ଭୁବନେଶ୍ୱର: ସଂପ୍ରତି ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ବହୁ ଭାରତୀୟ ଛାତ୍ରଛାତ୍ରୀ ନିଜ ଦେଶକୁ ଫେରିବାକୁ ବାଧ୍ୟ ହୋଇଛନ୍ତି । ଯୁଦ୍ଧ ଯୋଗୁଁ ୟୁକ୍ରେନରେ ପଢ଼ୁଥିବା ପ୍ରାୟ ୧୮ ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ । ବିଶେଷ କରି ୟୁକ୍ରେନରେ ଡାକ୍ତରୀ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଶ୍ରୀ ସାମନ୍ତ ଚିନ୍ତା ପ୍ରକଟ କରିଛନ୍ତି । ୟୁକ୍ରେନରେ ପଢ଼ୁଥିବା ଏହି ଛାତ୍ରଛାତ୍ରୀଙ୍କୁ ଭାରତରେ ଶିକ୍ଷା ଜାରି ରଖିବା ନିମନ୍ତେ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରି ସେମାନଙ୍କୁ ଡାକ୍ତରୀ ଶିକ୍ଷା ପ୍ରଦାନ କରିବା ଦିଗରେ ସହାୟକ ହେବାକୁ ଶ୍ରୀ ସାମନ୍ତ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କୁ ଅନୁରୋଧ କରିଛନ୍ତି । ସ୍ୱଦେଶ ଫେରିଥିବା ସମସ୍ତ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରି ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଖର୍ଚ୍ଚରେ ଦେଶର ବିଭିନ୍ନ ସରକାରୀ ଓ ବେସରକାରୀ ମେଡିକାଲ କଲେଜରେ ସେମାନଙ୍କ ଡାକ୍ତରୀ ଶିକ୍ଷା ଜାରି ରଖିବା ନିମନ୍ତେ ସୁଯୋଗ ଦେବାକୁ ଶ୍ରୀ ସାମନ୍ତ ଅନୁରୋଧ କରିଛନ୍ତି । ଭାରତରେ ମୋଟ ୬୦୫ ମେଡିକାଲ କଲେଜ ମଧ୍ୟରୁ ୩୨୫ଟି ଘରୋଇ ମେଡିକାଲ୍ କଲେଜ ରହିଛି । ପ୍ରତି କଲେଜରେ ପ୍ରଥମ ବର୍ଷରୁ ଶେଷ ବର୍ଷ ଏବଂ ଇଣ୍ଟର୍ନସିପରେ ହାରାହାରି ୩୦ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ନିଆଯାଇପାରିବ । ଏଥି ପାଇଁ ପ୍ରତ୍ୟେକ ମେଡିକାଲ୍ କଲେଜରେ ଥିବା ଭିତ୍ତିଭୂମି ଉପରେ ଅଧିକ ବୋଝ ପଡ଼ିବ ନାହିଁ ବୋଲି ଶ୍ରୀ ସାମନ୍ତ ଆକଳନ କରିଛନ୍ତି । ଫଳରେ ବହୁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଉପକୃତ ହୋଇପାରିବେ ବୋଲି ସାଂସଦ ଶ୍ରୀ ସାମନ୍ତ କହିଛନ୍ତି । ଗୁରୁବାର ନୂଆଦିଲ୍ଲୀଠାରେ ରେସିଡେଣ୍ଟ କମିଶନର ରବିକାନ୍ତ କୁମାରଙ୍କୁ ଭେଟିବା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରଶଂସା କରି ଶ୍ରୀ ସାମନ୍ତ କହିଛନ୍ତି, ଭୁବନେଶ୍ୱରରେ ଥାଇ ଗତ ୮ଦିନ ଧରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯେଭଳି ଭାବେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପାଇଁ ପ୍ରଚ୍ୟେଷ୍ଟା ଜାରି ରଖିଛନ୍ତି । ପିଲାମାନେ ଯେଭଳି ସୁରୁଖୁରୁରେ ନିଜ ଘରେ ପହଞ୍ଚିପାରିବେ ସେ ନେଇ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ଏହା ଅତି ପ୍ରଶଂସନୀୟ ଓ ଏହି ପଦକ୍ଷେପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ନିଜ ପରିବାର କହିବାର ଯଥାର୍ଥତା ପ୍ରତିପାଦିତ କରିଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି ।
ରାଜ୍ୟ
ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରିବାକୁ କନ୍ଧମାଳ ସାଂସଦଙ୍କ ଅନୁରୋଧ
- Hits: 524