ହେଡଲାଇନସ୍:

ଲଘୁଚାପ ଜନୀତ ଲଗାଣ ବର୍ଷା, ବଂଶଧାରା ନଦୀ ଫୁଲିଛି

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ଗଜପତି ଜିଲ୍ଲାରେ ଗତ ୨ଦିନ ଧରି ଲଗାଣ ବର୍ଷା ଜାରି ରହିଥିବା ଯୋଗୁଁ ଜିଲ୍ଲାର କାଶୀନଗର ପାର୍ଶ୍ୱରେ ପ୍ରବାହତି ହେଉଥିବା ବଂଶଧାରା ନଦୀର ଜଳସ୍ତର ବଢିବାରେ ଲାଗିଛି । କାଶୀନଗର ବଂଶଧାରା ନଦୀର ଉପର ମୁଣ୍ଡରେ ଥିବା ଗୁଣପୁର ଗୁଡାରୀ, କାଟାଗଡା, ମହେନ୍ଦ୍ରଗଡ ଓ ମୋହନା ପ୍ରଭୃତି ଅଞ୍ଚଳରେ ଲଗାଣ ଝିପିଝିପି ମଧ୍ୟମ ଧରଣର ବର୍ଷା ଲାଗିରହିଥିବା ଯୋଗୁଁ ପ୍ରତିଘଣ୍ଟାରେ ୫ରୁ ୬ସେଣ୍ଟିମିଟର ଉଚ୍ଚତାରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

    ବର୍ତ୍ତମାନ କାଶୀନଗରଠାରେ ବଂଶଧାରା ନଦୀର ଜଳସ୍ତର ସତର୍କ ସଙ୍କେତ ନିକଟରେ ପ୍ରବାହିତ ହେଉଛି । ଏଠାରେ ସତର୍କ ସଙ୍କେତ ୫୩.୬୦ମିଟର ଥିବା ବେଳେ ଜଳସ୍ତର ୫୩.୫୩ମିଟର ଉଚ୍ଚତାରେ ପ୍ରବାହିତ ହେଉଥିବା କାଶୀନଗର ଠାରେ ଥିବା କେନ୍ଦ୍ରୀୟ ଜଳ ଆୟୋଗ କାର୍ଯ୍ୟାଳୟ ସୁତ୍ରରୁ ଜଣାଯାଇଛି ।
    ତେବେ ବଂଶଧାରା ନଦୀର ଜଳସ୍ତର ତଥା ବନ୍ୟାଜଳକୁ କାଶୀନଗର ଠାରେ ନିୟନ୍ତ୍ରାଣାଧୀନରେ ରଖିବା ପାଇଁ ତଳମୁଣ୍ଡରେ ଥିବା ପଡୋଶୀ ଆନ୍ଧ୍ରର ଗୋଟା ବ୍ୟାରେଜର ୨୨ଟି ଫାଟକ ମଧ୍ୟରୁ ୧୦ଗୋଟି ଫାଟକକୁ ୨୦ ସେଣ୍ଟିମିଟର ଉଚ୍ଚତାରେ ଖୋଲିଦିଆଯାଇଛି ଏବଂ ପ୍ରତି ସେକେଣ୍ଡରେ ସେହି ଫାଟକ ଦେଇ ୭ହଜାର ୨୨୦ କ୍ୟୁସେକ ଜଳ ଛଡାଯାଇଛି ବୋଲି ଗୋଟା ବ୍ୟାରେଜ କାର୍ଯ୍ୟାଳୟ ସୁତ୍ରରୁ ଜଣାଯାଇଛି ।
ଏତଦ୍‍ବ୍ୟତୀତ ଲଗାଣ ବର୍ଷାଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ସହ କେତେ ଚାଷଜମିରେ ବାଲି ମାଡିଯାଇଛି । ଅନେକ ଚାଷଜମି ଜଳମଗ୍ନ ହୋଇପଡିଛି । ଏବଂ କେତେକ ଫସଲ ବନ୍ୟାଜଳ ମାଡିଯାଇ ନଷ୍ଟ ହୋଇଜିବା ସମ୍ଭାବନା ଦେଖାଦେଇଛି ।

0
0
0
s2sdefault