ଭୁବନେଶ୍ୱର : ଆଦିବାସୀ ପିଲାମାନଙ୍କୁ ଶିକ୍ଷା ମାଧ୍ୟମରେ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସହ ସମାଜରେ ସମସ୍ତଙ୍କ ଭିତରେ ଜଣେ ଭାବେ ଗଢି ତୋଳିବା ପାଇଁ ସଂକଳ୍ପ ନେଇ କିସ ଆରମ୍ଭ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଯାଇଥିବା ଡ଼ ଅଚ୍ୟୁତ ସାମନ୍ତଙ୍କପାଇଁ ଆଉ ଏକ ସଫଳତା | ତାଙ୍କ ପରିକଳ୍ପନାର ଛାପ ଦେଖିବାକୁ ମିଳିବ ମହାରାଷ୍ଟ୍ରରେ | ସେଠି ଖୁବ ଶୀଘ୍ର ଖୋଲିବା କିସ ଆବାସିକ ବିଦ୍ୟାଳୟ | ଏଥିପାଇଁ ମହାରାଷ୍ଟ୍ର ପାଲଘର ଜିଲ୍ଲା ବିକ୍ରମଗଡ଼ ଅନ୍ତର୍ଗତ ଜମ୍ଭା ଗ୍ରାମରେ କିସ୍-ମହାରାଷ୍ଟ୍ର ଶାଖା ‘ଲାୟନ୍ସ ଚଏସ୍ କିସ୍ ଆବାସିକ ବିଦ୍ୟାଳୟ’ର ଭୂମିପୂଜନ ରବିବାର ଅନୁଷ୍ଠିତ ହୋଇଯାଇଛି । ଲାୟନ୍ସ ମୁମ୍ବାଇ ଚଏସ୍ ଫାଉଣ୍ଡେସନ୍ ସହଯୋଗରେ ‘ଲାୟନ୍ସ ଚଏସ୍ କିସ୍ ଆବାସିକ ବିଦ୍ୟାଳୟ’ ନାମରେ କିସ୍ର ଏହି ଶାଖା କାର୍ଯ୍ୟ କରିବ । ଲାୟନ୍ସ ଡିସ୍ଟ୍ରିକ୍ଟ ଗଭର୍ଣ୍ଣର ସୁନୀଲ ପାଟୋଡ଼ିଆଙ୍କ ନେତୃତ୍ୱରେ ପ୍ରତିଷ୍ଠିତ ହେବାକୁ ଥିବା କିସ୍-ମହାରାଷ୍ଟ୍ର ଶାଖାର ସମସ୍ତ ଭିତ୍ତିଭୂମି ଓ ନିର୍ମାଣ କାର୍ଯ୍ୟର ସମସ୍ତ ଖର୍ଚ୍ଚ ଲାୟନ୍ସ ମୁମ୍ବାଇ ଚଏସ୍ ଫାଉଣ୍ଡେସନ୍ ବହନ କରିବ । ଏଥିପାଇଁ ପ୍ରାରମ୍ଭିକ ବ୍ୟୟ ଅଟକଳ ୬୦କୋଟି ଟଙ୍କା ରଖାଯାଇଥିବା ବେଳେ ଏହି ଅର୍ଥ ଫାଉଣ୍ଡେସନ୍ ଯୋଗାଇ ଦେବ । ଲାୟନ୍ସ ଚଏସ୍ କିସ୍ ଆବାସିକ ବିଦ୍ୟାଳୟରେ ୫ହଜାର ଅବହେଳିତ ଛାତ୍ରଛାତ୍ରୀ ନିଃଶୁଳ୍କ ଗୁଣାତ୍ମକ ଶିକ୍ଷାଗ୍ରହଣ କରିବାର ସୁଯୋଗ ପାଇବେ । ଆସନ୍ତା ଶିକ୍ଷାବର୍ଷଠାରୁ ଏହି ବିଦ୍ୟାଳୟ କାର୍ଯ୍ୟ କରିବା ଲକ୍ଷ୍ୟ ରଖାଯାଇଛି । ପାଲଘର ଜିଲ୍ଲା ଜନଜାତି ଅଧ୍ୟୁଷିତ ହୋଇଥିବା ବେଳେ ଏଠାରେ ଜନଜାତି ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇବାରୁ ବଂଚିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ପାଲଘର ଜିଲ୍ଲାର ଜମ୍ଭା ଗ୍ରାମରେ ଲାୟନ୍ସ ଚଏସ୍ କିସ୍ ଆବାସିକ ବିଦ୍ୟାଳୟ ପ୍ରତିସରହ କରାଯିବା ପାଇଁ କିସ୍ ପକ୍ଷରୁ ନିଷ୍ପତି ନିଆଯାଇଥିଲା । ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କିସ୍ ଓ କିଟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ଗତ ୫ବର୍ଷ ହେଲା ମହାରାଷ୍ଟ୍ରର ଜନଜାତି ତଥା ଅବହେଳିତ ପିଲାମାନଙ୍କ ପାଇଁ ସେଠାରେ କିସ୍ର ଏକ ଶାଖା ଖୋଲିବା ପାଇଁ ଚିନ୍ତା କରିଆସୁଥିଲି । ଏଥିପାଇଁ ଉଦ୍ୟମ ଜାରି ରଖିଥିଲି । ଆଜି ତାହା ଫଳବତୀ ହୋଇଛି । କିସ୍-ମହାରାଷ୍ଟ୍ର ଶାଖା ଖୋଲିବାରେ ଲାୟନ୍ସ ମୁମ୍ବାଇ ଚଏସ୍ ଫାଉଣ୍ଡେସନ୍, ବିଶେଷ କରି ଲାୟନ୍ସ ଡିସ୍ଟ୍ରିକ୍ଟ ଗଭର୍ଣ୍ଣର ସୁନୀଲ ପାଟୋଡ଼ିଆଙ୍କ ଯଥେଷ୍ଟ ସହଯୋଗ ରହିଛି । ଏଥିପାଇଁ ଶ୍ରୀ ସାମନ୍ତ ଲାୟନ୍ସ ମୁମ୍ବାଇ ଚଏସ୍ ଫାଉଣ୍ଡେସନ୍ ଓ ଶ୍ରୀ ପାଟୋଡ଼ିଆଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ସାମନ୍ତଙ୍କ ଦ୍ୱାରା ଲାୟନ୍ସ କ୍ଲବ ଅଫ୍ ହେରିଟେଜ୍ ଗାଲାକ୍ସୀ ଓ ଲିଓ କ୍ଲବ୍ ଅଫ୍ ହେରିଟେଜ୍ ଗାଲାକ୍ସୀ ପକ୍ଷରୁ ଭରତକ ଆଶାହତ ଗ୍ରାମରେ ନିର୍ମିତ ଗୋଷ୍ଠୀ ଶୌଚାଳୟ କଂପ୍ଲେକ୍ସ ଉଦ୍ଘାଟନ କରାଯାଇଥିଲା । ସେହିପରି ଶ୍ରୀ ସାମନ୍ତ ମୁମ୍ବାଇଠାରେ ଶ୍ରୀ ଭଗବତ ପରିବାର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ଅପ୍ରତିମ ଭାରତ’ ପୁସ୍ତକର ଉନ୍ମୋଚନ କରିଥିଲେ ।
ରାଜ୍ୟ
ଅଚ୍ୟୁତଙ୍କ ଆଉ ଏକ ସଫଳତା : ମହାରାଷ୍ଟ୍ରରେ ଖୋଲିବ କିସ୍ ଶାଖା
- Hits: 510