ଝାରସୁଗୁଡ଼ା:ଝାରସୁଗୁଡ଼ା ସହରର ବିଟିଏମ୍ ସ୍ଥିତ ଭାଜପା କାର୍ଯ୍ୟାଳୟରେ ଶୁକ୍ରବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏବଂ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତିରେ ବିଭିନ୍ନ ଅଞ୍ଚଳର ଶତାଧିକ ନେତା ଓ କର୍ମୀ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ।
ଦଳରେ ଯୋଗଦେଇଥିବା ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ବାଗଡ଼ିହିର ସମାଜସେବୀ ବିଜୟ କୁମାର ଅଗ୍ରୱାଲ, କିର୍ମିରା ବ୍ଲକ ଭିମଜୋର ଗ୍ରାମପଞ୍ଚାୟତର ସରପଞ୍ଚ ମନ ବାଗ, ମୋହନ ଚନ୍ଦ୍ର ନାୟକ, ରାକେଶ ସିଂହେ, ବିକାଶ ଅଗ୍ରୱାଲ, ରୂପେଶ ସିଂହେ, ଅରୁଣ ଭଟ୍ଟାଚାର୍ଯ୍ୟ, ବିଜୟ ଛତ୍ରିଆ, ଦିନେଶ କୁମାର ଅମାତ ଏବଂ ଜଜାତି କୁମାର ପଟେଲଙ୍କ ସମେତ ଅନେକ ଯୁବ ନେତା ଓ କର୍ମୀ ସାମିଲ ଥିଲେ।ଏହି ଅବସରରେ ସାଂସଦ ପ୍ରଦୀପ ପୁରୋହିତ ଓ ବିଧାୟକ ଟଙ୍କଧର ତ୍ରିପାଠୀ ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ସେମାନେ କହିଥିଲେ ଯେ ନୂତନ ସଦସ୍ୟଙ୍କ ଯୋଗଦାନ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ।
କାର୍ଯ୍ୟକ୍ରମରେ ବରିଷ୍ଠ ଭାଜପା ନେତା ପ୍ରମୋଦ ତ୍ରିପାଠୀ, ସନ୍ତୋଷ ଯାଦବ, ଉଦ୍ଧବ ସାହୁ, ତୁଷାର ସାହୁ, ନେତାଜୀ ପଟ୍ଟନାୟକ, ବିମଳେନ୍ଦୁ ଭୋଲ, ପ୍ରେମସେନ ରାୟଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ମିଶ୍ରଣ ପର୍ବ ପରେ ଝାରସୁଗୁଡ଼ା ଅଞ୍ଚଳରେ ଭାଜପାର ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ଦଳୀୟ ମହଳରେ ଆଲୋଚନା ହେଉଛି।







