ରାଉରକେଲା (ବସନ୍ତ କୁମାର ଜେନା):ମହାରତ୍ନ କମ୍ପାନୀ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ ର ଅନ୍ୟତମ ୟୁନିଟ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ରୂପେ ଶ୍ରୀ ଅତନୁ ଭୌମିକ ୨୦୨୨ ଫେବୁଆରୀ ୧୧ ତାରିଖରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ରାଉରକେଲା ଜାତୀୟ ଟେକ୍ନୋଲୋଜି ପ୍ରତିଷ୍ଠାନ(ଏନଆଇଟି)ରୁ ମେଟାଲରଜି ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଶ୍ରୀ ଭୌମିକ ୧୯୮୮ ମସିହାରେ ସେଲର ରାଉରକେଲା ଇସ୍ପାତ କାରଖାନାରେ ଯୋଗଦେଇଥିଲେ । ତାଙ୍କର ପ୍ରଥମ ପୋଷ୍ଟିଂ ଆରଏସପିର ବ୍ଲାଷ୍ଟ ଫର୍ଣ୍ଣେସ ବିଭାଗରେ ହୋଇଥିଲା, ଯେଉଁଠାରେ ସେ ଦୀର୍ଘ ୨୯ ବର୍ଷ କାର୍ଯ୍ୟ କରିଥିଲେ। ସେ ତାଙ୍କର କଠିନ ପରିଶ୍ରମ, ପ୍ରତିବଦ୍ଧତା, ନିଷ୍ଠାପର ପ୍ରୟାସ ଓ ବୈଷୟିକ ଦକ୍ଷତାକୁ ଆଧାରକରି ପ୍ରତିଷ୍ଠାନରେ କ୍ରମାଗତ ଭାବରେ ପଦୋନ୍ନତି ଲାଭକରି ୨୦୧୬ ମସିହାରେ ମହାପ୍ରବନ୍ଧକ (ପରେ ମୁଖ୍ୟ ମହାପ୍ରବନ୍ଧକ ଭାବରେ ନାମିତ) ପଦବୀକୁ ଉନ୍ନୀତ ହୋଇଥିଲେ । ପରବର୍ତ୍ତୀ ସମୟରେ, ଡିସେମ୍ବର ୨୦୧୮ ମସିହାରେ, ଶ୍ରୀ ଭୌମିକ ସେବା କ୍ଷେତ୍ରର ଦାୟିତ୍ଵ ଗ୍ରହଣ କରିକଲେ ଏବଂ ତା’ପରେ ୨୦୧୯ ମସିହା ମଇ ମାସରେ ତାଙ୍କୁ ଆରଏସପି ପ୍ରକଳ୍ପ ବିଭାଗର ମୁଖ୍ୟ କରାଯାଇଥିଲା। ଅକ୍ଟୋବର ୨୦୧୯ ମସିହାରେ ସେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦବୀକୁ ଉନ୍ନୀତ ହୋଇ ବୋକାରୋ ଷ୍ଟିଲ୍ ପ୍ଲାଣ୍ଟରେ ଯୋଗ ଦେଇଥିଲେ। ବୋକାରୋରେ ଅପରେସନ୍ସ ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ସ୍ୱଳ୍ପ କାର୍ଯ୍ୟକାଳ ପରେ, ଶ୍ରୀ ଭୌମିକ ଫେବୃଆରୀ ୨୦୨୦ ରେ କାର୍ଯ୍ୟ ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଅପାର ଅଭିଜ୍ଞତା ଏବଂ ପାରଦର୍ଶୀତା ସହିତ ଶ୍ରୀ ଭୌମିକ ବୋକାରୋରେ ଉତ୍ପାଦନ କ୍ଷେତ୍ରରେ ଏକ ବୃହତ ପରିବର୍ତ୍ତନ ଆଣିଥିଲେ, ଯାହା ଏକ ସୁସଙ୍ଗତ କାର୍ଯ୍ୟ ପରିବେଶ ସହିତ ଉଚ୍ଚ ଉତ୍ପାଦନ, ଉତ୍ପାଦକତା ଏବଂ ଲାଭଦାୟକତା ର ବାତାବରଣ ସୃଷ୍ଟି କରିପାରିଥିଲା । ଉଲ୍ଲେଖନୀୟ ଯେ, ଶ୍ରୀ ଅତନୁ ଭୌମିକଙ୍କର ପିତା ସ୍ଵର୍ଗତ ବି.ବି ଭୌମିକ ଆରଏସପିର ସାମଗ୍ରୀ ପରିଚାଳନା ବିଭାଗରୁ ୧୯୯୨ ମସିହାରେ ଅବସର ଗ୍ରହଣ କରିଥିଲେ । ରାଉରକେଲାରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଭୌମିକ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପୂର୍ବରୁ ସ୍ଥାନୀୟ ସେଣ୍ଟ ପଲ ସ୍କୁଲ ଏବଂ ରାଉରକେଲା ସରକାରୀ କଲେଜରେ ଶିକ୍ଷା ଲାଭ କରିଥିଲେ। ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ ରୂପେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ଭୌମିକ ନିଜର ରାଉରକେଲା ପ୍ରତ୍ୟାବର୍ତ୍ତନ କୁ ନେଇ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି, ଏବଂ କହିଛନ୍ତି ଯେ ରାଉରକେଲାକୁ ସେ ସର୍ବଦା ନିଜର ଘର ବୋଲି ଭାବନ୍ତି। “ମୋର ପିଲାଦିନ ଏବଂ ମୋର ବୃତ୍ତିଗତ ଜୀବନର ପ୍ରଥମ ୩୧ ବର୍ଷ ଏଠାରେ ବିତାଇଥିବାରୁ ରାଉରକେଲା ସର୍ବଦା ମୋ ହୃଦୟର ନିକଟତର ରହି ଆସିଛି। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ରୁ ମୋତେ ପୁଣି ଥରେ ଏହି ଭୂମି ଏବଂ ଏହି ଇସ୍ପାତ କାରଖାନାର ସେବା କରିବାର ସୁଯୋଗ ମିଳିଛି” ବୋଲି ସେ ରାଉରକେଲା ସାମୁଦାୟିକଙ୍କୁ ନିଜ ବାର୍ତ୍ତାରେ କହିଛନ୍ତି।
ରାଜ୍ୟ
ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ରୂପେ ଶ୍ରୀ ଅତନୁ ଭୌମିକଙ୍କ ଦାୟିତ୍ଵ ଗ୍ରହଣ
- Hits: 940