-
ଶୋଇଥିବା ଅବସ୍ଥାରେ ସାପ କାମୁଡାରେ ସ୍ବାମୀ-ସ୍ତ୍ରୀ ମୃତ
-
ସରକାରୀ ନିୟମ ମୁତାବକ ସହାୟତା ପାଇଁ ସବୁପ୍ରକାର ସହଯୋଗ କରଯିବ :- ପାଇକମାଲ ତହସିଲଦାର
-
ଅଜା ଭରଷାରେ ଛୋଟ ନାତି
ବରଗଡ : ଗତ କାଲି ବିଳମ୍ବିତ ରାତି ରେ ପାଇକମାଳ ବ୍ଳକ ଝିଟିକି ଗ୍ରାମରେ ଏକ ଅଭାବନୀୟ ଘଟଣାକ୍ରମେ ଶୋଇଥିବା ଅବସ୍ଥାରେ ଏକ ବିଷାକ୍ତ ସାପ , ସ୍ବାମୀ-ସ୍ତ୍ରୀ ଙ୍କୁ ଦଂଶନ କରିଥିଲା । କିନ୍ତୁ ସୌଭାଗ୍ୟ ର ବିଷୟ ଯେ ମାଆ ବାପା ସହିତ ଶୋଇଥିବା ଦେଢ ବର୍ଷର ଶିଶୁ ଅଳ୍ପକେ ବର୍ତ୍ତିଯାଇଛି । ଘଟଣାରୁ ପ୍ରକାଶ ଯେ ଗତ ତିନି ବର୍ଷ ତଳେ ବିବାହ କରିଥିବା ଝିଟିକି ଗ୍ରାମର ଅକ୍ଷୟ ପ୍ରଧାନଙ୍କ ପୁଅ ଶଙ୍କର ପ୍ରଧାନ (୨୬) ବୋହୂ ଶାନ୍ତି ପ୍ରଧାନ (୨୨) ଓ ଦେଢ ବର୍ଷର ଶିଶୁ ଗତକାଲି ରାତିରେ ଘରେ ଶୋଇଥିଲେ । ରାତି ପ୍ରାୟେ ଅଢେଇଟା ସମୟରେ ଏକ ବିଷାକ୍ତ ଚିତି ସାପ ପ୍ରଥମେ ଶାନ୍ତିକୁ ଗୋଡରେ ଦଂଶନ କରିଥିଲେ ମଧ୍ୟ ସେ ପିମ୍ପୁଡ଼ି କାମୁଡିଥିବା ଭାବି ନିଜ ଛୁଆକୁ ସ୍ତନ୍ୟପାନ କରାଇ ଶୋଇପଡିଥିଲେ । ପରେ ସାପଟି ଶଙ୍କରଙ୍କ ପିଠିକୁ କାମୁଡିବାରୁ ସେ ଏହା ଦେଖି ଘରେ ଲୋକଙ୍କୁ ଜଣାଇବାରୁ ଉଭୟଙ୍କୁ ଉଦ୍ଧାର କରି ସକାଳେ ପାଇକମାଳ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଶାନ୍ତି ର ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ନୂଆପଡା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ । ଶଙ୍କର କୁ ପାଇକମାଳ ରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ନୁଆପଡା ଡାକ୍ତରଖାନାରେ ସେମାନେ ପହଞ୍ଚିବା ପରେ ଡାକ୍ତର ଦୁଇ ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଶିଶୁ ପୁତ୍ରକୁ ଚିକିତ୍ସା କରି ଭଲ କରି ଘରକୁ ଅପରାହ୍ନରେ ପଠାଇଛନ୍ତି । ନୂଆପଡା ପୋଲିସ ଏକ ଅପମୃତ୍ୟୁ ରୁଜୁ କରି ଶବଦ୍ବୟକୁ ପୋଷ୍ଟମର୍ଟମ କରିଛି । ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଯୋଗ୍ୟ ଯେ ଶଙ୍କର ର ମା ଗତ ବର୍ଷ ଆତ୍ମହତ୍ୟା କରିଥିବା ବେଳେ ଦେଢ ବର୍ଷ ର ପୁଅ ବର୍ତ୍ତମାନ ଅଜା ଅଖୟ ପ୍ରଧାନ ଙ୍କ ପାଖରେ ରହିଛି ।
ଆଜି ସନ୍ଧ୍ୟା ସମୟରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କର ମର ଶରୀର ଝିଟିକି ଗ୍ରାମକୁ ପହଂଚିବା ପରେ ଗ୍ରାମରେ ଶୋକକୁଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର କରାଯାଇଛି । ଅନ୍ୟପଟେ ସରକାର ଙ୍କର ନିୟମ ମୁତାବକ ପୀଡିତ ପରିବାରକୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଜଣାଇଛନ୍ତି ।