ହେଡଲାଇନସ୍:

ମୁଖ୍ୟ ଶାସନ ସଚିବ ଓ ‘୫ଟି’ ସଚିବଙ୍କ ବଲାଙ୍ଗି ର ଜିଲ୍ଲା ଗସ୍ତ: ବିକାଶମୂଳକ କାର୍ଯ୍ୟର କଲେ  ସମୀକ୍ଷା ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲୋୟର ସୁକତେଲ ପ୍ରକଳ୍ପର ସ୍ପିଲୱେ କାର୍ଯ୍ୟ ୨୦୨୨ ଜୁନ୍ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ 

ବଲାଙ୍ଗିର(ନିରୋଜ ମିଶ୍ର) :-  ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଙ୍କ ସମେତ ରାଜ୍ୟ  ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଏକ ଟିମ ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତ କରି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ ବ୍ୟବସ୍ଥା  ଓ ଜିଲ୍ଲାର ନିର୍ମାଣାଧୀନ  ବିଭିନ୍ନ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଛନ୍ତି |  

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ , ମୁଖ୍ୟମନ୍ତ୍ରୀଙ୍କ ସଚିବ ‘୫ଟି’ ଭି.କେ. ପାଣ୍ଡିଆନ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନର ମିଶନ ନିର୍ଦ୍ଦେଶ  ଶାଳିନୀ ପଣ୍ଡିତ ବଲାଙ୍ଗିର ଜିଲ୍ଲା ଗସ୍ତ କରିଥିଲେ । ପୂର୍ବାହ୍ନରାଜ୍ୟ ପ୍ରଶାସନର ଏହି ଉଚ୍ଚସ୍ତରୀୟ ଟିମ ତୁଷୁରା ଏୟାର ଷ୍ଟ୍ରିପରେ  ଅବତରଣ କରିବା ପରେ ଦେଓଗାଁ ବ୍ଲକ ଗସ୍ତରେ ଆସିଥିଲେ | ସେଠାରେ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ରୁପାନ୍ତରଣ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ  । 

ଏହି ଉଚ୍ଚସ୍ତରୀୟ ଟିମ୍ ଭୀମଭୋଇ ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ୍ ପରିଦର୍ଶନ କରି ସେଠାରେ ଚାଲୁ ରହିଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ । ଲିକ୍ୱିଡ୍ ମେଡ଼ିକାଲ ଅକ୍ସିଜେନ୍ ପ୍ଲାଣ୍ଟ, ପିଏସଏ ପ୍ଲାଣ୍ଟର ଅଗ୍ରଗତି କାର୍ଯ୍ୟ ସମୀକ୍ଷା କରିବା ସହ ନିର୍ମାଣାଧୀନ ରୋଗୀ ଆଟେଣ୍ଟାଣ୍ଡ ବିଶ୍ରାମସ୍ଥଳୀ, ଆହାର କେନ୍ଦ୍ର, କୋଭିଡ୍ ୱାର୍ଡ, ପେଡ଼ିଆଟ୍ରିକ୍ ଆଇସିୟୁ ଏବଂ ଅକ୍ସିଜେନ୍ ଯୋଗାଣ ବ୍ୟବସ୍ଥା ବୁଲି ଦେଖିଥିଲେ । ୬୫୦ ଶଯ୍ୟାର ଟିଚିଂ ହସ୍ପିଟାଲ୍ ନିର୍ମାଣ କାର୍ଯ୍ୟର ସମୀକ୍ଷା କରି ଧାର୍ଯ୍ୟ ସମୟରେ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କୌଣସି ନିମ୍ନମାନର କାମକୁ ବରଦାସ୍ତ କରାଯିବ ନାହିଁ ବୋଲି ଅଧିକାରୀମାନଙ୍କୁ ଶ୍ରୀ ପାଣ୍ଡିଆନ୍ ଚେତାବନୀ ଦେଇଥିଲେ । ଜିଲ୍ଲାର କୋଭିଡ୍ ସ୍ଥିତି ଏବଂ ସମ୍ଭାବ୍ୟ ତୃତୀୟ ଲହର ପ୍ରସ୍ତୁତିର ତଦାରଖ କରିଥିଲେ ଏହି ଟିମ୍ । ଲୋୟର ସୁକତେଲ ପ୍ରକଳ୍ପ ଜାଗା ବୁଲି ଡ୍ୟାମ୍ ଏବଂ ସ୍ପିଲୱେ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ ଟିମ୍ । ସ୍ପିଲୱେ କାର୍ଯ୍ୟ ୨୦୨୨ ଜୁନ୍ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ବଲାଙ୍ଗୀର ପି.ପି.ଏକାଡେମୀ ପରିଦର୍ଶନ କରି ସ୍କୁଲ ଅପଗ୍ରେଡେସନ୍ ପ୍ରକଳ୍ପ ବୁଲି ଦେଖିଥିଲେ । ଏଥିସହ ସ୍କୁଲର ଉନ୍ନତିକରଣ ସଂକ୍ରାନ୍ତରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ପାଥରସେପାଠାରେ ଥିବା ଆଦର୍ଶ ବିଦ୍ୟାଳୟକୁ ମଧ୍ୟ ଏହି ଟିମ୍ ପରିଦର୍ଶନ କରିଥିଲେ । ବଲାଙ୍ଗୀର ଜିଲ୍ଲାର ୨୪ ଟି ହାଇସ୍କୁଲରେ ସ୍ମାର୍ଟ କ୍ଲାସ୍ ରୁମ୍, ବିଜ୍ଞାନ ଲାବରେଟୋରି, ଇ-ଲାଇବ୍ରେରୀ ଭଳି ଅତ୍ୟାଧୁନିକ ଭିତ୍ତିଭୂମି ବ୍ୟବସ୍ଥା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ସମୀକ୍ଷାରୁ ଜଣାପଡ଼ିଥିଲା । ୫-ଟି ଅନ୍ତର୍ଗତ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ଏହି ସ୍କୁଲଗୁଡ଼ିକ ସାମିଲ ହୋଇଛି ।

ଏହି ଉଚ୍ଚସ୍ତରୀୟ ଟିମ୍ ବିଜ୍ଞାନ ପାର୍କ ଏବଂ ପ୍ଲାନେଟୋରିୟମ୍, ନୂଆ ବସ୍ ଟର୍ମିନାଲ୍, ପାଟଣାଗଡ଼ ଓ ଟିଟିଲାଗଡ଼ ଏସଡିଏଚ ଏବଂ ଏମସିଏଚ, ବଲାଙ୍ଗୀର ବାଇ-ପାସ୍, ମହାରାଣୀ ସାଗର ଟ୍ୟାଙ୍କ, ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ, ବିଦ୍ୟୁତ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଜଳସେଚନ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ ।

ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା, ଏସପି ନୀତିନ୍ କୁଶଲକର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ |

0
0
0
s2sdefault