ପୁରୀ/ ଅନିମେଶ ପଟ୍ଟନାୟକ : ଆସନ୍ତା ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରଥମେ ପୁରୀ ସହରବାସୀ ଓ ୨୩ ରୁ ସର୍ବସାଧାରଣ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ତେବେ ଶ୍ରୀମନ୍ଦିର ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏସଓପି ଅନୁଯାୟୀ ପୁରୀ ସହରବାସୀ ନିଜର ଆଧାରକାର୍ଡ କିମ୍ବା ଭୋଟର ପରିଚୟ ପତ୍ର ସହ କୋଭିଡ ଆରଟିପିସିଆର ରିପୋର୍ଟ କିମ୍ବା ୨ଟି ଡୋଜ ଟିକା ରିପୋର୍ଟ ଦେଖାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ସର୍ବସାଧାରଣ ଭକ୍ତଙ୍କ ପାଇଁ ୯୬ଘଣ୍ଟା ପୂର୍ବର ଆରଟିପିସିଆର ରିପୋର୍ଟ କିମ୍ବା ଦୁଇଟି ଡୋଜ ଟିକା ନେଇଥିବାର ପ୍ରମାଣ ପତ୍ର ଦେଖାଇ ଦର୍ଶନ କରିବେ। ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତ ମାନଙ୍କର ହାତ ସାନିଟାଇଜ କରାଯିବା ସହ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ବ ଦିଆଯିବ। ପୂର୍ବରୁ ଥିବା ଏସଓପିର ସମସ୍ତ ନିୟମାବଳୀକୁ ଅନୁକରଣ କରାଯିବ। ଭକ୍ତ ମାନେ ଶ୍ରୀମନ୍ଦିର ପରିସରରେ ମହାପ୍ରସାଦ ସେବନ କରିପାରିବେ ନାହିଁ। ମହାପ୍ରସାଦ ବାହାରକୁ ନେଇ ସେବନ କରିପାରିବେ। ଭକ୍ତଙ୍କୁ ଯାଞ୍ଚ କରିବା ପାଇଁ କିଓସ୍କୋ ବ୍ୟବସ୍ଥା କରାଯାଇ ଶ୍ରୀମନ୍ଦିରକୁ ପ୍ରବେଶର ସୁଯୋଗ ଦିଆଯିବ। ଆଜିର ଏହି ଛତିଶା ନିଯୋଗ ବୈଠକରେ ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ୟକ୍ଷତାରେ ଏସମସ୍ତ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ, ସିଡିଏମଓ ଓ ଛତିଶା ନିଯୋଗର ସମସ୍ତ ସେବାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।








