ହେଡଲାଇନସ୍:

କିସ୍‍ରେ ଆୟୋଜିତ ହେବ ବିଶ୍ୱ ନୃବିଜ୍ଞାନ କଂଗ୍ରେସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ୨୦୨୩ ଜାନୁଆରୀରେ ଅନୁଷ୍ଠିତ  ହେବାକୁ ଥିବା କଂଗ୍ରେସରେ ବିଶ୍ୱର ୧୫୦ଟି ଦେଶରୁ ଯୋଗଦେବେ  ୧୦ହଜାରରୁ ଊଦ୍ଧ୍ୱର୍ ନୃତତ୍ତ୍ୱବିତ୍‍, ଶିକ୍ଷାବିତ୍‍, ଗବେଷକ ଓ ପ୍ରତିନିଧି

କିସ୍‍ରେ ଆୟୋଜିତ ହେବ ବିଶ୍ୱ ନୃବିଜ୍ଞାନ କଂଗ୍ରେସ

ଭୁବନେଶ୍ୱର: କିସ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉତ୍କଳ  ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହଯୋଗରେ ଅନୁଷ୍ଠିତ ହେବ ବିଶ୍ୱର ସର୍ବ ବୃହତ କଂଗ୍ରେସ (ବିଶ୍ୱ ନୃବିଜ୍ଞାନ କଂଗ୍ରେସ) ‘ୱାଲ୍‍ର୍ଡ କଂଗ୍ରେସ୍‍ ଫର୍‍ ଆନ୍‍ଥ୍ରୋପୋଲୋଜି’-୨୦୨୩ । ପ୍ରତି ପାଞ୍ଚବର୍ଷରେ ଥରେ ଏହି କଂଗ୍ରେସ ଆୟୋଜନ ହେଉଥିବା ବେଳେ ୨୦୨୩ ମସିହାରେ କିଟ୍‍ ଓ କିସ୍‍ରେ ଏହା ଆୟୋଜିତ ହେବାକୁ ଯାଉଛି । କିସ୍‍ରେ ବିଶ୍ୱର ଏହି ସମ୍ମାନଜନକ କଂଗ୍ରେସ ଆୟୋଜନ କରିବା ପାଇଁ ଗତ ୫ବର୍ଷ ଧରି କିସ୍‍ ଉଦ୍ୟମ କରିଆସୁଥିଲା । ଶେଷରେ ୨୦୨୩ ମସିହାରେ ଏହି କଂଗ୍ରେସ ଆୟୋଜନ କରିବା ପାଇଁ କିସ୍‍କୁ ସୁଯୋଗ ମିଳିଛି । ଦୀର୍ଘ ୪୫ବର୍ଷ ପରେ ବିଶ୍ୱ ନୃବିଜ୍ଞାନ କଂଗ୍ରେସ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି କଂଗ୍ରେସ ଆୟୋଜନ ପାଇଁ ଅଲିମ୍ପିକ୍‍, ଫିଫା, ବିଶ୍ୱକପ୍‍ କ୍ରିକେଟ୍‍ ଭଳି ବିଶ୍ୱସ୍ତରୀୟ ବିଡିଂ କରାଯାଇଥାଏ । ୨୦୧୪ରେ କିସ୍‍ ଏହି ବିଡିଂରେ ଅଂଶଗ୍ରହଣ କରିଥିଲେ ମଧ୍ୟ ବ୍ରାଜିଲ୍‍ ଏହି ସୁଯୋଗ ପାଇଥିଲା । ଚଳିତବର୍ଷ ବ୍ରାଜିଲ୍‍ରେ ଗତ ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ବିଶ୍ୱ ନୃବିଜ୍ଞାନ କଂଗ୍ରେସ ଅନୁଷ୍ଠିତ  ହୋଇଯାଇଛି । ଏଥିରେ ବିଶ୍ୱର ବିଭିନ୍ନ ଦେଶରୁ ୫ହଜାରରୁ ଉର୍ଧ୍ଵ  ନୃତତ୍ତ୍ୱବିତ୍‍ ଯୋଗଦେଇଥିଲେ । ଏହି କଂଗ୍ରେସ୍‍ରେ କିସ୍‍କୁ ବିଶ୍ୱର ସର୍ବବୃହତ ନୃବିଜ୍ଞାନ ପରୀକ୍ଷାଗାରର ଆଖ୍ୟା ଦିଆଯାଇଥିବା ବେଳେ ଏଥି ପାଇଁ କିସ୍‍ର ପ୍ରତିଷ୍ଠାତା  ଅଚ୍ୟୁତ  ସାମନ୍ତଙ୍କୁ ଭୂୟସୀ ପ୍ରଶଂସା କରାଯିବା ସହ କିସ୍‍କୁ ସଂପୂର୍ଣ୍ଣ ସମର୍ଥନ ମିଳିଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ୨୦୨୩ ମସିହା ବିଶ୍ୱ କଂଗ୍ରେସ ଆୟୋଜନ ପାଇଁ ବିଡିଂ କରାଯାଇଥିଲା । ବିଭିନ୍ନ ପର୍ଯ୍ୟାୟରେ ବିଡିଂ କରାଯାଇଥାଏ । ଚୂଡ଼ାନ୍ତ ପର୍ଯ୍ୟାୟ ବିଡିଂ ଭାରତ ତରଫରୁ ଓଡ଼ିଶାର କିସ୍‍ ବିଶ୍ୱବିଦ୍ୟାଳୟ ଏବଂ କ୍ରୋଏସିଆ ମଧ୍ୟରେ ହୋଇଥିଲା । ଏଥିରେ କିସ୍‍କୁ ସର୍ବାଧିକ ୨୦୮୪ ଭୋଟ ମିଳିଥିବା ବେଳେ ପ୍ରତିଯୋଗୀ କ୍ରୋଏସିଆକୁ ମାତ୍ର ୮୯ଟି ଭୋଟ ମିଳିଥିଲା । କିସ୍‍ ବିଶ୍ୱବିଦ୍ୟାଳୟରେ ବିଶ୍ୱର ଏହି ସର୍ବପୁରାତନ କଂଗ୍ରେସ କିପରି ଆୟୋଜନ କରାଯାଇପାରିବ ସେଥିନେଇ କିସ୍‍ କର୍ତ୍ତୃପକ୍ଷଙ୍କ ସମେତ ଉତ୍କଳ  ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଦ୍ୱୟ ବ୍ୟାପକ ଉଦ୍ୟମ କରିଥିଲେ । ଶେଷରେ କିସ୍‍ ଏହି ବିଡିଂରେ ବିଜୟ ଲାଭ କରି ବିଶ୍ୱ ନୃବିଜ୍ଞାନ କଂଗ୍ରେସ ଆୟୋଜନ କରିବା ପାଇଁ ମନୋନୀତ ହୋଇଛି । ବିଶ୍ୱସ୍ତରୀୟ ଏହି ବିଡିଂରେ କିସ୍‍କୁ ବିପୁଳ ଭୋଟ ମିଳିବା ପରେ ସମଗ୍ର ବିଶ୍ୱରେ କିସ୍‍ର ଆଦୃତି ସ୍ପଷ୍ଟ ହୋଇଛି । ୨୦୨୩ ଜାନୁଆରୀ ମାସରେ କିଟ୍‍ ଓ କିସ୍‍ରେ ଏହି ବିଶ୍ୱ ନୃବିଜ୍ଞାନ କଂଗ୍ରେସ ଅନୁଷ୍ଠିତ  ହେବାକୁ ଥିବା ବେଳେ ବିଶ୍ୱର ୧୫୦ଟି ଦେଶରୁ ୧୦ହଜାରରୁ ଊଦ୍ଧ୍ୱର୍ ନୃତତ୍ତ୍ୱବିତ୍‍, ଶିକ୍ଷାବିତ୍‍, ଗବେଷକ ଓ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଠାରେ ସୂଚନାଯୋଗ୍ୟ, ଓଡ଼ିଶାରେ ବିଭିନ୍ନ ସମ୍ମାନଜନକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଶ୍ରୀ ସାମନ୍ତ ସର୍ବଦା ଚେଷ୍ଟା କରିଥାନ୍ତି । ବିଶ୍ୱ ନୃବିଜ୍ଞାନ କଂଗ୍ରେସ ବିଶ୍ୱର ସର୍ବବୃହତ ଓ ସର୍ବପୁରାତନ କଂଗ୍ରେସ୍‍ ହୋଇଥିବାରୁ ଶ୍ରୀ ସାମନ୍ତ ଓଡ଼ିଶାକୁ ଏକ ବଡ଼ କାର୍ଯ୍ୟକ୍ରମ ଆଣିପାରିଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଏହି ଅବସରରେ ଶ୍ରୀ ସାମନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶା ସରକାରଙ୍କୁ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଆହୁରି ମଧ୍ୟ ଶ୍ରୀ ସାମନ୍ତ ଉକ୍ରଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରାଙ୍କୁ ସେମାନଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ସପ୍ତାହରେ ଉଭୟ ବିଶ୍ୱବିଦ୍ୟାଳୟର କୁଳପତି ଓ କିଟ୍‍-କିସ୍‍ ପ୍ରତିଷ୍ଠାତା  ଶ୍ରୀ ସାମନ୍ତ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏ ସଂପର୍କରେ ବିସ୍ତୃତ ସୂଚନା ଦେବେ ।

0
0
0
s2sdefault