ସୁନ୍ଦରଗଡ଼ - ବିକଳାଙ୍ଗ ଦୁଇ ହାତରେ ପୁଣି ଅଙ୍କାବଙ୍କା ଆଙ୍ଗୁଳି | ତଥାପି ମନରେ ଖୁନ୍ଦି ହୋଇଛି ନିଜ ଗୋଡ଼ରେ ଛିଡା ହେବା, କିଛି କରି ଦେଖାଇବାର ଅଦ୍ୟମ ଇଛାଶକ୍ତି ଓ ସାହସ | ସେଥିପାଇଁ ଦୀର୍ଘ ଚାରି ବର୍ଷ ହେଲା ଏକ ଝାଳ ମୁଢି ଦୋକାନ ଦେଇ ନିଜ ମାଆ ବାପାଙ୍କ ଦାୟିତ୍ୱ ନେବାକୁ ସେ ଆଗଭର ହୋଇଛନ୍ତି | ଆମେ କହୁଛୁ ଗୁରୁଣ୍ଡିଆ ବ୍ଲକ ତାମଡା ପଞ୍ଚାୟତ ଅନ୍ତର୍ଗତ ଝିରପାନି ଗ୍ରାମର ସୁଖଧାମ ଲାକ୍ରା ଓ ଆଲବିନା ଲାକ୍ରାଙ୍କ ପୁଅ ଅଜିତ ଲାକ୍ରାଙ୍କ କଥା | ଜନ୍ମରୁ ଅଜିତଙ୍କ ଦୁଇ ହାତ ଅକ୍ଷମ ହୋଇଥିବା ବେଳେ ଦୁଇ ହାତର ପାପୁଲିରେ ଛୋଟ ଛୋଟ ଅଙ୍କାବଙ୍କା ଆଙ୍ଗୁଳି ରହିଛି | ତାଛଡା ଅଜିତ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ରାଉରକେଲା ମୁନସିପାଲ ମହାବିଦ୍ୟାଳୟରେ କଳାରେ ଯୁକ୍ତ ଦୁଇ ପାସ କରିଛନ୍ତି | ତେବେ ପରିବାରର ଦୁରାବସ୍ଥା ଓ ଆର୍ଥିକ ଅନାଟନ ଯୋଗୁଁ ତାଙ୍କ ଉଚ୍ଚ ଶିକ୍ଷାର ସ୍ବପ୍ନରେ ଡୋରି ବନ୍ଧା ହୋଇଥିଲା |ରାଜ୍ୟ ସରକାର ଠାରୁ କେନ୍ଦ୍ର ସରକାର ଯାଏ ଭିନ୍ନକ୍ଷମ ସଶକ୍ତିକରଣର ଡ଼ିଡ଼ିମ୍ବ ପିଟୁଥିବା ବେଳେ କେବଳ ଭିନ୍ନକ୍ଷମ ଭତ୍ତାରେ ଅଜିତଙ୍କ ଦାୟିତ୍ୱ ସାରିଛି ପ୍ରଶାସନ | ତେଣୁ ଦିନେ ଉଚ୍ଚ ଶିକ୍ଷାର ସ୍ବପ୍ନରେ ମସଗୁଲ ଥିବା ଅଜିତଙ୍କ ଆଶା ଓ ଆକାଂକ୍ଷା ବଣର ମଲ୍ଲୀ ଭଳି ବଣରେ ଫୁଟି ବଣ ଭିତରେ ହିଁ ମଉଳି ଯାଇଛି | ତେବେ ସରକାର ଓ ପ୍ରଶାସନ ଠାରୁ ଅଣଦେଖାର ଶିକାର ହୋଇଥିଲେ ମଧ୍ୟ ହାରିନାହାନ୍ତି ଅଜିତ | ଏକ ଛୋଟ ଝାଳ ମୁଢି ଦୋକାନ କରି ନିଜ ମାଆ ବାପାଙ୍କ ଦାୟିତ୍ୱ ନେବାକୁ ଅଣ୍ଟା ଭିଡିଛନ୍ତି | ଆଜି ବହୁ ସକ୍ଷମ ମଣିଷ ସୁବିଧାବାଦୀ ହୋଇ ମାଗଣା ଖାଦ୍ୟ, ମାଗଣା ପକ୍କା ଘର, ମାଗଣା ଅର୍ଥ ହାତେଇ ବେଶ ଆରାମରେ ରହିବାକୁ ଚାଁହୁଛନ୍ତି | ଏପରିକି ଅନେକ ଧନୀ ଏସବୁ ସୁବିଧା ହାତେଇବାକୁ ଗରିବର ପରିଚୟ ଦେବାକୁ କୁଣ୍ଠିତ ବା ଲଜ୍ଜିତ ମଧ୍ୟ ହେଉନାହାନ୍ତି | ତେବେ ଅଜିତ ଭଳି ଜଣେ ଭିନ୍ନକ୍ଷମ ଯୁବକ ମାଗଣା ଠାରୁ ଦୂରେଇ ରହି ସ୍ୱାବଲମ୍ବୀ ହେବାକୁ ଉଦ୍ୟମ କରିବା କଥା ସେଇ ସୁବିଧାବାଦୀ ଲୋକଙ୍କ ଆଖି ଖୋଲିବାରେ ସହାୟକ ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି |
ରାଜ୍ୟ
ଭିନ୍ନକ୍ଷମ ହୋଇବି ହାରି ନାହାନ୍ତି ଅଜିତ: ସାଜିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ
- Hits: 626