ଓଡ଼ଗାଁ, ୨୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କଂଗ୍ରେସ ସଂଗଠନକୁ ବୁଥ୍ ସ୍ତରରୁ ସୁଦୃଢ଼ କରିବା ଏବଂ ଜୋନ ସ୍ତରୀୟ ସାଙ୍ଗଠନିକ ପୁନର୍ବିନ୍ୟାସକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଓଡ଼ଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ୪ ନମ୍ବର ଜିଲ୍ଲାପରିଷଦ ଜୋନର କଂଗ୍ରେସ କର୍ମୀ ସମ୍ମିଳନୀ ପାଟୁଳୀସାହୀ ଆଖଣ୍ଡଳମଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଏବଂ ପୂର୍ବତନ ଜୋନ ସଭାପତି ମଦନ ମୋହନ ବିଶୋଇଙ୍କ ସହଯୋଗରେ ଆୟୋଜିତ ଏହି ବୈଠକରେ ଜିଲ୍ଲା କଂଗ୍ରେସ ଉପସଭାପତି ତଥା ୨୦୨୪ ରଣପୁର ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ବିଭୁ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଶ୍ରୀ ମିଶ୍ର କହିଥିଲେ ଯେ, ଆଗାମୀ ସେପ୍ଟେମ୍ବର ମାସ ସୁଦ୍ଧା ସମସ୍ତ ପଞ୍ଚାୟତରେ କର୍ମୀ ସମ୍ମିଳନୀ ଆୟୋଜନ ସହ ପଞ୍ଚାୟତ କଂଗ୍ରେସ କମିଟି ଗଠନ କରାଯିବ। ଏଥିସହ ବିଭିନ୍ନ ପଞ୍ଚାୟତରେ ଦଳ ଛାଡ଼ି ଅନ୍ୟ ଦଳକୁ ଯାଇଥିବା କଂଗ୍ରେସ ସମର୍ଥକ ନେତାମାନଙ୍କୁ ପୁନର୍ବାର ଦଳକୁ ଫେରାଇ ଆଣିବା ପାଇଁ ସମନ୍ୱିତ ପ୍ରୟାସ କରିବାକୁ ଆହ୍ୱାନ ଦେଇଥିଲେ।
ଡିସିସିର ବରିଷ୍ଠ ଉପସଭାପତି ଲକ୍ଷ୍ମୀଧର ତ୍ରିପାଠୀ ଭୋଟର ତାଲିକା ସଂଶୋଧନ କାର୍ଯ୍ୟରେ ଦଳୀୟ କର୍ମୀମାନେ ନିଜ ନିଜ ଗ୍ରାମରେ ସଚେତନତା ସୃଷ୍ଟି କରି ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ। ବୈଠକରେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ଓ ଜିଲ୍ଲାପରିଷଦ ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନକୁ ଅଧିକ ସଶକ୍ତ କରିବା ଏବଂ ଶାସକ ଦଳ ବିଜେପି ବିରୋଧରେ କଂଗ୍ରେସର ଲଢ଼େଇକୁ ମଜବୁତ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ୪ ନମ୍ବର ଜୋନର ୧୧ଟି ପଞ୍ଚାୟତର ପ୍ରମୁଖ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଆଗାମୀ ନିର୍ବାଚନ ପାଇଁ ରଣନୀତି ସମ୍ପର୍କରେ ନିଜ ମତ ରଖିଥିଲେ।
ଡିସିସି କିସାନ ସେଲ ସଭାପତି ବସନ୍ତ କୁମାର କର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ନୀତିର ସମାଲୋଚନା କରିଥିଲେ।
ଏହି ବୈଠକରେ ଜିଲ୍ଲା ଆଇଏନଟିୟୁସି ସଭାପତି ଆଲୋକ କୁମାର ପ୍ରଧାନ, ମଦନ ମୋହନ ବିଶୋଇ, ପ୍ରଫୁଲ କୁମାର ପାଟସାଣୀ, ରବୀନ୍ଦ୍ର କୁମାର ସାହୁ, ସୁକାନ୍ତ କୁମାର ବେହେରା, ସୁବାଷ ଚନ୍ଦ୍ର ନାୟକ, ପ୍ରଭାତ କୁମାର ପ୍ରଧାନ, ଶୁକାନ୍ତ ଜେନା, ସୁରେନ୍ଦ୍ର ପ୍ରଧାନ, ଗଣେଶ ପୃଷ୍ଟି, ଶରତ ଚନ୍ଦ୍ର ଜେନା, ରଶ୍ମି କୁମାର ଦଳ ବେହେରା, ସୁରେଶ ମଣ୍ଡଳଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।
ରାଜ୍ୟ
ଓଡ଼ଗାଁ ବ୍ଲକ କଂଗ୍ରେସର ୪ ନମ୍ବର ଜୋନ ସାଙ୍ଗଠନିକ ବୈଠକ ସମ୍ପନ୍ନ
- Hits: 18







