ହେଡଲାଇନସ୍:

ପ୍ରଥମ ଓଡିଆ : ଡ. ପରାଶର ମହାନ୍ତିଙ୍କୁ ସମ୍ମାନଜନକ ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ ଶିକ୍ଷକ ପୁରସ୍କାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର-(ଶାସକ ପ୍ରଶାସକ) : ଭାରତୀୟ ବୈଷୟିକ ପ୍ରତିଷ୍ଠାନ (ଆଇଆଇଟି)ର ଗଣିତ ଓ ପରିସଂଖ୍ୟାନ ବିଭାଗ, କାନପୁର, ଉତ୍ତର ପ୍ରଦେଶଠାରେ ପ୍ରଫେସର ରୂପେ କାର୍ଯ୍ୟରତ ଡ ପରାଶର ମହାନ୍ତି ସମ୍ମାନଜନକ ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ ଶିକ୍ଷକ ପୁରସ୍କାର-୨୦୨୧ ଲାଭ କରିଛନ୍ତି । ଏପରି ବିରଳ କୃତିତ୍ୱ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଓଡିଆ ।
ଭାରତୀୟ ମହାବିଦ୍ୟାଳୟ, ବିଶ୍ୱ ବିଦ୍ୟାଳୟ ଏବଂ ବିଭିନ୍ନ ଶିକ୍ଷା ପ୍ରତିଷ୍ଠାନଗୁଡିକରେ ଶିକ୍ଷାଦାନର ମାନକୁ ସ୍ୱୀକୃତି ଦେବା ସହ ଶିକ୍ଷାଦାନର ଗୁଣବତ୍ତା ମୂଲ୍ୟାୟନ ତଥା ନିରବଚ୍ଛିନ୍ନତା ଦିଗରେ କାର୍ଯ୍ୟ କରୁଥିବା ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ ( ଆଇଏନ୍ଏସ୍ଏ ) ଦ୍ୱାରା ଉକ୍ତ ପୁରସ୍କାରର ଆରମ୍ଭ କରାଯାଇଛି । ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଯେଉଁ ଶିକ୍ଷକମାନେ ଛାତ୍ରମାନଙ୍କ କ୍ୟାରିଅରକୁ ଆଗେଇ ନେବାରେ ମାର୍ଗଦର୍ଶନ କରିବା ସହ ସେମାନଙ୍କୁ ଅନୁପ୍ରାଣିତ ଓ ଉତ୍ସାହିତ କରିଛନ୍ତି, ସେମାନଙ୍କ ନିଷ୍ଠାପର ବୃତ୍ତିକୁ ସ୍ୱୀକୃତି ଦେବା ଏବଂ ସେହି କୃତି ଶିକ୍ଷକମାନଙ୍କୁ ସମ୍ମାନିତ କରିବା ଏହି ପୁରସ୍କାରର ଲକ୍ଷ୍ୟ ଅଟେ । ମେଡିକାଲ ଏବଂ ଇଂଜିନିୟରିଂ ବିଜ୍ଞାନ ସମେତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରତ୍ୟେକଟି ବିଭାଗ ଉକ୍ତ ପୁରସ୍କାର ଅଧୀନରେ ଆସିଥାଏ । ବର୍ଷରେ ୧୫ ଟି ପର୍ଯ୍ୟନ୍ତ ପୁରସ୍କାର ଦେବାର ବ୍ୟବସ୍ଥା ଏଥିରେ ରହିଛି ।
ଏପରି ମର୍ଯ୍ୟାଦାପୂର୍ଣ୍ଣ ପୁରସ୍କାର ଘୋଷଣା କରି ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ ଗାଣିତିକ ଡକଫର ପରାଶର ମହାନ୍ତିଙ୍କ ଉଚ୍ଚମାନର ଗବେଷଣା ଏବଂ ଉତ୍ସାହପ୍ରଦ ଶିକ୍ଷାଦାନକୁ ସ୍ୱୀକୃତି ଦେଇଛି । ପ୍ରଫେସର ମହାନ୍ତି ଗବେଷଣା ଏବଂ ଶିକ୍ଷାଦାନ ମଧ୍ୟରେ ଉପଯୁକ୍ତ ସନ୍ତୁଳନ ରକ୍ଷା କରିବାରେ ସିଦ୍ଧହସ୍ତ ବୋଲି ପ୍ରମାଣିତ ହୋଇଛନ୍ତି । ଏଥିଯୋଗୁଁ ବହୁ ସଂଖ୍ୟକ ବିଦ୍ୟାର୍ଥୀ ପିଏଚ୍ଡି ହାସଲ କରିବାରେ ତଥା ପ୍ରମୁଖ ଅନୁଷ୍ଠାନଗୁଡିକରେ ଅଧ୍ୟାପନା ବୃତ୍ତିରେ ନିୟୋଜିତ ହେବାରେ ସମର୍ଥ ହୋଇପାରିଛନ୍ତି । ବଂଚିତ ବିଦ୍ୟାର୍ଥୀମାନଙ୍କ ପ୍ରତି ତାଙ୍କର ଅବଦାନ ଉଚ୍ଚ ପ୍ରଶଂସିତ ହୋଇପାରିଛି । ପ୍ରଫେସର ପରାଶର ମହାନ୍ତି ତାଙ୍କର ଗୁରୁ ପ୍ରଫେସର ସ୍ୱାଧୀନ ପଟ୍ଟନାୟକଙ୍କ ଦ୍ୱାରା ବିଶେଷ ଭାବେ ଅନୁପ୍ରାଣୀତ ଅଟନ୍ତି ।

0
0
0
s2sdefault