ହେଡଲାଇନସ୍:

ସମଲ ବ୍ୟାରେଜ୍  ବାସଚ୍ୟୁତଙ୍କ ସମସ୍ୟା ସମାଧାନ ସଂପର୍କିତ ବୈଠକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) :  ଅନୁଗୋଳ ଜିଲ୍ଲା ସମଲ ବ୍ୟାରେଜ୍ ନଦୀବନ୍ଧ ଯୋଜନାରେ ପ୍ରଭାବିତ ପରିବାରଙ୍କ ବିଭିନ୍ନ ସମସ୍ୟାର ସମାଧାନ  ସଂପର୍କରେ ଏକ ବୈଠକ ଓଡିଶା ବିଧାନ ସଭା ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ବିଧାନସଭାର  ୫୪ ନଂ ପ୍ରକୋଷ୍ଠରେ ଅନୁଷ୍ଠିତ  ହୋଇଥିଲା  । ଏଥିରେ ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ,  ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ, ପାଲଲହଡା ବିଧାୟକ ଶ୍ରୀ ମୁକେଶ ପାଲ ଏବଂ ବାସଚ୍ୟୁତ  ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ । 

               ଉପ ବାଚସ୍ପତି ଶ୍ରୀ ସିଂହ ଏହି ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରି କିପରି ସମସ୍ୟାର ଆଶୁ ସମାଧାନ ହୋଇପାରିବ, ସେ ସଂପର୍କରେ ଆବଶ୍ୟକ ପରାମର୍ଶ ଦେବା ସହ ଏ ଦିଗରେ ଜଳସମ୍ପଦ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଧାୟକ ଦ୍ୱୟ ମଧ୍ୟ ବିସ୍ଥାପିତମାନଙ୍କର ସମସ୍ୟା ପ୍ରତି ଦୃଷ୍ଟି ଦେଇ ସମାଧାନ ପାଇଁ ମନ୍ତ୍ରୀଙ୍କୁ  ଅନୁରୋଧ କରିଥିଲେ ।  ବାସଚ୍ୟୁତମାନଙ୍କ ଦୀର୍ଘ ଦିନରୁ ରହିଥିବା ସମସ୍ୟା ସମାଧାନରେ ବିଳମ୍ବିତ ହୋଇଥିବାରୁ ଏ ସଂପର୍କରେ ଆଗାମୀ ଦିନରେ ଏକ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ନିଷ୍ପତି ନିଆଯାଇ ତାହାକୁ କାର୍ଯ୍ୟକାରୀ କରାଯିବାକୁ ବୈଠକରେ ସର୍ବ ସମ୍ମତି ପ୍ରକାଶ ପାଇଥିଲା ।  

 ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳ ସଂପଦ ବିଭାଗର  ପୁନର୍ବାସ ଓ ଥଇଥାନ( ରିହାବିଲିଟେସନ ଓ ରିସେଟଲମେଣ୍ଟ) ନିର୍ଦ୍ଦେଶକ  ଶ୍ରୀ ରାଜେନ୍ଦ୍ର କୁମାର ପଟ୍ଟନାୟକ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ବିଶ୍ୱଜିତ୍ ବିଶ୍ୱାଳ, ସର୍ବୋଚ୍ଚ ଯନ୍ତ୍ରୀ(ଯୋଜନା ଓ ନକ୍ସାଙ୍କନ) ଇଂ. ବିଜୟ କୁମାର ମିଶ୍ର, ସମଲ ବ୍ୟାରେଜ ପ୍ରକଳ୍ପ ମୁଖ୍ୟଯନ୍ତ୍ରୀ, ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ,  ଉପ ଜିଲ୍ଲାପାଳ  ଏବଂ ଭୂ-ଅଧିଗ୍ରହଣ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । 

 

0
0
0
s2sdefault