାଦ ଓ ମହେଶ୍ୱର ପୁର ଗାଁ ଅଞ୍ଚଳର ଧାନ ଜମିରେ ପ୍ରାୟ ଡିସେମ୍ବର ମାସ ଆରମ୍ଭରୁ ରାତିରେ ହାତୀପଲ ପସି ୫୦ ଏକରରୁ ଉର୍ଦ୍ଧ୍ବ ଜମିର ଅମଳକ୍ଷମ ଧାନ ଖାଇବା ସହିତ ଦଳାଚକଟାରେ ନଷ୍ଟ ହୋଇଥିବା ନେଇ ଅଭିଯୋଗ ହୋଇଛି । ଓଡ଼ଗାଁ ବନାଞ୍ଚଳ ମଧ୍ୟକୁ ହାତୀପଲ ପ୍ରତି ରାତିରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳରୁ ଆସି ଭଗବତୀ ପ୍ରସାଦ ଓ ମହେଶ୍ୱର ପୁର ଗାଁ ଅଞ୍ଚଳର ଧାନ ଖାଇବା ଓ ଦଳାଚକଟା କରି ରାତି ପାହିବା ପୂର୍ବରୁ ପୁଣି ଫେରିଯାଉଛନ୍ତି । ଦିନ ବେଳା ସେଠାରେ ବିଶ୍ରାମ ସାରି ରାତିରେ ପୁଣି ନୟାଗଡ଼ ଜିଲ୍ଲା ସୀମା ମଧ୍ୟରେ ପସି ଫସଲ ନଷ୍ଟ କରୁଛନ୍ତି । ଗତ ଶନିବାର ରାତି ୯ ବେଳେ ୩ ଗୋଟି ମାଇ ହାତୀ, ୨ ପୁରୁଷ ହାତୀ ଏବଂ ୨ ଛୁଆହାତୀ ମୋଟ ୭ ପଟ ହାତୀ ଭଗବତୀ ପ୍ରସାଦ ଗାଁ ନିକଟକୁ ଆସିଥିଲେ । ଗ୍ରାମବାସୀ ଭୟ ଏବଂ ଆତଙ୍କ ମଧ୍ୟରେ ନିଆଁହୁଳା ନେଇ ହାତୀମାନଙ୍କୁ ଉଡ଼ାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ହାତୀମାନେ ଏଥିକୁ ଖାତିର ନକରି ପୂର୍ବପରି ନିଜକାର୍ଯ୍ୟ କରିଚାଲୁଛନ୍ତି । ଅନ୍ୟପକ୍ଷରେ ବନବିଭାଗକୁ ଏ ସଂକ୍ରାନ୍ତରେ ଗ୍ରାମବାସୀ ଖବର ଦେଇଥିଲେ ମଧ୍ୟ ସଂଗେ ସଂଗେ ଘଟଣା ସ୍ଥଳକୁ କେହି ଆସିନଥିଲେ । ଜଣେ ସାମ୍ବାଦିକ ସହକାରୀ ବନସଂରକ୍ଷ ନୟାଗଡ଼ଙ୍କୁ ଏ ବିଷୟରେ ଅବଗତ କରାଇବା ପରେ ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହିପରି ପ୍ରତି ରାତିରେ ଘଟିଚାଲିଥିବା ବେଳେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଚାଷୀର ଅମଳ ଶସ୍ୟକୁ ସୁରକ୍ଷା ଦେବାକୁ ଆସିସନଥିବା ଅଭିଯୋଗ ହେଉଛି । ଚାଷୀଙ୍କର କ୍ଷତି ହୋଇଥିବା ଫସଲକୁ ଆକଳନ କରି କ୍ଷତିପୂରଣ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଉଥିବା ବନାଞ୍ଚଳ ଅଧିକାରୀ କହିଛନ୍ତି । ହେଲେ ବହୁ ଚାଷୀଙ୍କର ଏକର ଏକର ଜମିର ଧାନ ନଷ୍ଟ ହୋଇଥିଲେ ମଧ୍ୟ ବନବିଭାଗର କୈାଣସି ଉଚ୍ଚ ପଦସ୍ଥ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିବାକୁ ଆସିନଥିବା ବେଳେ ହାତୀମାନଙ୍କ ଗତିବିଧି ସମ୍ପର୍କରେ କୌଣସି ସୂଚନା ରହୁନଥିବା ଜଣାପଡିଛି । ତେବେ ହାତିମାନଙ୍କ ଗତିବିଧି ଉପରେ ବନବିଭାଗ ନଜର ରଖି ସୂଚନା ଦେବାକୁ ନିର୍ଦ୍ଦେଶ ରହିଛି । କାରଣ ହାତୀମାନଙ୍କ ଠାରୁ ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ରଖିବା ମଧ୍ୟ ସରକାରଙ୍କର ଦାୟିତ୍ଵ । ଅନ୍ୟପକ୍ଷରେ ଜଣେ ଚାଷୀକୁ ଗୋଟିଏ ଏକର ଜମିରୁ ସର୍ବନିମ୍ନ ୧୬ କୁଇଁଟାଲ ଧାନ ଅମଳ କରିଥାଏ । ଆଜିର ଦିନରେ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଅନୁସାରେ ଏହାର ମୂଲ୍ୟ ୩୨ ହଜାର ଟଙ୍କାରୁ ଅଧିକ । କିନ୍ତୁ ଏହା ବଦଳରେ ଚାଷୀଙ୍କୁ କ୍ଷତିପୂରଣ ବାବଦରେ ଦିଆଯାଏ ମାତ୍ର ୧୦ ହଜାର ଟଙ୍କା । ଏଣୁ ଆମକୁ କ୍ଷତିପୂରଣ ନୁହେଁ, ସୁରକ୍ଷାର ଆବଶ୍ୟକତା ରହିଛି ଚାଷୀମାନେ କହୁଛନ୍ତି ।

0
0
0
s2sdefault