
ବାରିପଦା - (ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଡର ଚରମ ଅବହେଳା ଓ ଆନ୍ତରିକତାର ଅଭାବରୁ ପରିତ୍ୟକ୍ତ ଓ ବିପଦ ସଂକୁଳ ଅବସ୍ଥାରେ ଐତିହାସିକ ମଧୁବନ ମିନି ଷ୍ଟାଡିୟମ। ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଏହି ଷ୍ଟାଡିୟମକୁ ପ୍ରାତଃ ଭ୍ରମଣ ପାଇଁ ଆସିଥାନ୍ତି। ବିଭିନ୍ନ ଯୁବ ଖେଳାଳୀମାନେ କ୍ରିକେଟ, ଫୁଟବଲ ଓ ଦୌଡକୁଦ ଆଦି ଖେଳ ପାଇଁ ଏହା ଉପରେ ନିର୍ଭର କରିଥାନ୍ତି। ତେବେ ଓଡିଶା ସରକାର କ୍ରୀଡାକୁ ଗୁରୁତ୍ୱ ଦେଉଥିବା ବେଳେ ବର୍ତମାନ ଏହି ପଡିଆ ବିପଦ ସାଜିଛି ଖେଳାଳୀଙ୍କ ପାଇଁ। ପଡିଆ ମଧ୍ୟରେ ବଡ଼ବଡ଼ ଘାସ ସହ ବିଭିନ୍ନ ଅନାବନା ଲତା ବାହାରି ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି।ଏହା ସହ କିଛି ଅସାମାଜିକ ଯୁବକ ରାତ୍ରିରେ ଏଠାରେ ମଦ୍ୟପାନ କରି କାଚ ବୋତଲ ଏଣେତେଣେ ପିଙ୍ଗିବାରୁ ଏହା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି। ପଡିଆକୁ ଜଗିବା ନିମନ୍ତେ ପୌରପରିଷଦ ପକ୍ଷରୁ ମାସିକ ଦରମା ଦିଆଯାଇ ଏକ ଜଗୁଆଳିକୁ ନିଯୁକ୍ତି ଦିଆଯାଇଛି ।
ଏହି ସମୟରେ ମଧୁବନ ମିନି ଷ୍ଟାଡିୟମର ଆଁ ଭିତରେ ପ୍ରତ୍ୟେକ ବର୍ଷ ମରାମତି ଓ ରକ୍ଷଣାବେକ୍ଷଣ ନାମରେ ପଶୁଛି ଲକ୍ଷ ଲକ୍ଷ ଟଙ୍କା । ପୁରୁଣା ସୂଚନା ଫଳକକୁ ଲିଭାଇ ବା ନଷ୍ଟ କରାଯାଇ ଲାଗୁଛି ନୂଆ କାର୍ଯ୍ୟର ଫଳକ । ଏହିପରି ବାରିପଦା ପୌରପରିଷଦ ପଡ଼ିଆର ଉନ୍ନତି କରଣ ନିମନ୍ତେ ବହୁ ଅର୍ଥ ଖର୍ଚ୍ଚ କରିଥିଲେ ମଧ୍ୟ ଉପଯୁକ୍ତ ରକ୍ଷଣାବେକ୍ଷଣ ତଥା ଆନ୍ତରିକତାର ଅଭାବ ଯୋଗୁଁ ଏହା ବର୍ତମାନ ଲୋକଙ୍କ ପାଇଁ ବ୍ୟବହାର ପାଇଁ ଅନୁପଯୋଗୀ ହୋଇପଡିଛି। ଡ୍ରେସିଂ ରୁମର କବାଟ ଝରକା ଭାଙ୍ଗି ଭୁତ କୋଠି ହେବାକୁ ବସିଛି । ଏହା ଏକ ସୁନା ଅଣ୍ଡା ଦେବା କୁକୁଡ଼ାରେ ପରିଣତ ହୋଇଯାଇଛି । ଉନ୍ନତି କରଣ ଆଁ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା ପଶୁଥିବା ବେଳେ ଏହା ପଡ଼ିଆର କୌଣସି ଉନ୍ନତି ପରିଲକ୍ଷିତ ହୋଇପାରୁ ନାହିଁ । କେବକ ସରକାରୀ ଅର୍ଥର ଅପଚୟ ହେଉଛି । ଏଣୁ ଯଥାଶୀଘ୍ର ଏହି ପଡିଆକୁ ପରିଷ୍କାର କରିବା ସହ ଜନସାଧାରଣଙ୍କ କାର୍ଯ୍ୟରେ ଆସିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଜନସାଧାରଣ ଓ ଖେଳାଳୀ ମାନେ। ଏହି ମିନି ଷ୍ଟାଡିୟମ ମଞ୍ଚରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଭାଷଣ ଦେଇଥିବା ମଞ୍ଚକୁ ଏକ ସ୍ମାରକୀ ଭାବେ ସୁରକ୍ଷିତ ରଖିବା ବଦଳରେ ତାହାକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି ।








