ଚାଷୀମାନଙ୍କ ସୁବିଧା ପାଇଁ ପ୍ୟାକ୍ସକୁ ୱାନ ଷ୍ଟପ ସେଣ୍ଟରରେ ପରିଣତ କରାଯାଉଛି: ସମବାୟ ମନ୍ତ୍ରୀ ଶ୍ରୀ ସ୍ୱାଇଁ
ଭୁବନେଶ୍ୱର-(ଶାସକ ପ୍ରଶାସକ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୨୮ଟି ପ୍ୟାକ୍ସ / ଲ୍ୟାମ୍ପ୍ସ ରେ ବହୁମୁଖୀ ଗୋଦାମଗୃହ ନିର୍ମାଣ କରାଯିବ । ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦର ଅଧ୍ୟକ୍ଷ ତଥା ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବହୁମୁଖୀ ଗୋଦାମଗୃହ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଓ କୃଷକଙ୍କଦ୍ୱାରା ଉତ୍ପାଦିତ ଦ୍ରବ୍ୟର ସୁବିଧାରେ ବିକି୍ରବଟା ନିମନ୍ତେ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ଚାଷୀମାନଙ୍କ ସୁବିଧା ନିମନ୍ତେ ପ୍ୟାକ୍ସ / ଲ୍ୟାମ୍ପ୍ସ ଗୁଡିକୁ ୱାନ ଷ୍ଟପ ସେଣ୍ଡରରେ ପରିଣତ କରାଯାଉଛି, ଯଦ୍ୱାରା ଗୋଟିଏ ସ୍ଥାନରେ ଚାଷୀମାନେ ସବୁପ୍ରକାରର ସୁବିଧା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ପ୍ୟାକ୍ସ / ଲ୍ୟାମ୍ପ୍ସରେ ବହୁମଖୀ ଗୋଦାମ ଗୃହ ନିର୍ମାଣ ଦ୍ୱାରା ଚାଷୀମାନଙ୍କ ଠାରୁ ଧାନ ଏବଂ ଡ଼ାଲି ଓ ତୈଳବୀଜ ସଂଗ୍ରହରେ ସୁବିଧା ହେବା ସହିତ ·ଷୀମାନଙ୍କୁ ଯୋଗାଇ ଦିଆଯାଉଥିବା ସାର ଓ ବିହନ ଗଚ୍ଛିତ ରଖି ବିକ୍ରି କରିବାରେ ମଧ୍ୟ ସୁବିଧା ହେବ । ଏଥି ସହିତ ପ୍ୟାକ୍ସ / ଲ୍ୟାମ୍ପ୍ସ ପରିସରରେ କାର୍ଯ୍ୟାଳୟର ସୁବିଧା ନିମନ୍ତେ ଅଫିସ ଗୃହ ନିର୍ମାଣ କରାଯିବ । ଏହା ଦ୍ୱାରା ଚାଷୀମାନଙ୍କର ବିଭିନ୍ନ ଆବଶ୍ୟକତା ପୂରଣ ହୋଇପାରିବ ।
ଯେଉଁସବୁ ପ୍ୟାକ୍ସ / ଲ୍ୟାମ୍ପ୍ସ ର ନିଜସ୍ୱ ଜମିଅଛି ମାତ୍ର ଅର୍ଥାଭାବ ଯୋଗୁ ଗୋଦାମଗୃହ ନିର୍ମାଣ କରିପାରୁ ନାହାନ୍ତି, ସେଠାରେ ସ୍ଥାନୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ପ୍ରଦତ୍ତ ଅର୍ଥରେ ବହୁମୁଖୀ ଗୋଦାମଗୃହ ନିର୍ମାଣ କରାଯିବ । ଏଥିରେ ୫୦ଟନ ଲେଖାଏଁ କ୍ଷମତା ବିଶିଷ୍ଟ ଦୁଇଟି ଗୋଦାମଗୃହ ନିର୍ମାଣ କରାଯିବ । ଏଥି ସହିତ ଗୋଟିଏ ଅଫିସ ଗୃହ ସମେତ ପାନୀୟଜଳ ଓ ଶୌଚାଳୟର ମଧ୍ୟ ବ୍ୟବସ୍ଥା ରହିବ । ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ଦ୍ୱାରା ଏହାର ଏକ ମଡେଲ ଡିଜାଇନ ଓ ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି । ପ୍ରତି ବହୁମୁଖୀ ଗୋଦାମଗୃହ ନିର୍ମାଣ ନିମନ୍ତେ ୨୬ ଲକ୍ଷ ଟଙ୍କା ବ୍ୟୟ କରାଯିବ । ଗୋଦାମ ଗୃହ ନିର୍ମାଣ ପୂର୍ବରୁ ନିୟନ୍ତ୍ରିତ ବଜାର କମିଟି ସହିତ ସଂପୃକ୍ତ ପ୍ୟାକ୍ସ / ଲ୍ୟାମ୍ପ୍ସ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବ । ଜିଲ୍ଲା ପ୍ରଶାସନ ପରାମର୍ଶରେ ଗୋଦାମଗୃହ ନିର୍ମାଣକାର୍ଯ୍ୟ କରାଯିବା ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରି ଚାଷୀମାନଙ୍କୁ ସୁବିଧା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ପର୍ଯ୍ୟାୟରେ ଆଠମଲ୍ଲିକ, ଜଳେଶ୍ୱର, ଭଦ୍ରକ, ଚାନ୍ଦବାଲି, କରଞ୍ଜିଆ, ଭଞ୍ଜନଗର, ହିଞ୍ଜିଳିକାଟୁ, ପାରଳାଖେମୁଣ୍ଡି, କଂଟାବାଞ୍ଝି, ବୀରମହାରାଜପୁର, କେନ୍ଦୁପାଟଣା, ନରସିଂହପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେ଼ଙ୍କାନାଳ, କାମାକ୍ଷାନଗର, ହିନେ୍ଦାଳ, ଭବାନୀପାଟଣା, ଜୁନାଗଡ଼, କେସିଙ୍ଗା, କେନ୍ଦୁଝର, ଜଟଣୀ, ବାଲୁଗାଁ, ବୈାଦ୍ଧ, ସମ୍ବଲପୁର, ଯାଜପୁର, ବାହାଡ଼ଝୋଲା ଓ ଦେବଗଡ଼ ଆଦି ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ ୧୨୮ଟି ପ୍ୟାକ୍ସ / ଲ୍ୟାମ୍ପ୍ସରେ ବହୁମୁଖୀ ଗୋଦାମଗୃହ ନିର୍ମାଣ କରାଯିବ ।