ହେଡଲାଇନସ୍:

" ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ କରନ୍ତୁ କେନ୍ଦ୍ର ସରକାର "

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜୁ ଜନତା ଦଳ ସାଂସଦମାନେ କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀଲଙ୍କୁ ଭେଟି କଲେ ଦାବି

ନୂଆଦିଲ୍ଲୀ : ଭାରତୀୟ ସ୍ବାଧୀନତା ସଂଗ୍ରାମକୁ ପାଇକଙ୍କ ବୀରତ୍ବ ଓ ବଳିଦାନ ଅତୁଳନୀୟ । ଖୋର୍ଦ୍ଧାର ବୀର ପାଇକମାନେ ହିଁ ସମଗ୍ର ଦେଶରେ ପ୍ରଥମ ଥର ପାଇଁ ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ସଶସ୍ତ୍ର ଲଢେଇ କରିଥିଲେ । ଏ ବିଦ୍ରୋହର ସ୍ବର ଦେଶର କୋଣ ଅନୁକୋଣକୁ ବ୍ୟାପିଥିଲା । ପାଇକ ବିଦ୍ରୋହ ହିଁ ବ୍ରିଟିଶ ଶାସକଙ୍କ ବିରୋଧରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ | ଓଡ଼ିଆ ଓଡ଼ିଆ ପାଇକ ବୀରଙ୍କ ଅମଳିନ ତ୍ୟାଗ ତଥା ସାହାସୀକତାକୁ କେନ୍ଦ୍ର ସରକାର ସମ୍ମାନ ଦିଅନ୍ତୁ । ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ କରନ୍ତୁ ବୋଲି ଆଜି ବିଜୁ ଜନତା ଦଳ ସାଂସଦମାନେ କେନ୍ଦ୍ର ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘେୱାଲଙ୍କୁ ଭେଟି ଏ ଦାବି କରିବା ସହ ଏ ସମ୍ପର୍କିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ବିଜେଡି ସାଂସଦମାନେ ଦେଇଥିବା ସ୍ମାରକପତ୍ରରେ ଦର୍ଶାଯାଇଛି ଯେ , ୧୮୧୭ ମସିହାରେ ପାଇକମାନେ ବ୍ରିଟିଶ ସରକାର ବିରୋଧରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ବରେ ସଂଗଠିତ ହୋଇ ବିଦ୍ରୋହ କରିଥିଲେ । ୧୮୫୭ ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ଏ ସାହାସିକତା ଫିରିଙ୍ଗି ଶାସକଙ୍କ ବିରୋଧରେ ଦେଖାଇବାର ଆସ୍ପର୍ଦ୍ଧା କରିଥିଲେ ମାତୃଭୁମିର ସ୍ୱାଧୀନତା ପାଇଁ । ଏ ସଂଗ୍ରାମ ବ୍ରିଟିଶ ସରକାରଙ୍କ ବିରୋଧରେ ବିଦ୍ରୋହର ନିଆଁକୁ ତେଜୀୟାନ କରିଥିଲା । ୨୦୧୭, ଜୁଲାଇ ୧୮ରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଲା । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳୀନ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିବା ସହ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ଅନୁରୋଧ କରିଥିଲେ । ଓଡ଼ିଆ ସ୍ବାଭିମାନ, ଅସ୍ମିତା ଓ ବୀରତ୍ବର ସମ୍ମାନ ପାଇଁ ସାରା ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କ ଏ ପ୍ରସ୍ତାବକୁ ହୃଦୟରୁ ସମର୍ଥନ କରିଥିଲେ । ସେଇବର୍ଷ ଜୁଲାଇ ୨୦ରେ ପାଇକ ବିଦ୍ରୋହର ଦ୍ବିଶତବାର୍ଷିକୀ ଉତ୍ସବ ନୂଆଦିଲ୍ଲୀରେ ପାଳିତ ହୋଇଥିଲା । ଏହାକୁ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଉଦଘାଟନ କରିଥିଲେ । ଏହି ସଭାରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଏ ଦାବିକୁ ଦୋହରାଇ ଥିଲେ ।
୨୦୧୭ ଅକ୍ଟୋବର ୨୩ରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକର ଭୁବନେଶ୍ବରରେ ଏକ ପ୍ରେସ ମିଟରେ ଘୋଷଣା କଲେ, ଇତିହାସ ବହିରେ ପାଇକ ବିଦ୍ରୋହକୁ ସ୍ବତନ୍ତ୍ର ସ୍ଥାନ ମିଳିବ । ଓଡ଼ିଶାବାସୀ ଆଶା କରିଥିଲେ, କେନ୍ଦ୍ର ପାଇକ ବିଦ୍ରୋହକୁ ପ୍ରଥମ ସଂଗ୍ରାମ ଭାବେ ଘୋଷଣା କରିବ । ମାତ୍ର ବିଡମ୍ବନା ଏବେ କେନ୍ଦ୍ର ରାଜ୍ୟର ଏହି ଦାବିକୁ କେନ୍ଦ୍ରସରକାର ଏଡ଼ାଇ ଯାଇଛନ୍ତି । କେନ୍ଦ୍ର ସରକାରଙ୍କ ଏ ନିଷ୍ପତ୍ତି ରାଜ୍ୟବାସୀଙ୍କୁ ଆଘାତ ଦେଇଛି | ଏ ନିଷ୍ପତ୍ତି ଓଡ଼ିଶା ଅସ୍ମିତା, ଇତିହାସ, ପରମ୍ପରା ଓ ସାଢ଼େ ୪ କୋଟି ଓଡ଼ିଆଙ୍କ ପ୍ରତି ଏହା ଅପମାନ । କେନ୍ଦ୍ର ସରକାର ତୁରନ୍ତ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ବିଜେଡି ସାଂସଦମାନେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମେଘେୱାଲଙ୍କ ନିକଟରେ ଦାବି ରଖିଛନ୍ତି । ଏହି ପ୍ରତିନିଧି ଦଳରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ରମେଶ ମାଝୀ, ମୁନ୍ନା ଖାଁ, ସସ୍ମିତ ପାତ୍ର,  ଅମର ପଟ୍ଟନାୟକ, ଅଚ୍ୟୁତ ସାମନ୍ତ, ଚନ୍ଦ୍ରାଣି ମୁର୍ମୁ, ସୁଜିତ କୁମାର ପ୍ରମୁଖ ସାମିଲ ଥିଲେ | 

0
0
0
s2sdefault