ଭୁବନେଶ୍ୱର : ଓଡ଼ିଶାର ନାରୀନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ଦଳମତ ନିର୍ବିଶେଷରେ ସମର୍ଥନ ଦେବାପାଇଁ ରାଜ୍ୟର ସମସ୍ତ ବିଧାୟକ, ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଦିନରୁ ନିବେଦନ କରିଛନ୍ତି | ଏହି ମର୍ମରେ ଆଜି ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କ ମୁଖ୍ୟମନ୍ତ୍ରୀ ନିଜେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବା ପାଇଁ ଅନୁରୋଧ କରିଥିବା ବେଳେ କଂଗ୍ରେସ ଓ ଅନ୍ୟ ଦଳର ବିଧାୟକମାନଙ୍କୁ ଅନୁରୋଧ କରିବା ପାଇଁ ଦଳର ନେତୃବୃନ୍ଦଙ୍କୁ ଦାୟିତ୍ୱ ଦେଇଛନ୍ତି | ଏହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଦଳର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ପ୍ରମୁଖ ଆଜି ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଥିଲେ | କଂଗ୍ରେସ ଦଳର ସମସ୍ତ ବିଧାୟକ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ବିଜେଡି ନେତୃବୃନ୍ଦ ଅନୁରୋଧ କରିଥିଲେ |
ଶ୍ରୀ ପଟ୍ଟନାୟକଙ୍କ ସହ ସାକ୍ଷାତ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି "ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭୋଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସବୁ ଦଳକୁ ଅନୁରୋଧ କରିଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ଆମେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସାକ୍ଷାତ କରି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲୁ | ସେ ଆମ ଅନୁରୋଧ ଉପରେ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି |"