ସୁଲୋଚନା ଦାସ ଭୁବନେଶ୍ୱରର ପ୍ରଥମ ପ୍ରତ୍ୟକ୍ଷ ନିର୍ବାଚିତ ମେୟର ହେବା ଥୟ
ଭୁବନେଶ୍ୱର: ସରିଲା ପ୍ରଚାର | ୨୪ରେ ମତଦାନ | ପ୍ରାର୍ଥୀଙ୍କ ପ୍ରଚାର, ଲୋକଙ୍କ ହାବଭାବ, ବିଭିନ୍ନ ଦଳର ମତିଗତିକୁ ଲକ୍ଷ୍ୟ କଲେ ଭୁବନେଶ୍ୱର ମହାନଗର ନିଗମ ମେୟର ପଦ ପାଇଁ ଲଢେଇ ଯେ ଏକତରଫା ହେବ ଓ ବିଜେଡି ମେୟର ପ୍ରାର୍ଥୀନିଙ୍କ ବିଜୟ ଯେ ସୁନିଶ୍ଚିତ, ଏହା ସ୍ପଷ୍ଟ | ପ୍ରସ୍ତୁତି, ପ୍ରଚାର ଓ ନିର୍ବାଚନ ପରିଚାଳନାରେ ପ୍ରଥମରୁ ହିଁ ବ୍ୟାକଫୁଟରେ ବିରୋଧୀ ଏକ ପ୍ରକାର ହାତ ଟେକି ଦେଇଥିବା ଯୋଗୁ ଲଢେଇ ଏକତରଫା ହୋଇଯାଇଛି | ହେଲେ ବିଜୟ ନିଶ୍ଚିତ ହୋଇଯାଇଥିବା ବେଳେ ପ୍ରଚାର ଆରମ୍ଭ ଠାରୁ ପ୍ରଚାରର ଶେଷ ଦିନ ପର୍ଯ୍ୟନ୍ତ ଲୋକଙ୍କ ପାଖକୁ ଯିବା , ଲୋକଙ୍କୁ ଭେଟି ଭଲମନ୍ଦ ବୁଝିବା ଓ ଭୋଟ ଭିକ୍ଷା କରିବା ସକାଶେ ସକାଳୁ ସଂଧ୍ୟା ପଯ୍ୟନ୍ତ ମାରାଥନ ପ୍ରଚାରରେ କୌଣସି କମି କରିନଥିଲେ ଭୁବନେଶ୍ୱର ପୌର ନିର୍ବାଚନର ବିଜେଡ଼ି ମେୟର ପ୍ରାର୍ଥୀ ସୁଲୋଚନା ଦାସ । ଲୋକଙ୍କ ମନକୁ ଜିଣିବା ପାଇଁ କୌଣସି ଅବସରକୁ ହାତଛଡା କରିନଥିଲେ ସୁଲୋଚନା | ପ୍ରଚାରର ଶେଷ ଚରଣରେ ଜନ ସାଧାରଣକୁ ଭେଟି ବି ଏମ ସି ନିର୍ବାଚନ ରେ ବିଜେଡି କୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ । ଭୁବନେଶ୍ୱର ମହାନଗର ନିଗମର ବିକାଶ ରଥ କୁ ଆଗେଇ ନେବା ପାଇଁ ଆଗାମୀ 24 ତାରିଖ ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ବି ଜେ ଡି କୁ ବିପୁଳ ଭୋଟରେ ଜିତେଇବା ପାଇଁ ପ୍ରଚାର ସମୟରେ ଶ୍ରୀମତୀ ଦାସ ରାଜଧାନୀ ବାସୀଙ୍କୁ ଆହ୍ବାନ ଦେଇଛନ୍ତି ।
ପ୍ରଚାର ଶେଷ ଦିନରେ ସକାଳେ 13 ନମ୍ୱର ୱାର୍ଡ ରୁ ମୋଟର ସାଇକେଲ ଶୋଭାଯାତ୍ରା ସହିତ ପ୍ରଚାର ଅଭିଯାନ ଆରମ୍ଭ ହୋଇଥିଲା । ଗୋଟିକ ପରେ ଗୋଟିଏ ୱାର୍ଡ ଶୋଭାଯାତ୍ରା ଅତିକ୍ରମ କରୁଥିବା ବେଳେ ଦଳୀୟ କର୍ମୀ ଓ ସମର୍ଥକଙ୍କ ଭିଡ଼ ଲାଗି ରହି ଥିଲା । 1 ନମ୍ୱର ଓ 2 ନମ୍ୱର ୱାର୍ଡରେ ପ୍ରଚାର କରି ମହିଳା, ବରିଷ୍ଠ ନାଗରିକ ଓ ଯୁବକମାନଙ୍କୁ ଭୁବନେଶ୍ୱର କୁ ବିକାଶ ପଥରେ ଆଗେଇ ନେବାକୁ ହେଲେ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ ଆବଶ୍ୟକ ବୋଲି କାମନା କରିଥିଲେ ଶ୍ରୀମତୀ ଦାସ। ଏହି ଦୁଇ ୱାର୍ଡରେ ଶୋଭାଯାତ୍ରାର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା ।
