ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୌରପାଳିକାର ୱାର୍ଡ ନମ୍ବର-୧ ଏବଂ ୱାର୍ଡ ନମ୍ବର-୨ରେ ଗୁଣିଗାରେଡିକୁ ବିଶ୍ୱାସ କରୁଥିବା ଲୋକମାନଙ୍କ ଠାରୁ ଅନ୍ଧ ବିଶ୍ୱାସ ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ୱାର୍ଡ ନମ୍ବର-୧ ସ୍ଥିତ ପରିଚୟ ଗୃହରେ ଅନୁଷ୍ଠିତ ହୋଇଯାଇଛି।
କିଛି ଦିନ ତଳେ ଗୋଟିଏ ଝିଅର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଆଖିଆଗରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ୱାର୍ଡ ନମ୍ବର-୧ ଏବଂ ୱାର୍ଡ ନମ୍ବର-୨ରେ ଜାରି ରହିଛି।
ଗତ କାଲି ଶିଶୁ ସୁରକ୍ଷା ବିଭାଗର ପରାମର୍ଶ ଦାତା ଏବଂ ମାନସିକ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ଦାତାଙ୍କ ଦ୍ବାରା ଗୁଣିଗାରେଡିକୁ ବିଶ୍ୱାସ କରୁଥିବା ପରିବାରଙ୍କୁ ଅନ୍ଧ ବିଶ୍ବାସରୁ ଦୁରେଇ ରହିବା ଏବଂ ଚିକିତ୍ସା-ଭେଷଜ / ହୋମିଓପାଥି / ଆୟୁର୍ବେଦିକକୁ ବିଶ୍ଵାସ କରିବା ଲାଗି ବିଭିନ୍ନ ଉଦାହରଣ ସହ ପରାମର୍ଶ ଦିଆଯାଇଛି।
ଆଜି ସେହି ସବୁ ଅଞ୍ଚଳର ଲୋକମାନଙ୍କୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସେହି ଅଞ୍ଚଳର ଆଶା ଦିଦି , ଅଙ୍ଗନବାଡି କର୍ମୀ , ସ୍ୱଚ୍ଛସାଥୀଙ୍କ ଦ୍ବାରା ଘର ଘର ବୁଲି ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଶିବିରରେ ଉପସ୍ଥିତ ରହିବା ଲାଗି ଅନୁରୋଧ କରାଯାଇଥିଲା।
ପରବର୍ତ୍ତୀ ସମୟରେ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀ ଯୋଗ ଦେଇ ଲୋକ ମାନଙ୍କର ଆବଶ୍ୟକ ଅନୁସାରେ ବିଭିନ୍ନ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। ସେଥିରେ ମଧ୍ୟ କରୋନାର ନିର୍ଦ୍ଦେଶାବଳୀକୁ ସମସ୍ତଙ୍କୁ ମାନିବାକୁ ଅନୁରୋଧ କରାଯାଇଥିଲା।
ଏହିକାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ , ପୌରପାଳିକାର କର୍ମକର୍ତ୍ତା ପରିଚାଳନା କରିଥିଲା ବେଳେ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୁବ୍ରତ ଜମାଦାର , ଅତିରିକ୍ତ ପ୍ରୋଗ୍ରାମ ମେନେଜର (NHM) ଶ୍ରୀମତି ଶୁଭଲକ୍ଷ୍ମୀ ସାହୁ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ।
ରାଜ୍ୟ
ଅନ୍ଧ ବିଶ୍ୱାସ ଦୂର ପାଇଁ ପ୍ରଶାସନର ମାଗଣା ସ୍ୱାସ୍ଥ୍ୟ ସେବା ଶିବିର
- Hits: 387








