ହେଡଲାଇନସ୍:

ଜବରଦଖଲ ଉଚ୍ଛେଦ ଅଭିଯାନକୁ ଜୋରଦାର କଲା ରାଉରକେଲା ମହାନଗର ନିଗମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ମୁନିସିପାଲ୍ ନାଳ ଉପରେ ନିର୍ମିତ ୫ଟି ବେଆଇନ ଅଟ୍ଟାଳିକା ହେଲା ଉଚ୍ଛେଦ।

ରାଉରକେଲା(ସୁଶାନ୍ତ ବେହେରା) – ରାଉରକେଲା ମହାନଗର ନିଗମ ପକ୍ଷରୁ ଆଜି ଜବରଦଖଲ ଉଚ୍ଛେଦ ଅଭିଯାନକୁ ଜୋରଦାର କରାଯାଇଛି। ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ ଅଞ୍ଚଳରେ ବେବନ୍ଦୋବସ୍ତ ଜମି ଉପରେ ଥିବା ମୁନିସିପାଲ୍ ନାଳ ଉପରେ ନିର୍ମିତ ବେଆଇନ ନିର୍ମାଣକୁ ଭାଙ୍ଗିଛି ପ୍ରଶାସନ। ନାଳ ଉପରେ ଏପରି ବେଆଇନ ନିର୍ମାଣ କାର୍ଯ୍ୟ ଦ୍ୱାରା ବର୍ଷାଜଳ ନିଷ୍କାସନରେ ସମସ୍ୟା ଉପୁଜୁଥିଲା। ଫଳରେ ପାଖାପାଖି ଅଞ୍ଚଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିଲେ। ବିଶେଷ କରି ବର୍ଷା ଦିନେ ପାଖାପାଖି ଅଞ୍ଚଳରେ ଥିବା ବସ୍ତି ତଥା ଅନ୍ୟାନ୍ୟ ଆବାସିକ ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିଲା। ପୂର୍ବରୁ ସ୍ଥାନୀୟ ଅଞ୍ଚଳବାସୀ ମହାନଗର ନିଗମ କମିଶନର ଶ୍ରୀମତି ରଶ୍ମିତା ପଣ୍ଡାଙ୍କୁ ଭେଟି ଏହି ସମସ୍ୟାର ସମାଧାନ ନିମନ୍ତେ ନିବେଦନ କରିଥିଲେ। ଫଳରେ କମିଶନର ଶ୍ରୀମତି ପଣ୍ଡା ତୁରନ୍ତ ଏଦିଗରେ ପଦକ୍ଷେପ ନିଆଯିବ ବୋଲି ସେମାନଙ୍କୁ ପ୍ରତିଶୃତି ଦେବା ସହ ଏନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ମହାନଗର ନିଗମ ଅଧିକାରୀ ମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଗତ ଶନିବାର ଅର୍ଥାତ ୨୫.୮.୧୮ ତାରିଖ ଦିନ ଉକ୍ତ ଅଞ୍ଚଳରେ ପ୍ରାଥମିକ ପର୍ଯ୍ୟାୟରେ ଜବରଦଖଲ ଉଚ୍ଛେଦ କରାଯିବା ସହ ମୁନିସିପାଲ୍ ନାଳ ଉପରେ ହୋଇଥିବା ବେଆଇନ ଜବରଦଖଲକୁ ଉଚ୍ଛେଦ କରାଯାଇଥିଲା। ସେହିଦିନ ସଂଧ୍ୟାରେ ମହାନଗର ନିଗମ କାର୍ଯ୍ୟାଳୟରେ କମିଶନର ଶ୍ରୀମତି ପଣ୍ଡା ବେଆଇନ ଜବରଦଖଲ ଉଚ୍ଛେଦ କାର୍ଯ୍ୟର ସମୀକ୍ଷା କରିଥିଲେ। ସେହି ଅଞ୍ଚଳରେ ମୁନିସିପାଲ୍ ନାଳ ଉପରେ ଆହୁରି ଅନେକ ବେଆଇନ ନିର୍ମାଣ ହୋଇଥିବା ସମୀକ୍ଷା ବେଳେ ଜଣାପଡିଥିଲା। ତେଣୁ ତୁରନ୍ତ ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ସହ ଉକ୍ତ ବେଆଇନ ନିର୍ମାଣକୁ ଭାଙ୍ଗିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।  ବେବନ୍ଦୋବସ୍ତ ପ୍ଲଟରେ ବେଆଇନ ନିର୍ମାଣ କରିଥିବା ୫ ଜଣ ବ୍ୟକ୍ତିଙ୍କୁ ଉଚ୍ଛେଦ ନେଇ ମହାନଗର ନିଗମ ପକ୍ଷରୁ ନୋଟିସ ଦିଆଯାଇଥିଲା। ପରେ ଆଜି ସକାଳୁ ପୋଲିସ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମହାନଗର ନିଗମର ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ, ଲ୍ୟାଣ୍ଡଗାର୍ଡ ବିଭାଗର ଅଧିକାରୀଙ୍କ ସହ ମହାନଗର ନିଗମର ଉପାୟୁକ୍ତ ଶ୍ରୀମତି ସୁଷମା ବିଲୁଙ୍ଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବେଆଇନ ନିର୍ମାଣକୁ ଭଙ୍ଗାଯାଇଥିଲା। ଆସନ୍ତାକାଲି ମଧ୍ୟ ଉକ୍ତ ସ୍ଥାନରେ ବେଆଇନ ଜବରଦଖଲ ଉଚ୍ଛେଦ କାର୍ଯ୍ୟକ୍ରମ ଜାରି ରହିବ।

ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଜବରଦଖଲ ଉଚ୍ଛେଦ ଅଭିଯାନ ଆଗକୁ ଆହୁରି ତୀବ୍ରତର କରାଯିବ। ସହରର ଅନ୍ୟାନ୍ୟ ଅଞ୍ଚଳରେ ମୁନିସିପାଲ ନାଳ ଉପରେ ବେଆଇନ ନିର୍ମାଣ କରି ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରୁଥିବା ବେଆଇନ ଅଟ୍ଟାଳିକା ତଥା ଅନ୍ୟାନ୍ୟ ନିର୍ମାଣକୁ ଭଙ୍ଗାଯିବ ବୋଲି ଜଣାପଡିଛି। ତେଣୁ ସହରରେ ମୁନିସିପାଲ ନାଳ ଉପରେ ବେଆଇନ ନିର୍ମାଣ କରିଥିବା ବ୍ୟକ୍ତିବିଶେଷ ଯଥାଶୀଘ୍ର ନିଜେ ନିର୍ମାଣ କରିଥିବା ଅଟ୍ଟାଳିକାକୁ ଭାଙ୍ଗିବା ପାଇଁ ମହାନଗର ନିଗମ ପକ୍ଷରୁ ସୁଚାଇ ଦିଆଯାଇଛି।

0
0
0
s2sdefault