14 ନମ୍ୱର ୱାର୍ଡ ଓ 8 ନମ୍ୱର ୱାର୍ଡର ବିଭିନ୍ନ ଅଞ୍ଚଳକୁ ଶୋଭାଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୁବନେଶ୍ବର ପାଇଁ ପରିକଳ୍ପନା କୁ ସାକାର ରୂପ ଦେବା ପାଇଁ ନିର୍ବାଚନରେ ବିଜେଡ଼ି କୁ ସମର୍ଥନ କରିବାକୁ ନିବେଦନ କରିଥିଲେ । ଅପରାହ୍ନ ରେ ଶାଳିଆ ସାହିର ବିଶାଳ ବସ୍ତି ଅଞ୍ଚଳରେ ପ୍ରଚାର ଅଭିଯାନ ଚଳାଇ ସ୍ଥାନୀୟ ବାସିନ୍ଦାଙ୍କ ବିଶ୍ଵାସଭାଜନ ହେବାକୁ ପ୍ରୟାସ କରିଥିଲେ । 11 ନମ୍ୱର ୱାର୍ଡରେ ରହିଥିବା ବିଭିନ୍ନ ଛକରେ ରହି ପଥପ୍ରାନ୍ତ ସଭାରେ ସାଧାରଣ ଲୋକଙ୍କୁ ଭେଟିଥିଲେ ।
ଶେଷ ଦିନ ପ୍ରଚାର ସମୟରେ ସାଧାରଣ ଲୋକଙ୍କ ସମର୍ଥନ ଓ ବିଶ୍ୱାସ ହାସଲ କରିବାରେ ଶ୍ରୀମତୀ ଦାସଙ୍କ ପ୍ରଚାର ସଫଳ ହୋଇଛି ବୋଲି ବୁଦ୍ଧିଜୀବୀମାନେ ମଧ୍ୟ ପ୍ରକାଶ କରୁଛନ୍ତି । ସୂଚନାଯୋଗ୍ୟ ଯେ, ତିନି ଦଳର ମେୟର ପ୍ରାର୍ଥୀ ଘୋଷଣା ଦିନ ହିଁ ବିଜେଡି ମେୟର ଆସନ ହାତେଇବା ସମ୍ଭାବନା ଉଜ୍ଜ୍ୱଳ ହୋଇଯାଇଥିଲା ବୋଲି ରାଜନୈତିକ ମହଲରେ ଚର୍ଚା ହୋଇଥିଲା | କାରଣ ହେଲେ ଭୁବନେଶ୍ୱରରେ ବିଜେପି ସାଂସଦ ଥିବା କାରଣରୁ ବିଜେଡିର ଲଢେଇ ବିଜେପି ସହିତ ଜୋରଦାର ହେବ ଓ କଂଗ୍ରେସ ବି କିଛି ଭୋଟ ହାତେଇବ ବୋଲି ବୋଲି କେହି କେହି ମତ ରଖୁଥିଲେ | ହେଲେ ପ୍ରାର୍ଥୀ ଘୋଷଣା କରିବା ପରେ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗୁରୁତର ଅସୁସ୍ଥ ହୋଇ ଆପୋଲରେ ଭର୍ତ୍ତି ହୋଇଯିବା, ଏକତୃତୀୟଂଶ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ନଦେବା ଓ ବିଜେପି ପ୍ରାର୍ଥୀଙ୍କ ପ୍ରଚାର ପାଇଁ କୌଣସି ଜଣେ ହାଇ ପ୍ରୋଫାଇଲ ନେତା ମୈଦାନରେ ଉପସ୍ଥିତ ନହେବା, ଦଳୀୟ ପ୍ରାର୍ଥୀଙ୍କୁ ଦଳ ତରଫରୁ ସହଯୋଗ ନମିଳିବା ଭଳି ଅଭିଯୋଗ ସାଂସଦଙ୍କ ଶିବିର ପକ୍ଷରୁ ହେବା ଘଟଣାରୁ ବିଜେଡି ପାଇଁ ମେୟର ଆସନ ହାତେଇବା ଆହୁରି ସହଜ ହୋଇଯାଇଥିଲା | କର୍ପୋରେଟର ପଦ ପାଇଁ ବିଭିନ୍ନ ୱାର୍ଡରେ ପ୍ରତିଦ୍ବନ୍ଦ୍ବିତା ତୀବ୍ର ହେବାର ସ୍ପଷ୍ଟ ସୂଚନା ଥିବା ବେଳେ ବିଦ୍ରୋହୀ ପ୍ରାର୍ଥୀମାନେ କିଛି ସମସ୍ୟା ସୃଷ୍ଟି କରିପାରନ୍ତି ବୋଲି ଅନୁମାନ କରାଯାଉଛି | ହେଲେ ମେୟର ଆସନ ବିଜେଡି ହାତେଇ ସାରିଛି, ତାହା ଆପାତତଃ ସ୍ପଷ୍ଟ ହୋଇଯାଇଛି |